Odisha News

ବାଲିଗୁଡା ଓ କ.ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ବହିଷ୍କୃତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୭/୪: ସାଧାରଣ ନିର୍ବାଚନ ପାଇଁ ଅନେକ ସ୍ଥାନରେ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବା ସହ ନିଜ ଦଳ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି ।
କନ୍ଧମାଳ ଜିଲାରେ କଂଗ୍ରେସ ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ଦଳ ଭିତରେ ରହି ଦଳ ବିରୋଧି କାର୍ଯ୍ୟ କରିବା ବିଷୟ ପଦାକୁ ଆସିଛି । ପଦବୀ ରହି ଦଳ ବିରୋଧି କାର୍ଯ୍ୟ କରୁଥିବାରୁ ଜିଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ ଓ କ.ନୂଆଗାଁ ବ୍ଲକ ସଭାପତି ଜିତେନ୍ଦ୍ର ଦିଗାଲଙ୍କୁ ପଦବୀରୁ ବହିଷ୍କୃତ କରିଛନ୍ତି। ପଦବୀରେ ଥାଇ ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ନିୟମ ଭଙ୍ଗ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।
ଏଥିସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେମାନଙ୍କ ବଦଳରେ ନୂତନ ବାଲିଗୁଡା ବ୍ଲକ ସଭାପତି ଭାବେ ଅଭିଷେକ ଦିଗାଲ ଓ କ.ନୂଆଗାଁ ବ୍ଲକ ସଭାପତି ଭାବେ ଶୁକଦେବ ଦିଗାଲଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିଭଳି ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ସୁରେଶ କୁମାର ପତିଙ୍କୁ ଦାୟିତ୍ଵ ଦିଆଯାଇଥିବା ବିଷୟ ଜିଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା ଏକ ପ୍ରେସ ବିବୃତିରେ ସୁଚନା ଦେଇଛନ୍ତି ।

ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ୩୦ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା
କନ୍ଧମାଳ, ୨୭/୪ : ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ବିଭିନ୍ନ ଗାଁରେ ସରକାରଙ୍କ ଯୋଜନା ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। କେଉଁଠି କାଗଜ ପତ୍ରର ତ୍ରୁଟି ତ କେଉଁଠି ଜାଣି ଶୁଣି ଭୁଲ ତଥ୍ୟ ଦ୍ୱାରା ଲୋକଙ୍କ ପାଖରେ ଯୋଜନା ପହଞ୍ଚି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ଜାମପଖାଳ ଗାଁରେ ୭୪ ବର୍ଷୀୟ ବୃଦ୍ଧ ସୁଦାବନ ପ୍ରଧାନଙ୍କ କ୍ଷେତ୍ରରେ ।
ସୁଦାବନ ଗତ ସେପ୍ଟେମ୍ବର ମାସ ୧୫/୯/୨୦୨୧ ତାରିଖରେ ଶେଷ ଥର ଭତ୍ତା ଟଙ୍କା ପାଇଥିଲେ ତାପରେ ଏବେ ପର୍ଯ୍ୟନ୍ତ ଦୀର୍ଘ ୩୦ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଭତ୍ତା ମିଳୁନଥିବା ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅସହାୟ ସୁଦାବନ ।

ବାଲିଗୁଡା ବିଧାନସଭା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ
ବାଲିଗୁଡା ,୨୭/୪: ପ୍ରଚଣ୍ଡ ରୌଦ୍ର ତାପ ସତ୍ବେ ମଧ୍ୟ ଶୁକ୍ରବାର ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ର ପ୍ରଥମ ଦିନରେ ହଜାର ହଜାର ସମର୍ଥକ ଙ୍କ ଗହଣରେ ବାଲିଗୁଡା ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ସକାଳ ୧୧ ଟା ରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଆମ୍ବ ବଗିଚା ଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ, ବସଷ୍ଟାଣ୍ଡ ,ମୁଖ୍ୟ ବଜାର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।
ସେଠାରେ ପହଞ୍ଚି ଉପ ଜିଲ୍ଲାପାଳ ତଥା ସ୍ଥାନୀୟ ନିର୍ବାଚନ ଅଧିକାରୀ ରିନା ପ୍ରଧାନ ଙ୍କ ନିକଟରେ ୩ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ପ୍ରାର୍ଥୀ ପତ୍ର ଦାଖଲ ସମୟରେ କନ୍ଧମାଳ ଲୋକସଭା ପ୍ରାର୍ଥୀ ଅମିର ଚାନ୍ଦ ନାୟକ , ପୂର୍ବତନ ଜିଲ୍ଲା ସଭାପତି ଅନାମ ଚରଣ ନାୟକ, କୋଟଗଡ ଜିଲ୍ଲା ପରିଷଦ ସଦସ୍ୟ ଜିରିମୟ ସୁନା ମାଝି , ବ୍ଲକ ଅଧକ୍ଷ ପିଙ୍କି କହଁର, ,ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର‌୍ୟ୍ୟ ,ସୀତାରାମ ପଣ୍ଡା, ରାମକୃଷ୍ଟ ପାଢୀ , ମନୋଜ ଆଚାର‌୍ୟ୍ୟ ,ପ୍ରଫୁଲ ଦାସ, ହୀରାସିଂ ମଣ୍ଡଳ ,ଏନଏସି ସଭାପତି ସ୍ୱପ୍ନେଶ୍ଵର ସାହୁ , ବ୍ଲକ ସଭାପତି, ସରୋଜ ବେହେରା ମାଝି, ଜିତେନ୍ଦ୍ର ଦିଗାଲ, ଗିରୀଶ ପରାସେଠ , ଆକାଶ ପ୍ରଧାନ,ଜିଲ୍ଲା ଉପ ସଭାପତି ମାର୍ଥିନ ବଳିୟାରସିଂ, ଯୁବ କଂଗ୍ରେସ ର ରୋମ୍ୟଜିତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।
୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ରାଜ୍ୟ ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏପ୍ରିଲ ୨୬ ରୁ ମେ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମେ ୪ରେ ଯାଞ୍ଚ , ମେ ୬ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ସମୟ ସୀମା ରହିଛି । ମେ ୨୦ ରେ ଭୋଟ ଗ୍ରହଣ ହେବ ।
ବାଇକ ଚୋରୀ ରାକେଟ ର ପର୍ଦାଫାଶ :୬ ଗିରଫ :୬ ବାଇକ ଜବତ
ବାଲିଗୁଡା,୨୭/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଧିନରେ ଥିବା ସାରଙ୍ଗଗଡ଼ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା।
ଚଳିତ ମାସ ୨୧ ତାରିଖ ଦିନ ଗୁଞ୍ଜିବାଡି ଠାରେ ହୋଇଥିବା ଏକ ମଟର ସାଇକେଲ ଚୋରି ଘଟଣାର ଅନୁସନ୍ଧାନ କରିବା ପରେ ଏକ ରାକେଟ ଠାବ ହୋଇଛି।
ପୋଲିସ ତଦନ୍ତ ବେଳେ ଗୁଞ୍ଜିବାଡିର କରମେନ୍ଦ୍ର ଦିଗାଲର ପୁଅ ମୁକେଶ ଦିଗାଲକୁ (୨୦) ଗିରଫ କରି ପଚରା ଉଚୁରା ପରେ ସିମନ ବାଡିର ପେରିତ ଦିଗାଲର ପୁଅ ଚିକୁନା ଦିଗାଲ ଓରଫ ଆବ୍ରାହ୍ମ (୧୯), ବିଶ୍ବାମିତ୍ର ପ୍ରଧାନର ପୁଅ ଅଲେଖ ପ୍ରଧାନ ଓରଫ ଆଲେଶ (୧୯), ଓଡ଼ଗାଁ ଥାନାର ପାଣ୍ଡବ ବେହେରାର ପୁଅ ସୁରେନ୍ଦ୍ର ବେହେରା (୩୦), ବାଲିଗୁଡା ଥାନା ତଗାକିଆ ଉଦେଶନା ଗୌଡର ପୁଅ ଗୌର ଗୌଡ(୨୦) ଓ ନୂଆସାହିର ଦେବରାଜ ବାଗର ପୁଅ ସୁଧାଂଶୁ ବାଗ (୨୪) ଏହି ଛଅ ଜଣକୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଓଡି ୧୮ବି ୬୯୧୧,ଓଡି ୩୩ଜି ୯୦୯୧,ଓଡି ୩୨ବି ୪୦୩୪,ଓଡି ୧୨ଡି ୨୮୮୬,ଓଡି ୦୫ ବିଏ ୦୯୭୪ ଓ ଓଡି ୧୨ଏ ୨୧୭୬ ହିରୋହୁଣ୍ଡା ସ୍ଟେଣ୍ଡର, ହୁଣ୍ଡା, ଡିଲକ୍ସ ଓ ଆପାଚି ଭଳି ୬ଟି ମଟର ସାଇକେଲ ଜବତ କରିଛି।
ଏନେଇ ସାରଙ୍ଗଗଡ଼ ଥାନାରେ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହି ରାକେଟ ଠାବ ହୋଇ ଥିବାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ସାରଙ୍ଗଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଥାନା କେସ ନଂ ୪୪/୨୪ ଧାରା ୩୭୯, ୩୪ ରେ ଏକ ମାମଲା ଋଜୁ କରି ଏସଆଇ କୃଷ୍ଣ ଚନ୍ଦ୍ର ବେହେରା ଅଧିକ ତଦନ୍ତ କରୁଥିବା ବିଷୟ ପ୍ରକାଶ କରିଛନ୍ତି।
ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ୩ ଜଣ ଶିକାରୀ ଗିରଫ : ବହୁ ସାମଗ୍ରୀ ଜବତ
ବାଲିଗୁଡା, ୨୭/୪: ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁ ପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି। ଶିକାରୀଙ୍କଠାରୁ ବନକର୍ମଚାରୀ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ୨ଟି ମୋବାଇଲ ଫୋନ, ଟର୍ଚ୍ଚ ଲାଇଟ୍, ଦିଆସିଲି ଏବଂ ବାଟଲି ଖଡା ଆଦି ଜବତ କରିଛନ୍ତି।
ଶିକାରୀଙ୍କୁ ସିମନବାଡି ବନ କାର୍ଯ୍ୟାଳୟକୁ ଆଣି ପଚରାଉଚରା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲା ବାଲିଗୁଡା ଥାନା ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ମୋହିତ ପ୍ରଧାନ, ରାଜେଶ ପ୍ରଧାନ ଏବଂ ଅକ୍ଷୟ ପ୍ରଧାନ ବୋଲି ବାଲିଗୁଡା ବନ ଉପଖଣ୍ଡ ବନ୍ୟଜନ୍ତୁ ସମ୍ପଦର ଦାୟିତ୍ୱରେ ଥିବା ଏସ୍ସିଏଫ ପ୍ରଫୁଲ କୁମାର ମଲିକ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଗିରଫ ୩ଜଣ ବନ୍ୟଜନ୍ତୁ ଶିକାର କରିବା ପାଇଁ ପ୍ରଥମେ ଜଙ୍ଗଲରେ ନିଆଁ ଲଗାଉଥିଲେ।
ପରେ ବନ୍ୟଜନ୍ତୁ ପ୍ରାଣ ଭୟରେ ପଦାକୁ ବାହାରିଲେ କିମ୍ବା ପାଣି ପାଇଁ ନାଳକୁ ଗଲେ ତାଙ୍କୁ ବନ୍ଧୁକରେ ଗୁଳି କରି ଶିକାର କରୁଥିଲେ। ଏହି ୩ ଅଭିଯୁକ୍ତଙ୍କ ବ୍ୟତୀତ ଆହୁରି କେତେଜଣ ଏଥିରେ ସମ୍ପୃକ୍ତି ଥାଇପାରନ୍ତି।
ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ସିଏଫ ପ୍ରଫୁଲ କୁମାର ମଲିକ ଏବଂ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ତଥା ବାଲିଗୁଡା ଏସ୍ସିଏଫ ସତୀଶ କୁମାର ଧାରୁଆ ପ୍ରକାଶ କରିଛନ୍ତି।

Related Posts

Seo wordpress plugin by www.seowizard.org.