Odisha News

ବୌଦ୍ଧର ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଯାତ୍ରୀଙ୍କୁ ସୁବିଧା ମିଳି ପାରୁନାହିଁ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୪: ସରକାର ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରିଛନ୍ତି । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବୈାଦ୍ଧଜିଲ୍ଲାରେ ମଧ୍ୟ ନିର୍ମାଣ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା ସପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଯାହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ଜିଲ୍ଲା ସଦର ମହକୁମାର ବୈାଦ୍ଧ- କିଆକଟା ବ୍ରିଜଛକ ଠାରେ ନିର୍ମାଣ କରାଯାଇଛି । ପ୍ରାୟ ଏକ କୋଟି ତିରିଶ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ୨୦୧୮ ଜୁଲାଇ ୩୧ ତାରିଖରେ ଉଦଘାଟନ ହୋଇଥିଲା । ହେଲେ ଇତିମଧ୍ୟରେ ଉଦଘାଟନର ଦୀର୍ଘ ବର୍ଷ ହୋଇଥିଲେ ମଧ୍ୟ ଏହି କେନ୍ଦ୍ରଟି ଲୋକଙ୍କ ସେବାରେ ସଂପୂର୍ଣ୍ଣ ଭାବରେ ଆସିପାରିନାହିଁ ।
ଏହି କେନ୍ଦ୍ରରେ ଯାତ୍ରୀମାନେ ବିଶ୍ରାମ ନେବା ସହିତ ଚା, ଜଳଖିଆ, ଭୋଜନର ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଶୌଚ ପାଇଁ ବ୍ୟବସ୍ଥା ରହିଛି । ଯାହାକି ଯାତ୍ରୀମାନ ଆସିଲେ ଯେପରି କୈାଣସି ଅସୁବିଧାର ସମ୍ମୁଖିନ ହେବେନାହିଁ । ହେଲେ ଭୋଜନ, ଚା, ଜଳଖିଆର ବ୍ୟବସ୍ଥା ଏଠାରେ ହୋଇ ଅଦ୍ୟାବଧି ହୋଇ ପାରିନାହିଁ । ଏହି କେନ୍ଦ୍ରଟି ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ କଡରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛି । ଏହି ରାସ୍ତାଦେଇ ପ୍ରତିଦିନ ଶହଶହ ଗାଡି ମଟର ଚଳାଚଳ କରୁଛି ।
ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ତାପାମାତ୍ରା ୪୪,୪୫ ଡିଗ୍ରୀ ରହୁଛି । ରାସ୍ତା କଡରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପାଇଁ ସଙ୍କେତ ଦିଆଯାଇଥିବାରୁ ବହୁ ଯାତ୍ରୀ ଏହା ମଧ୍ୟକୁ ପ୍ରବେଶ କରୁଛନ୍ତି । ଏପରିସ୍ଥଳେ ଖରାରେ ଯାଉଥିବା ପଥିକମାନେ ଏଠାକୁ ଆସି ଦୀର୍ଘ ସମୟ ଧରି ବିଶ୍ରାମ ନେଇ ଯାଉଛନ୍ତି । ହେଲେ ସେଠାରେ କୈାଣସି ବିଶେଷ ସୁବିଧା ନଥିବାରୁ ନିରାଶ ହେଉଥିବା ଅଭିଯୋଗ ହେଉଛି ।
ସେହିପରି ବୈାଦ୍ଧ- କିଆକଟା ସେତୁ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାର ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ,ରଉଲକେଲା, ବରଗଡକୁ ସଂଯୋଗ କରୁଥିବା ବେଳେ ଦକ୍ଷିଣ ଓଡିଶା ସହିତ ଉତ୍ତର ଓଡିଶାର କେନ୍ଦୁଝରକୁ ସଂଯୋଗ କରୁଛି । ସେହିପରି ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାକୁ ଦୂରତ୍ୱ ଦୃଷ୍ଟିରୁ କମ ହୋଇଥାଏ ।
ଯାହାଫଳରେ ଲୋକମାନେ ବୈାଦ୍ଧଜିଲ୍ଲା ଦେଇ ଯିବା ଆସିବା କରିଥାନ୍ତି । ତେବେ ପ୍ରତେକ ଦିନ ଶହ ଶହ ଯାତ୍ରୀ ଏହି ପଥଦେଇ ଯାତାୟତ କରିଥାନ୍ତି । ଯେହେତୁ ଏହି କେନ୍ଦ୍ରଟି ବୈାଦ୍ଧ- କିଆକଟା ସେତୁ କଡରେ ରହିଛି ଯାତ୍ରୀମାନେ ଏଠାକୁ ଆସି କିଛି ସମୟ ବିଶ୍ରାମ ନେଇ କିମ୍ବା ସାଙ୍ଗରେ ଅଣିଥିବା ଖାଦ୍ୟ ଖାଇ ପଫେରିଯାଆନ୍ତି । ଏପରିକି ବିଭିନ୍ନ ସମୟରେ ଏଠାରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ସୌଜନ୍ୟତା ଦୃଷ୍ଟିରୁ ଚା ଓ ପିଇବା ପାଣି ଯାତ୍ରୀମାନଙ୍କୁ ଦେଇଥାନ୍ତି । ଯାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଏବଂ ଆବଶ୍ୟକ ପଡିଲେ ସେମାନେ ବାହାରୁ ଆଣି ଯାତ୍ରୀଙ୍କୁ ଖାଇବାକୁ ଦେଇଥାନ୍ତି । ଏଠାରେ ବର୍ତ୍ତମାନ ୬ ଜଣ କର୍ମଚାରୀ କାର୍ଯ୍ୟକରୁଛନ୍ତି । ପଥପ୍ରାନ୍ତ ସୁବିଧା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ବେଳେ ସମ୍ମୁଖରେ ଏକ ସୁନ୍ଦର ଉଦ୍ୟାନ ରହିଥିବା ବେଳେ କେନ୍ଦ୍ରର ପଛ ପାଖରେ ଏକ ଛୋଟ ପାର୍କ କରାଯାଇଛି । ଯାହାକି ଯାତ୍ରୀମାନଙ୍କୁ ଅଧିକ ଆକର୍ଷିତ କରୁଛନ୍ତି ।
ବୌଦ୍ଧ ଜିଲ୍ଲା ପ୍ରାଚୀନ କୀର୍ତ୍ତିରାଜୀର ଏକ ଭିତିଭୂମୀ ହୋଇଥିବାରୁ ପର୍ଯ୍ୟଟକ ମାନେ ମଧ୍ୟ ଏହି କେନ୍ଦ୍ରର ସୁବିଧା ପାଇଁ ଆସି ନିରାଶ ହେଉଥିବାର ଅଭିଯୋଗ ହେଉଛି । ଏପରିସ୍ଥଳେ ପ୍ରଶାସନ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଅଧିକ ପରିମାଣର ଯାତ୍ରୀ ଆସି ସମୟ ବିତାଇ ପାରିବେ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।
ଜାମୁପାଲି ବିଭିଷଣ ହତ୍ୟା ଘଟଣା ଦୁଇ ଅଭିଯୁକ୍ତ ଗିରଫ , କୋର୍ଟ ଚାଲାଣ
ବୌଦ୍ଧ,୨୫/୪ : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅର୍ନ୍ତଗତ ଗୌଡଦେଇ ନିକଟରୁ ପୁଲିସ ଶନିବାର ସକାଳୁ ଜାମୁପାଲି ଗ୍ରାମର ବିଭୀଷଣ ମହାରଥିଙ୍କ ରକ୍ତ ଜୁଡୁବୁଡୁ ମୃତ ହେଦ ଉଦ୍ଧାର କରିଥିଲା । ବିଭୀଷଣକୁ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ବୌଦ୍ଧ ଥ।।ନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଣାରେ ଆଜି ଦୁଇ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ।
ଅଭିଯୁକ୍ତ ଦୁଇଜଣ ହେଲେ ନୂଆଁପାଲି ଗ୍ରାମର କାହ୍ନା ପ୍ରଧାନ (୬୨) ଓ ଗୌଡଦେଇ ଗ୍ରାମର ଶକୁନ୍ତଳା ବେହେରା(୫୪) ବୋଲି ପୁଲିସ ସୂଚନା ଦେଇଛି । ସୂଚନା ମତେ, ଗତ ଶନିବାର ସକାଳୁ ଗୌଡଦେଇ ନିକଟରେ ଏକ ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିବା ନେଇ ବୌଦ୍ଧ ପୁଲିସ ଖବର ପାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ ଥିଲା ।
ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଲା ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ।
ବିଭିଷଣକୁ କାହ୍ନା ଓ ଶକୁନ୍ତଳା ହତ୍ୟାକରିଥିବା ନେଇ ଜାଣି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଲା ଯେ କାହ୍ନା ଓ ଶକୁନ୍ତଳା ମଧ୍ୟରେ ସଂପର୍କ ରହିଥିଲା । କାହ୍ନା ଶକୁ୍‌ନ୍ତଳାକୁ ଗୌଡଦେଇ ନିକଟରେ ଏକ ସରକାରୀ ଜାଗାରେ ଘରଟିଏ କରି ସେଠାରେ ରଖିଥିଲା । ଏହାରି ମଧ୍ୟରେ ବିଭୀଷଣ ଶକୁନ୍ତଳାକୁ ପ୍ରେମ ନିବେଦନ କରିଥିଲା ।
ଏହା କାହ୍ନା ଜାଣିବାରେ ପରେ ବିଭିଷଣକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଶୁକ୍ରବାର ରାତିରେ ବିଭିଷଣ ଶକୁନ୍ତଳା ଘରକୁ ଆସିଥିବା ବେଳେ ପୂର୍ବ ଯୋଜନା ମୁତାବକ କାହ୍ନା ଓ ଶକୁନ୍ତଳା ଠେଙ୍ଗା ଓ ଇଟାରେ ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ଶବକୁ ଏକ ଗନ୍ଥାରେ ଗୁଡାଇ ଘୋସାରି ଘୋସାରି ପ୍ରାୟ ଦୁଇଶହ ମିଟର ପର୍ଯ୍ୟନ୍ତ ନେଇ ନିକଟରେ ଥିବା ଏକ ସ୍ଥାନରେ ପକାଇ ଦେଇଥିଲେ ।
ଶବ ଘୋସାରି ନେବା ସମୟରେ ରାସ୍ତାରେ ପଡିଥିବା ରକ୍ତର ଛିଟାକୁ ଗୋବର ଘସି ସଫା କରିଦେଇଥିଲେ । ପୁଲିସ କାହ୍ନା ପ୍ରଧାନକୁ ନୂଆଁପାଲି ଗ୍ରାମରୁ ଓ ଶକୁନ୍ତଳା ବେହେରାକୁ ୫୭ ନମ୍ବର ଜାତୀୟ ରାଜପଥ ରଇଠାଣୀ ନିକଟରୁ ଗିରଫ କରିଥିଲା । ଇଟା ଓ ଠେଙ୍ଗାକୁ ମଧ୍ୟ ଜବତ କରିଛି । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀ ପ୍ରକାଶ କରିଛନ୍ତି ।
ବୌଦ୍ଧ ରାମଲୀଳା, ମଞ୍ଚସ୍ଥ ହେଲା ନାଟକ ବାଳି ବଧ
ବୌଦ୍ଧ,୨୫/୪: ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରା ମଙ୍ଗଳବାର ଆଜିର ନାଟକ ବାଳି ବଧ ମଞ୍ଚସ୍ଥ ହୋଇଛି । ଜଟାୟୁ ନିକଟରୁ ରାବଣ ଦ୍ୱାରା ସୀତାଙ୍କ ହରଣ ସୂଚନା ପାଇ ଶ୍ରୀରାମ ଓ ଲକ୍ଷ୍ମଣ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ସୂଚନା ଦେବାପରେ ଜଟାୟୁର ମୃତ୍ୟୁ ହୋଇଯିବା ପରେ ତାର ଅନ୍ତିମ ସଂସ୍କାର କରି ଶ୍ରୀରାମ ଓ ଲକ୍ଷ୍ମଣ ଘୋର ଜଙ୍ଗଲ ମଧ୍ୟରେ ସୀତାଙ୍କ ସନ୍ଧାନରେ ବାହାରି କିସ୍କିନ୍ଧ୍ୟା ରାଜ୍ୟରେ ପହଞ୍ଚିଛନ୍ତି । ସେଠାରେ ପ୍ରଥମଥର ପାଇଁ ଭଗବାନ ଶ୍ରୀରାମ ଓ ପରମ ଭକ୍ତ ହନୁମାନଙ୍କ ମଧ୍ୟରେ ସାକ୍ଷାତ ହୋଇଛି । କିସ୍କିନ୍ଧ୍ୟାର ରାଜା ବାଳି ଦ୍ୱାରା ବିତାଡିତ ହୋଇ ସାନ ଭାଇ ସୁଗ୍ରୀବ ହୁନୁମାନଙ୍କ ସମେତ ନିଜର ବିଶ୍ୱସ୍ତ ସହଯୋଗୀମାନଙ୍କୁ ନେଇ ଋଷ୍ୟମୁକ ପାହାଡରେ ଆଶ୍ରୟ ନେଇଛନ୍ତି । ଜଣେ ତପସ୍ୱୀଙ୍କ ଅଭିଶାପ ଯୋଗୁଁ ବାଳି ଋଷ୍ୟମୁକ ପାହାଡରେ ପ୍ରବେଶ କରିପାରୁନଥିବାରୁ ସୁଗ୍ରୀବ ସେଠାରେ ଆଶ୍ରୟ ନେଇଥିଲେ ।
ଶ୍ରୀରାମ ଓ ଲକ୍ଷ୍ମଣ ବନରେ ବୁଲିବୁଲି ଋଷ୍ୟମୁକ ପାହାଡ ନିକଟରେ ପହଞ୍ଚିବା ପରେ ସୁଗ୍ରୀବ ପ୍ରଥମେ ସେମାନଙ୍କୁ ଦୂରରୁ ଦେଖି ଭୟଭୀତ ହୋଇଯାଇଛନ୍ତି । ଶ୍ରୀରାମ ଓ ଲକ୍ଷ୍ମଣଙ୍କ ପରିଚୟ ଓ ଆସିବାର ଉଦ୍ଦେଶ୍ୟ ଜାଣିବା ପାଇଁ ସେ ହନୁମାନଙ୍କୁ ପ୍ରେରଣ କରିଛନ୍ତି ।
ଭକ୍ତ ହନୁମାନ ବ୍ରାହ୍ମଣ ବେଶରେ ଆସି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କିସ୍କିନ୍ଧ୍ୟା ଆଗମନର କାରଣ ଓ ସେମାନଙ୍କ ପରିଚୟ ପଚାରିଛନ୍ତି । ଶ୍ରୀରାମଙ୍କ ପରିଚୟ ପାଇବାପରେ ଭକ୍ତିରେ ଗଦଗଦ ହୋଇ ହନୁମାନ ନିଜକୁ ତାଙ୍କର ପାଦତଳେ ସମର୍ପି ଦେଇଛନ୍ତି । ଏକ ଭାବାବେଗ ପରିବେଶ ମଧ୍ୟରେ ଭକ୍ତ ଓ ଭଗବାନଙ୍କ ଭେଟ ହେବାପରେ ହନୁମାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ଋଷ୍ୟମୁକ ପର୍ବତକୁ ସୁଗ୍ରୀବଙ୍କ ନିକଟକୁ ନେଇ ଆସିଛନ୍ତି ।
ସୁଗ୍ରୀବଙ୍କ ନିକଟରୁ ଶ୍ରୀରାମ ଓ ଲକ୍ଷ୍ମଣ ବାଳି ଦ୍ୱାରା ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ସଂପର୍କରେ ଶୁଣିବାପରେ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି । ସୁଗ୍ରୀବ ମଧ୍ୟ ସୀତାଙ୍କୁ ଖୋଜିବାରେ ସହାୟତା କରିବାର ପ୍ରତିଶୃତି ଦେବା ସହିତ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ପ୍ରଗାଢ ହୋଇଛି ।
ସୁଗ୍ରୀବଙ୍କ ନିକଟରୁ ବାଳି ସଂପର୍କରେ ସମସ୍ତ ସୂଚନା ପାଇବା ପରେ ଶ୍ରୀରାମ ବାଳିକୁ କୌଶଳକ୍ରମେ ବଧ କରିଛନ୍ତି । ବାଳିର ମୃତ୍ୟୁ ପରେ ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାର ସିଂହାସନରେ ଅଭିଷିକ୍ତ କରାଇ ଶ୍ରୀରାମ ଓ ଲକ୍ଷ୍ମଣ ବନବାସୀ ଜୀବନ ବିତାଇବାକୁ ପୁଣିଥରେ ରୁଷ୍ୟମୁକ ପାହାଡକୁ ଫେରିଆସିଛନ୍ତି । ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଉକୃଷ୍ଟ ରଚନା ଓ ଭବାନୀଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଶ୍ରୀରାମଲୀଳା ନାଟ୍ୟ ସଂସଦର କଳାକାରମାନେ ନିଖୁଣ ଭାବରେ ପୌରାଣିକ କଥାବସ୍ତୁ ଅନୁଯାୟୀ ଚରିତ୍ର ଗୁଡିକୁ ପ୍ରଦର୍ଶନ କରିଥିଲେ ।

Related Posts

Seo wordpress plugin by www.seowizard.org.