Odisha News

ବୌଦ୍ଧ : ୧୪ ଦଫା ଦାବୀ ନେଇ ଗର୍ଜିଲେ କେନ୍ଦୁପତ୍ର କର୍ମଚାରୀ ସଂଘ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୬: ପଶ୍ଚିମ ଓଡିଶାର ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ରରୁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ କେନ୍ଦୁପତ୍ର ଶ୍ରମିକ ମାନେ ସେମାନଙ୍କ ନାର୍ଯ୍ୟା ଅଧିକାରରୁ ବଞ୍ଚତ ହେଉଥିବା ଅଭିଯୋଗ କରିଆସୁଅଛନ୍ତି । କେନ୍ଦୁପତ୍ର କର୍ମଚାରୀଙ୍କୁ କେଏଲଡିଏଫ ଫାଣ୍ଠିରୁ ବୋନସ ଅର୍ଥ ଦିଆଯାଉଥିବା ବେଳେ କିନ୍ତୁ ବର୍ତ୍ତମାନ ସରକାର ବୋନସ ଘୋଷଣା ନକରି ୧୦୦ରୁ ୧୫୦୦ ଆର୍ଥିକ ସହାୟତା ଘୋଷଣା କଲେ । ଫଳରେ ଶ୍ରମିକ ମାନେ ଏହାର ଘୋର ବିରୋଧ କରଛନ୍ତି ।
ଏହା ସହ ଦୀର୍ଘ ୫ ବର୍ଷ ହେବ ସର୍ବନିମ୍ନ ମଜୁରୀ ସଂଶୋଧନ ନହୋଇଥିବାରୁ ସିଜିନାଲ କର୍ମଚାରୀମାନେ ପୁରୁଣା ହାରରେ ମଜୁରୀରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହା ସହ ଶ୍ରମିକଙ୍କ ବିଭିନ୍ନ ଦାବୀ ନେଇ ସରକାର ବିଳମ୍ବ କରୁଥିବାରୁ ଶୁକ୍ରବାର ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ଓ ମହମ୍ମଦ ମୁର୍ତ୍ତୁଜା ବୌଦ୍ଧ କେନ୍ଦୁପତ୍ର ଡିଭିଜନର ସମ୍ପାଦକ ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ବୌଦ୍ଧ ଡିଭିଜନର କେନ୍ଦୁପତ୍ର ତୋଳାଳି , ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନେ ହକ ପାଇ ଟାଣ ଖରାରେ ଏକ ବିଶାଳ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ୧୪ ଦଫା ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।
ଦାବି ଗୁଡିକ ହେଲା ବୋନସ ହେଉଛି ଆମର ଅଧିକାର ତୁରନ୍ତ ବୋନସ ପ୍ରଦାନ କରାଯାଉ, ସାମାଜିକ ନିରାପତ୍ତା ନେଇ ତୁରନ୍ତ ଘୋଷଣା କରାଯାଉ, କେନ୍ଦୁପତ୍ର ସଂସ୍ଥାରୁ ନେଉଥିବା କମିଶନ ସ୍ପଷ୍ଟ କରାଯାଇ ମନମୁଖୀ ଭାବେ କଟାନଯାଇ ବହୁ ପୁର୍ବରୁ ପ୍ରଚଳିତ ଥିବା ଶତକଡା ୪ ଭାଗରୁ ୬ ଭାଗ କମିଶନ ଦିଆଯାଉ, କନ୍ୟା ବିବାହ ଆର୍ଥିକ ସାହାଯ୍ୟ ପ୍ରଚଳନ କରାଯାଉ ଓ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ମାନଙ୍କର ପ୍ରତି କନ୍ୟାକୁ ବିବାହ ସାହାଯ୍ୟ ୫୦ ହଜାର ଦିଆଯାଉ ।
ସିଜିନାଲ କର୍ମଚାରୀମାନଙ୍କ ମାସିକ ମଜୁରୀ ତଥା ଦରମା ବୃଦ୍ଧି କରିବା ପାଇଁ ଅତିଶିଘ୍ର ସର୍ବନିମ୍ନ ମଜୁରୀ ଘୋଷଣା କରାଯାଉ, ସିଜିନାଲ କର୍ମଚାରୀମାନଙ୍କର ଚାକିରି ସର୍ତବଳି ପ୍ରଣୟନ କରାଯାଇ କାର୍ଯ୍ୟକାରୀ କରାଯାଉ, ମୁନସି ଓ ଚପରାଶୀଙ୍କ କାର୍ଯ୍ୟକାଳ ଯଥାରୀତି ଧାର୍ଯ୍ୟ ହୋଇଥିବା ୯୦ ଦିନ ଏବଂ ୬୦ ଦିନ ଘୋଷଣାକୁ ଦୃଢ ଭାବରେ କାର୍ଯ୍ୟକାରୀ କରାଯାଉ ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଛାତ୍ର ବୃତ୍ତି ଯୋଜନା ବର୍ତ୍ତମାନ ସୁଧା ୬ ମାସ ବିତି ଯାଇଥିଲେ ମଧ୍ୟ ସଂପୁର୍ଣ୍ଣ ତଥା ଚୁଡାନ୍ତ ରୁପରେଖ ହୋଇପାରିନାହି,ଏଣୁ ତୁରନ୍ତ ଜୁନ ସୁଧା ଘୋଷଣା କରାଯାଉ , ସିଜିନାଲ କର୍ମଚାରୀଙ୍କ ଟିଏ, ଡିଏ ୮ରୁ ୧୦ ବର୍ଷ ହେଲା ବୃଦ୍ଧି କରାଯାଇନାହିଁ ତୁରନ୍ତ ଏହାର ବୃଦ୍ଧି କରାଯାଉ, ଜୟପୁର ଓ ଖରିଆର ଡିଭିଜନ ଫାଲ ଏରିଆକୁ ପ୍ରୋସେସ ଏରିଆ ଭାବରେ ପରିବର୍ତ୍ତନ କରାଯାଉ ।
ଫଳରେ କେନ୍ଦୁପତ୍ର ସଂସ୍ଥାର ବିକ୍ରି ମୁଲ୍ୟ ବୃଦ୍ଧି ହୋଇ ଅଧିକ ଲାଭ ହେବ, ୱାଚରମାନଙ୍କ ମଜୁରୀ ଦାବୀକୁ ବିଚାର କରାଯାଇ ଶିଘ୍ର ଏହାକୁ ଦେବା ପାଇଁ ପଦକ୍ଷେପ ନିଆଯାଉ, କେନ୍ଦୁପତ୍ର ସଂସ୍ଥାର ମୁଖ୍ୟ ପ୍ରସଙ୍ଗ ହେଊଛି ଜିଏସଟି , ଜିଏସଟିରୁ ପାଉଥିବା ଅର୍ଥ ଅଂଶରୁ କେନ୍ଦୁପତ୍ର ଶ୍ରମିକମାନଙ୍କ ସାମାଜିକ ନିରପତ୍ତା କଲ୍ୟାଣ ମୁଳକ ସାହାଯ୍ୟ ପାଇଁ ଏଥିରୁ ଅର୍ଥ ମଂଜୁର କରି ଏକ ଅନ୍ୟାନ୍ୟ ଉଦାହରଣ ସୃଷ୍ଟି କରନ୍ତୁ, କେନ୍ଦୁପତ୍ର ସଜିନାଲ କର୍ମଚାରୀମାନଙ୍କ ଅବସର ୬୦ରୁ ୬୨କୁ ବୃଦ୍ଧି କରାଯାଉ, କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୦୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଉ ଆଦି ଦାଦୀ କରିଥିଲେ । ଦାବୀ ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନମୋହନ ପାତ୍ର ଗ୍ରହଣ କରିଥିଲେ ।
ଦାବୀ ପତ୍ର ପ୍ରଦାନ ସମୟରେ ରେଢାଖୋଲ ଡିଭିଜନର ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଊଦିତ ତ୍ରିପାଠୀ. ପ୍ରତାପ ଶର୍ମା, ଅଖଣ୍ଡ ମହାକୁଲ, ତପନ ପ୍ରଧାନ, ସୁରଥ ମଲିକ, ସନ୍ତୋଷ ମହାକୁଲ, ନରୋତ୍ତମ ବେହେରା, ସୁନାସିର ମଲିକ, ବିଶାଖା ବାଘ, ବୀଣାପାଣି ମହାକୁଲ, ବସନ୍ତ ବାରିକଙ୍କ ବହୁ ସଂଖ୍ୟାରେ କେନ୍ଦୁପତ୍ର ଶ୍ରମିକ ମାନେ ସାମିଲ ଥିଲେ ।

Related Posts

Seo wordpress plugin by www.seowizard.org.