Odisha News

ବୃଦ୍ଧ ଜେଜେ କାନ୍ଧରେ ଦୁଇ ଶିଶୁଙ୍କ ଭାଗ୍ୟ, ଆହାର କେନ୍ଦ୍ରରୁ ଉଦ୍ଧାର କଲା ପ୍ରଶାସନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୬: ମୁଣ୍ଡ ଊପରେ ଡହ ଡହ ଟାଣ ଖରା, ହାତରେ ବାଡି ଖାଲି ପାଦରେ ଜେଜେ ଓ ନାତି ପହଞ୍ଚିଥିଲେ ବୌଦ୍ଧ ଆହାର କେନ୍ଦ୍ରରେ । ଉଦ୍ଦେଶ୍ୟ ଥିଲା କିଛି ଖାଦ୍ୟ ମିଳିଗଲେ ଓଳିଏ ଚଳିଯିବେ । ଏହିଭଳି ଅବସ୍ଥାରେ ଜଣେ ୮୦ ବର୍ଷିୟ ବୃଦ୍ଧଙ୍କ ସହିତ ତାଙ୍କର ୮ ବର୍ଷର ନାତିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଆହାର କେନ୍ଦ୍ର ନିକଟରୁ ଉଦ୍ଧାର କରି ଆଶ୍ରୟ କେନ୍ଦ୍ରରେ ରଖାଯାଇଛି । ସୂଚନା ମୁତାବକ ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତର କମଳପୁର ଗ୍ରାମର ଦ୍ୱିତିୟା ମାଝିଙ୍କ ପୁଅ ଦୁଇବର୍ଷ ହେଲା ପାଗଳାମୀ କାରଣରୁ ବାହାରେ ବୁଲିବାପରେ ତାଙ୍କର ପତ୍ନୀ ଦୁଇ ଛୁଆଙ୍କୁ ଛାଡି ଘରଛାଡି କେଉଁଆଡେ ଚାଲିଯାଇଥିଲେ ।
ଫଳରେ ଦୁଇ ଶିଶୁ, ନାବାଳକ ନାତି ନାତୁଣିଙ୍କ ଦାୟିତ୍ୱ ବୃଦ୍ଧ ଜେଜେ ଙ୍କ ଉପରେ ପଡିଥିଲା । ବାପା ପାଗଳ ହୋଇ ବାହାରେ ବୁଲୁଥିବା ଏବଂ ମାଆ ଘରଛାଡି ଚାଲିଯିବାପରେ ଶିଶୁ କନ୍ୟାଟି ଆଈ ପାଖରେ ରହି ବିଦ୍ୟାଳୟରେ ପାଠ ପଢୁଥିବାବେଳେ ନାବାଳକ ନାତିକୁ ଧରି ୮୦ ବର୍ଷୀୟ ଦ୍ୱିତିୟା ବିଭିନ୍ନ ଲୋକଙ୍କ ନିକଟରୁ ମାଗିଯାଚି ତାକୁ ପ୍ରତିପୋଷଣ କରିଆସୁଛନ୍ତି ।
ଆହାର କେନ୍ଦ୍ର ନିକଟରେ ଉଭୟ ଜେଜେ ନାତିକୁ ଦେଖି କେନ୍ଦ୍ରର କର୍ମଚାରୀମାନେ ଏ ସଂପର୍କରେ ସୂଚନା ଦେବାପରେ ବୌଦ୍ଧ ଏନଏସି ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରି ଆଶ୍ରୟ କେନ୍ଦ୍ରରେ ରଖାଯାଇଥିଲା । ତେବେ ନାତିର ଭବିଷ୍ୟତ ସୂରକ୍ଷା ଓ ଥଇଥାନ ପାଇଁ ଜେଜେବାପା ଦ୍ୱିତିୟା ପ୍ରଶାସନ ନିକଟରେ ଗୁହାରି ଜଣାଇଛନ୍ତି ।
ବୌଦ୍ଧଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଖୋଲିଲା ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ
ବୌଦ୍ଧ,୭/୬ : ବୌଦ୍ଧ ଜିଲ୍ଲାର ସମସ୍ତ ୬୯ ଗୋଟି ଗ୍ରାମପଞ୍ଚାୟତର ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ ଆଜି ଆଭାସି ଜରିଆରେ ଉଦଘାଟିତ ହୋଇଯାଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ କହିଥିଲେ ଯେ ରାଜ୍ୟର ବିକାଶରେ ଶିକ୍ଷାର ପ୍ରମୁଖ ଭୂମିକା ରହିଛି ।
୯୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ଜିଲ୍ଲାରେ ଏହି ପାଠାଗାରାଗୁଡିକ ଶିକ୍ଷାର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବାସହ ଜିଲ୍ଲାର ବିକାଶରେ ସହାୟକ ହେବ । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତାରେ ପାଠାଗାର ସ୍ଥାପନ ନିଷ୍ପତିକୁ ସ୍ୱାଗତ କରିବା ସହିତ ଏହାଦ୍ୱାରା ଗ୍ରାମାଞ୍ଚଳର ଶିକ୍ଷା ପ୍ରେମୀ ଲୋକମାନେ ଉପକୃତ ହେବେ ଏବଂ ପାଠାଗାର ଗୁଡିକ ସୁପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଆଭାସୀ ଜରିଆରେ ସମସ୍ତ ୬୯ ଟି ଗ୍ରାମପଞ୍ଚାୟତର କର୍ମକର୍ତ୍ତା ଓ ଅଧିକାରୀ, ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗଦେଇ ପାଠଗାର ଖୋଲାଯିବା ନିଷ୍ପତିକୁ ସ୍ୱାଗତ କରିଥିଲେ । କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତର ସରପଞ୍ଚ ସୌଦାମିନୀ ମଲ୍ଲିକ,ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର ଓ ବୌଦ୍ଧ ବ୍ଲକ ବ୍ରାହ୍ମଣିପାଲି ପଞ୍ଚାୟତର ସରପଞ୍ଚ ଅରୁଣ ବାଘ ଏବଂ ଖୁଣ୍ଟବନ୍ଧ ପଞ୍ଚାୟତର ସରପଞ୍ଚ ଟୁନି ମହାନନ୍ଦିଆ ପ୍ରମୁଖ ଆଭାସୀ ଜରିଆରେ ପାଠାଗାର ଓ ଭିଡିଓ ସମ୍ମିଳନୀ କକ୍ଷ ସ୍ଥାପନ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହିତ ଏହି ପାଠାଗାର ଓ ସମ୍ମିଳନୀ କକ୍ଷର ସୁପରିଚାଳନା ନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଥିଲେଯେ ରାଜ୍ୟରେ ପ୍ରଥମ କରି ବୌଦ୍ଧଜିଲ୍ଲାର ସମସ୍ତ ପଞ୍ଚାୟତରେ ପାଠାଗାର ସ୍ଥାପନ କରାଯାଇଥିବାବେଳେ ପାଠାଗାର ମଧ୍ୟମରେ ଇ-ଲାଇବ୍ରେରୀ ଖୋଲାଯାଇ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ବୟସ୍କ ଲୋକଙ୍କ ପାଇଁ ଉପାଦେୟ ୮୦ ହଜାର ପୁସ୍ତକକୁ ଯୋଡାଯାଇଛି ।
ଏହାବ୍ୟତୀତ ପ୍ରତ୍ୟେକ ପାଠାଗାରକୁ ୫୦ ହଜାର ଟଙ୍କା ମୂଲ୍ୟର ବହି ଯୋଗାଇଦିଆଯାଇଛି । ଜନସାଧାରଣ ଏହି ପାଠାଗାରର ଉପଯୋଗ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାସହ ନିଜର ତଥା ଜିଲ୍ଲା ଓ ରାଜ୍ୟର ସାମଗ୍ରୀକ ବିକାଶରେ ସାମିଲ ହେବାକୁ ନିବେଦନ କରିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଡେପୁଟି କଲେକ୍ଟର ଝରଣା ପ୍ରଧାନ,ସତ୍ୟଜିତ ମହାପାତ୍ର,ଶାସ୍ୱତ ପ୍ରଧାନ,ହୃଷିକେଶ ତ୍ରିପାଠୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ଜିଲ୍ଲା ଜରୂରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନ, ବାଲ୍ୟବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ପୁଲିସ ପକ୍ଷରୁ ଚଢାଉ ଗଂଜେଇ ସହ ବାଇକ ଜବତ ୨ ଗିରଫ
ବୌଦ୍ଧ, ୭/୬ : ବୌଦ୍ଧ ପୁଲିସ ପକ୍ଷରୁ ଏକ ବାଇକ ଉପରେ ଚଢାଉ କରି ୨୦ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଥିବା ବେଳେ ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ଗ୍ରାମର ରଂଜନ ବାଘ(୩୪) ଓ ରାଧାନଗର ଗ୍ରାମର ସ୍ୱାଧିନ ଦେହୁରୀ(୨୫) ବୋଲି ଜଣାପଡିଛି ।
ସୂଚନା ମତେ, ଏକ ବାଇକରେ ଗୁରୁଜିମୁଣ୍ଡା ପଟୁ ବୌଦ୍ଧ ଆଡକୁ ଗଂଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ ବିଶେଷ ସୂତ୍ରରୁ ଖବର ଏକ ଟିମ ବଘିଆପଡା ଫରେଷ୍ଟ ଅଫିସ ନିକଟରେ ଉକ୍ତ ବାଇକ ଉପରେ ଚଢାଉ କରି ବାଇକରେ ଥିବା ଏକ ବସ୍ତାରୁ ୨୦ କେଜି ୫୦୦ ଗ୍ରାମ ଗଂଜେଇ ସହ ବାଇକକୁ ଜବତ କରିଥିବା ବେଳେ ରଂଜନ ଓ ସ୍ୱାଧିନକୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଦୁଇଟି ମୋବାଇଲକୁ ମଧ୍ୟ ଜବତ କରିଥିଲେ ।

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି
ବୌଦ୍ଧ,୭/୬: ବୌଦ୍ଧ ସହର ସ୍ଥିତ ବୁଟୁପାଲି ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ କରିବା ପାଇଁ ଆଜି ଜିଲ୍ଲାପାଳ ଙ୍କ ଠାରେ ବୁଟୁପାଲି ଠାରେ ଥିବା ଗଙ୍ଗାଧର ମେହେର ସ୍ଵେଚ୍ଛାସେବୀ ସମିତି ପକ୍ଷରୁ ଦାବି କରାଯାଇଛି। ସେମାନେ ଦାବି କରଛନ୍ତି ଯେ, ସ୍ବଭାବ କବି ଗଙ୍ଗାଧର ମେହେର ଏହି ସଂଗଠନ ଓ ମେହେର ସଂପ୍ରଦାୟର କୁଳଗୁରୁ ।
ବୁଟୁପାଲି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ତାଙ୍କ ପ୍ରତିମୂର୍ତିରେ ସମସ୍ତ ପର୍ବ ପାର୍ବଣରେ ପୂଜାର୍ଚ୍ଚନା କରୁଥିଲୁ । ଆମର ମୁଖ୍ୟ ପର୍ବ ନୂଆଖାଇ ଦିନ ନୂଆଖାଇ ପାଳନ ହେବା ପରେ ଛୋଟ ଛୁଆଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପ୍ରଥମେ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ପ୍ରଣାମ କରିଥାଉ ।
ତା\’ପରେ ବୟୋଜ୍ୟେଷ୍ଠଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରୁ। ପବିତ୍ର ରକ୍ଷା ବନ୍ଧନରେ ଝିଅ ଓ ମହିଳାମାନେ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ପରମ୍ପରା ରହିଛି। ଅନ୍ୟାନ୍ୟ ପାର୍ବଣ ମଧଧ୍ୟରେ ଦୀପାବଳୀ, ନୂଆବର୍ଷ, କାର୍ତ୍ତିକ ଚତୁର୍ଦ୍ଦଶୀରେ ମଧ୍ୟ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥାଉ। ଗତ ବର୍ଷ ଗଙ୍ଗାଧର ମେହେର ଜୟନ୍ତୀର କିଛି ଦିନ ପୂର୍ବରୁ ବୁଟୁପାଲି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ପ୍ରତିମୂର୍ତିକୁ ପ୍ରଶାସନ ପକ୍ଷରୁ ଏଠାରୁ ଅନ୍ୟତ୍ର ନିଆଯାଇଛି।
ରାସ୍ତା ପ୍ରଶସ୍ତିକରଣ କରାଯିବ ବୋଲି ଉଚ୍ଛେଦ ବେଳେ କୁହାଯାଇଥିଲା ।ବର୍ତ୍ତମାନ ଆମ କୁଳଗୁରୁଙ୍କ ପ୍ରତିମୂର୍ତି ନଥିବାରୁ ଆମେ ମୁରବି ଶୂନ୍ୟ ଅବସ୍ଥାରେ ରହିଛୁ ତେଣୁ ସେମାନଙ୍କ କୁଳଗୁରୁଙ୍କ ପ୍ରତିମୂର୍ତି ପୂର୍ବ ସ୍ଥାନରେ ପୁନଃ ସ୍ଥାପନ କରିବାକୁ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
ଯଦି ପୂର୍ବ ସ୍ଥାନରେ ସ୍ଥାପନ କରିବାରେ କୌଣସି ଅସୁବିଧା ଥାଏ, ତେବେ ହାତୀଶାଳ ଛକରେ ଅଥବା ରଇଠାଣୀ ବାଇପାସ ଛକରେ ସ୍ଥାପନ କରାଯାଉ । ବାଇପାସର ଅନ୍ୟପାର୍ଶ୍ବରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରହି ଛକର ନାମ ‘ବିଜୁ ପଟ୍ଟନାୟକ ଛକ’ କରାଯାଇଛି । ସେହିଭଳି ରଇଠାଣୀ ଛକରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଛକର ନାମ ‘ଗଙ୍ଗାଧର ମେହେର ଛକ କରିବାକୁ ଦାବି କରିଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ସଙ୍ଗଠନ ସଭାପତି ମିନୁ ପ୍ରସାଦ ମିଶ୍ର, ସମ୍ପାଦିକା ସଂଯୁକ୍ତା ମଲ୍ଲିକ , ଉପଦେଷ୍ଟା ରଘୁନାଥ ମେହେର, ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେର, ବିକାଶ ମେହେର,ନରସିଂହ ପାଲ, ରାମଚନ୍ଦ୍ର ମେହେର, ମଦନ ମୋହନ ପ୍ରଧାନ, ରମେଶ ପ୍ରଧାନ, ଜିତେନ୍ଦ୍ର ମେହେର, ସୁବୋଧ ପ୍ରଧାନ, ବିଭୂତି ମହାରଣା, କୃଷ୍ଣ ଚନ୍ଦ୍ର ମେହେର, ଅରୁଣ ମେହେର, ସନ୍ତୋଷ ମେହେର, ସନ୍ତୋସିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.