Odisha News

ଗଜପତି: ମହାନ୍ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳନ ଅବସରରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୪:ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ମାର୍ଟ ରୁମ ଠାରେ ଆଜି ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ଓ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମହାନ୍ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳନ ସମେତ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଡ଼.ଅଜୟ କୁମାର ତ୍ରିପାଠୀ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଗବେଷଣାତ୍ମକ ମନୋବୃତ୍ତିର ଅଭିବୃଦ୍ଧି କରିବା , ନିଜକୁ ନିଜେ ଚିହ୍ନିବା ସହ ଆମ ପରମ୍ପରା ଓ ଅତୀତକୁ ଜାଣିବା ଏବଂ ଆମ ଅତୀତରେ ଯେଉଁ ପୁରୁଷ ଓ ପୁରୁଷୋତ୍ତମ ମାନେ ରହିଛନ୍ତି , ସେମାନଙ୍କୁ ଚିହ୍ନିବାକୁ ହେବ ବୋଲି କହିଥିଲେ ।
ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହାନ୍ କବି ଶ୍ରୀ ଜୟଦେବ ଓଡ଼ିଆ ଭାଷା ସାହିତ୍ୟ ତଥା ସମ୍ପୁର୍ଣ୍ଣ ଭାଷା ସାହିତ୍ୟର ଜଣେ ଅନନ୍ୟ ପ୍ରତିଭାଧାରୀ ବ୍ୟକ୍ତିତ୍ଵ ଥିଲେ।
କବି ଶ୍ରୀ ଜୟଦେବଙ୍କ ଗୀତ-ଗୋବିନ୍ଦ ଲେଖା ଉପରେ ହିଁ ଓଡ଼ିଶୀ ନୃତ୍ୟ ଓ ସାହିତ୍ୟର ସୃଷ୍ଟି ହୋଇଛି ବୋଲି କହି ଜଗନ୍ନାଥ ସଂସ୍କୃତିର ସେ ଜଣେ ମହାନ୍ ବ୍ୟକ୍ତି ଥିଲେ ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ-ସଚିବ ଡଃ କୁଳମଣି ଓଝା ଯୋଗଦେଇ ଜୟଦେବଙ୍କ ଜୀବନୀ , ତାଙ୍କର ସାରସ୍ବତ କୃତି ଓ ଗୀତ ଗୋବିନ୍ଦରେ ରହିଥିବା ମାହାତ୍ମ୍ୟ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ ।
ଜୟଦେବଙ୍କ ସାହିତ୍ୟିକ ଜୀବନ ର ଇତିହାସ ବିଷୟରେ ଆଧିକରୁ ଅଧିକ ଗବେଷଣା କରି ବର୍ତ୍ତମାନର ଯୁବ ପିଢ଼ି ମାନଙ୍କୁ ସଚେତନତା ଓ ପ୍ରସାର କରିବା ଦାୟିତ୍ୱର ଆବଶ୍ୟକତା ଓ ଉପଯୋଗିତା ରହିଛି ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଯୋଗଦେଇ ଜୟଦେବଙ୍କ ଓଡ଼ିଆ କବି ଓ ତାଙ୍କର ଅମର କୃତି ଗୀତ ଗୋବିନ୍ଦ ସଂପର୍କରେ ଅଲୋକ ପାତ କରି ଶ୍ରୀ ଜଗନ୍ନାଥଙ୍କ ଐଶରିକ ପ୍ରେମଲୀଳା , ଶ୍ରୀରାଧା ଓ ଗୋପୀ ମାନଙ୍କ ଜୀବନୀକୁ ନେଇ ମୁଖ୍ୟତଃ ଗୀତ ଗୋବିନ୍ଦ ପରିବେଷିତ ବୋଲି କହିଥିଲେ ।
ସେହିପରି ଉକ୍ତ ଆଲୋଚନାରେ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରିୟା ପ୍ରଧାନ ଓ ରଶ୍ମିତା ପ୍ରମାଣିକ ପ୍ରମୁଖ କବି ଜୟଦେବଙ୍କ ଉପରେ ଏକ ଭିତ୍ତି-ପ୍ରବନ୍ଧ ଉପସ୍ଥାପନା କରିଥିଲେ ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଅଧ୍ୟାପକ ଶ୍ରୀ ସୌଦାଗର ସିଅ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ବିଭାଗୀୟ ମୁଖ୍ୟ ଡ଼.ଚନ୍ଦ୍ର ଶେଖର ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଅତିଥି ଅଧ୍ୟାପକ ଶ୍ରୀ ଅର୍ଜୁନ ଜେନା ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ , ବରିଷ୍ଠ ନାଗରିକ , ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅବସରରେ କବି ଶ୍ରୀ ଜୟଦେବଙ୍କ ଉପରେ ଭିତ୍ତି ପ୍ରବନ୍ଧ ପାଠ କରିଥିବା ପ୍ରିୟା ପ୍ରଧାନ , ରଶ୍ମିତା ପ୍ରମାଣିକ ଓ ସୌଦାଗର ସିଅଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ବଣ୍ଟନ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.