ହାତୀ ଆକ୍ରମଣରେ ଯୁବକ ମୃତ,୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨/୧ : ଖୋର୍ଦ୍ଧା ଅଞ୍ଚଳରେ ହାତୀ ମଣିଷ ଲଢେ଼ଇରେ କେତେବେଳେ ହାତୀର ଜୀବନ ଯାଉଛି ପୁଣି ହାତୀ ଆକ୍ରମଣରେ ଜୀବନ ଯାଉଛି ମଣିଷର। ଆଜି ବେଗୁନିଆ ବ୍ଲକ୍ ବାଘମାରି ନିକଟ ଭୁଆସୁଣୀ ପାଟଣା ଗ୍ରାମର ଜଣେ ଯୁବକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
ମୃତ ଯୁବକ ଜଣକ ସେହି ଗ୍ରାମର ପ୍ରିୟବ୍ରତ ପରିଡ଼ା ଓରଫ ପିକୁ,ପିତା-ରମେଶ ପରିଡ଼ା ବୋଲି ଜଣାପଡିଛି। ପିକୁ ସକାଳୁ ନିକଟ ପଡିଆକୁ ନିତ୍ୟକ୍ରମ ସାରିବାକୁ ଯାଇଥିବା ବେଳେ ଘନ କୁହୁଡି ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା।
ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଛି। ଏହି ଘଟଣା ପାଇଁ ବନ ବିଭାଗକୁ ଦୋଷ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ବାଘମାରି ଅଞ୍ଚଳରେ ୨୦ ଟି ହାତୀପଲ ରହି ରାତିରେ ଧାନ ଫସଲ ନଷ୍ଟ କରୁଥିବା ବେଳେ, ଘରଦ୍ୱାର ଭାଙ୍ଗୁଛନ୍ତି। ଭୟରେ ଜୀବନ ବିତାଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
ଅନ୍ୟପଟେ ଖବର ପାଇ ବନ ବିଭାଗ ଘଟଣାସ୍ଥଳକୁ ଯାଇଥିବା ବେଳେ ସ୍ଥାନୀୟ ଉତ୍ୟକ୍ତ ଲୋକ ବନ ବିଭାଗକୁ ଘେରି ହୋହାଲ୍ଲା କରୁଥିବା ବେଳେ ବାଘମାରି ପୁଲିସ ପହଁଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି। ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସି ।
ବେଗୁନିଆ ଅଞ୍ଚଳରେ ବାରମ୍ବାର ଏମିତି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏହାଦ୍ବାରା ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ଯୋଗୁଁ ଲୋକ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନ ବିଭାଗ ଏହା ଦୃଷ୍ଟି ଦେଇ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହ ଏ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ଓ ଅଞ୍ଚଳବାସି।




