ଲକ୍ଷ ଲକ୍ଷଟଙ୍କା ଠକେଇ ମାମଲାରେ ପୋଷ୍ଟ ମାଷ୍ଟର ଗିରଫ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୪/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ବୁଧବାର ପୋଲିସ ହାବୁଡ଼ରେ ପଡ଼ି କୋର୍ଟ ଚାଲାଣ ହୋଇଛି। ପୋଲିସ ସୂଚନା ଅନୁସାରେ ଉକ୍ତ ପୋଷ୍ଟ ଅଫିସରେ ୨୦୨୧ ମସିହା ଠାରୁ ଅଭିଯୁକ୍ତ ରମେଶ ବିପିଏମ ଭାବେ କାର୍ଯ୍ୟରତ ଥିଲେ। ହେଲେ ସେ ବାଲିଗୁଡ଼ା ଭଗାମୁଣ୍ଡା ଠାରେ ରହି ସାଇନ୍ ପଡା କାର୍ଯ୍ୟ ସୁଳକୁ ଯିବା ଆସିବା କରୁଥିଲେ।
ଅଭିଯୋଗ ପ୍ରକାରେ ଗ୍ରାମାଞ୍ଚଳର ଲୋକଙ୍କ ବିଶ୍ବାସ ଭାଜନ ହେବା ପରେ ସୁକନ୍ୟା ଯୋଜନା, ଆରଡ଼ି ସହ ବିଭିନ୍ନ ଯୋଜନାରେ ପୋଷ୍ଟ ଅଫିସରେ ବାନ୍ଧିବା ପାଇଁ ଟଙ୍କା ଆଦାୟ କରି ଆତ୍ମସାତ କରି ଥିରବା ଜଣା ପଡିଛି।
ଚୋର ଘର ସବୁବେଳେ ଅନ୍ଧାର ନଥାଏ ଭଳି ଲୋକେ ଠକେଇର ଶିକାର ହୋଇ ଥିଧବା ପ୍ରଘଟ ପରେ ଅଭିଯୁକ୍ତ ପୋଷ୍ଟ ମାଷ୍ଟର ଛୁଟି ନେଇ ଫେରାର ହୋଇଯାଇଥିଲେ।
ଏନେଇ ଗତ ସେପ୍ଟେମ୍ବର ୩୦ ତାରିଖରେ ସାଇନ୍ ପଡାର କଳ୍ପନା ମଲ୍ଲିକ, ରୁକ୍ମିଣୀ ବେହେରା, ପ୍ରାଣକୃଷ୍ଣ ମହାପାତ୍ର କ.ନୂଆଗାଁ ଥାନାର ଦ୍ବାରସ୍ଥ ହୋଇଥିଲେ।
ଏହା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖି ମଙ୍ଗଳ ବାର ଦିନ ବ୍ରହ୍ମପୁରର ପାର୍କ ସାହିରୁ ଅଭିଯୁକ୍ତ ରମେଶ ସାହୁ (୩୨) କୁ ଗିରଫ କରି ଥାନା କେସ ନଂ ୧୪୮/୨୫ରେ ଏକ ମକଦ୍ଦମା ଋଜୁ କରି ୪୦୬/୪୨୦ ଧାରାରେ ବୁଧବାର କୋର୍ଟକୁ ପଠାଇ ଥୂବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି।
ହେଲେ ଗରିବ ଲୋକଙ୍କ ଟଙ୍କା କିପରି ଫେରସ୍ତ ପାଇବେ ସେ ନେଇ ଗ୍ରାହକ ମାନେ ଚିନ୍ତିତ ଥୂବା ବେଳେ ସରକାର କିଛି ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।
ପୋଲିସ ଓ ଛୋଟଛୁଆଙ୍କ ବନ୍ଧୁତା :ଛୋଟ ପିଲାଙ୍କ ଖେଳନା ଗୃହକୁ ଉଦଘାଟନ କଲେ ଏସପି
ବାଲିଗୁଡା,୪/୧୨ : ବାଲିଗୁଡା ଥାନା ପରିସରରେ ଛୋଟ ପିଲା ବା ଛୋଟ ଛାତ୍ରଛାତ୍ରୀଙ୍କ ଖେଳନା ଗୃହକୁ ଉଦଘାଟନ କରିଛନ୍ତି ଏସପି ହରିଶ ବିଶି । ଏହି ଖେଳନା ଗୃହରେ ଛୋଟ ପିଲାଙ୍କ ବିଭିନ୍ନ ରକମର ଖେଳନା ରହିଛି ।
ଖେଳନା ସାଙ୍ଗକୁ ବିଭିନ୍ନ ପ୍ରକାରର ବହି ରହିଛି । ଆଜି ଛୋଟଛୋଟ ଛାତ୍ରଛାତ୍ରୀ ମାନେ ଏହି ଉଦଘାଟନି ଉତ୍ସବରେ ସାମିଲ ଥିଲେ । ଡିଏସପି ରାମେନ୍ଦ୍ର ପ୍ରସାଦ,ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ଉପସ୍ଥିତ ଥିଲେ ।
ବାଲିଗୁଡା ଆଇଆଇସି ସମ୍ବିତ ସ୍ୱାଇଁ ସମସସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ସବୁପିଲା ମାନେ ଏଠିଆସି ଖେଳିପାରିବେ ବୋଲି ପୋଲିସ ତରଫରୁ କୁହାଯାଇଛି ।
ବାଲିଗୁଡ଼ା ଏନ୍ଏସି ପକ୍ଷରୁ ପୁଣି ଜୋର ଧରିଲା ଡ୍ରେନ ଉପରେ ଜବରଦଖଲ ଉଚ୍ଛେଦ ଅଭିଯାନ
ବାଲିଗୁଡା, ୪/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ପୁଣି ଜୋର ଧରିଲା ଜବରଦଖଲ ଉଚ୍ଛେଦ ଅଭିଯାନ । ସହରରେ ଟ୍ରାଫିକ୍ ସମସ୍ୟାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ଉଠା ବ୍ୟବସାୟୀ ବିଭିନ୍ନ ପସରା ପକାଇ ବ୍ୟବସାୟ କରୁଛନ୍ତି । ବାରମ୍ବାର ଉଚ୍ଛେଦ କରି ଉଠା ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ କୁ ସ୍ଥାନାନ୍ତର କରିଥିଲେ ସୁଦ୍ଧା ସେଠାରୁ ଆସି ପୁଣି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିବା କହିଛନ୍ତି ବାଲିଗୁଡ଼ା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ।
ସେପଟେ ପେଟ ପୋଷିବା ପାଇଁ ଆମେ ଛୋଟ ଛୋଟ ବ୍ୟବସାୟ କରୁଛୁ । ପ୍ରଶାସନ ପକ୍ଷରୁ ଦେଇଥିବା ଭେଣ୍ଡିଂ ଜୋନରେ କୌଣସି ସୁବିଧା ନଥିବାରୁ ସେଠାରେ ବ୍ୟବସାୟ ହେଉନାହିଁ ।
ଏଣୁ ଆମେ ବାଧ୍ୟ ହୋଇ ପେଟ ପାଟଣା ପାଇଁ ରାସ୍ତା କଡ଼ରେ ବ୍ୟବସାୟ କରୁଛୁ । ଆମକୁ ପ୍ରଶାସନ ଅଣଦେଖା କରିବା ସହ ମଙ୍ଗଳବାର ଜୋର ଜବରଦସ୍ତ ଆମ ପନିପରିବାକୁ ଏନ ଏ ସି ଗାଡ଼ିରେ ନେବା ସହ ରାସ୍ତାରେ ଫୋପାଡ଼ି ଆମକୁ ଉଚ୍ଛେଦ କରିଛନ୍ତି ।
ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ଉଠା ଦୋକାନୀ ବ୍ୟବସାୟୀ । ଏଇ ଘଟଣାକୁ ନେଇ ବାଲିଗୁଡ଼ା ପୋଷ୍ଟ ଅଫିସ୍ ଛକରେ କିଛି ସମୟ ହାଇ ଡ୍ରାମା ଚାଲିଥିଲା ଏବଂ ଉତ୍ୟକ୍ତ ଉଠା ବ୍ୟବସାୟୀ ରାସ୍ତାରୋକ କରିଥିଲେ ।
ଖବର ପାଇ ପରେ ବାଲିଗୁଡ଼ା ଏସଡିପିଓ ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।




