Odisha News

ବଣାଇରେ ମର୍ମନ୍ତୁଦ ଦୁର୍ଘଟଣା, ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ, ଡ୍ରାଇଭର ମୃତ

ସୁନ୍ଦରଗଡ଼,୨୨/୪ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜକେଇକଳା ଗାଁ ମୁଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଗାଡ଼ିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ ବୋଲି ଜଣାଯାଇଛି।
ମୁରଲୀ ଏକ ବୋଲେରୋରେ ବଣେଇ ଚୈତ୍ର ମେଳା ଦେଖିବାକୁ ଯାଇଥିଲେ। ସେଠାରୁ ସେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁ ଥିଲେ। ମାତ୍ର ଗାଡିଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛରେ ପିଟି ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଫଳରେ ମୁରଲୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ।
ଲୋକେ ତୁରନ୍ତ ପହଞ୍ଚି ଚାପି ହୋଇଥିବା ବାହାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କ’ଣ ପାଇଁ ଏପରି ଦୁର୍ଘଟଣା ଘଟିଲା ପୁଲିସ୍ ତାହାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.