Odisha News

ବାହାର ରାଜ୍ୟରୁ ମେଡିସିନ କିଣିବା ମନା, କଟକଣା ଲଗାଇଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ

କଟକ,୧୫/୧୦: କଟକରେ ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ମିଳିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ କଠୋର ହୋଇଛି ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗ୍ ଆସୋସିଏସନ୍ । ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ।
ସି ଆଣ୍ଡ ଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ବାହାର ରାଜ୍ୟରୁ ଯେ କୌଣସି ଫାର୍ମରୁ ଯେକେହି ଔଷଧ କିଣିଲେ, ସେମାନଙ୍କୁ ସଂଘ ପକ୍ଷରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ଏନେଇ ଉତ୍କଳ କେମିଷ୍ଟ ଆସୋସିଏଶନର ଜେନେରାଲ ସେକ୍ରେଟାରୀ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ବାହାରୁ ମାଲ୍ ଆଣିବୁନି କି ବିକିବୁ ନାହିଁ। କେବଳ ଅନୁମୋଦନପ୍ରାପ୍ତ ଷ୍ଟକିଷ୍ଟ ଓ ସି ଆଣ୍ଡ ଏଫ ଦ୍ୱାରା କାରବାର ହେବ । ସେଥିରେ ପ୍ରାୟ ୯୫% ନକଲି ମେଡିସିନ ଚାଲାଣକୁ ରୋକା ଯାଇପାରିବ।
ଏଥିସହ ସେ କହିଛନ୍ତି, ରାଜ୍ୟ ବାହାରୁ ଭଲ ମେଡିସିନ ସାଙ୍ଗକୁ ନକଲି ବି ଆସୁଛି। ଏପରି କ୍ଷେତ୍ରରେ ଉତ୍ପାଦନକାରୀ-ସି ଆଣ୍ଡ ଏଫ -ଷ୍ଟକିଷ୍ଟ ଚ୍ୟାନେଲରେ ଆସୁଥିବା ମେଡିସିନ ଶତ ପ୍ରତିଶତ ଠିକ୍ । ତେଣୁ କେବଳ ଏହି ଚ୍ୟାନେଲରେ ଓଡ଼ିଶାରେ ମେଡିସିନ ବିକ୍ରି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଏଥିରେ ରାଜି ନ ହେବେ ଏନେଇ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଅବଗତ କରିବୁ । ସେମାନଙ୍କଠାରୁ କିଛି ବି ମାଲ୍ କିଣାବିକା ହେବନି।
ସୂଚନା ଥାଉକି, କିଛିଦିନ ତଳେ କଟକର ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ଜବତ ହୋଇଥିଲା। ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ ଗ୍ଲେନମାର୍କର ଟେଲମା ୪୦, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରୁଥିବା ଜଣା ପଡ଼ିଥିଲା। ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ଏହି ଘଟଣାରେ ଦୁଇ ଡିଷ୍ଟ୍ରିବ୍ୟୁଟର କଟକ ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସମ୍ପୃକ୍ତି ପଦାକୁ ଆସିଥିଲା। ଏହି ଦୁଇ ସଂସ୍ଥା ରାଜ୍ୟ ବାହାରୁ ନକଲି ଔଷଧ ଆଣି ଶହେରୁ ଅଧିକ ଦୋକାନ ଜରିଆରେ କାରବାର କରିଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା।
ପରେ ଓଡ଼ିଶା ଡ୍ରଗ କଣ୍ଟ୍ରେଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା ୩୦ ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରରୁ ଜବତ କରିଥିଲା। ଏହା ବ୍ୟତୀତ ଦୁଇଟି ପର‌୍ୟ୍ୟାୟରେ ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ମୋଟ ୪୦ ଲକ୍ଷ ଟଙ୍କାକୁ ଜବତ କରିଥିଲା ପୁଲିସ। ଏହାପରେ ଅଧିକ ତଦନ୍ତ ନିମନ୍ତେ ପୁରୀଘାଟ ଥାନା ପୁଲିସର ୪ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଥିଲା।

Related Posts

Seo wordpress plugin by www.seowizard.org.