ଭାପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏସ୍ପିଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪ା୧୨: ନୟାଗଡ଼ ଜିଲ୍ଲା ଭାପୁର ସାମ୍ବାଦିକ ପ୍ରଭାତ କୁମାର ବରାଡ଼ଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନୀରବତା ଓ ପକ୍ଷପାତିତାକୁ ନେଇ ଆଜି ଦ୍ୱିତୀୟ ସାମ୍ବାଦିକମାନେ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏସ୍ପି ଏସ୍ ସୁଶ୍ରୀ ସାମ୍ବାଦିକମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ । ସାମ୍ବାଦିକଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ଅନୀଲ କୁମାର ପଣ୍ଡା, ନବକିଶୋର ମିଶ୍ର, ରାମକୃଷ୍ଣ ରଥ, ଶୁଭେନ୍ଦ୍ର କୁମାର ପଟ୍ଟନାୟକ, ଜୟେନ୍ଦ୍ର ବେହେରା, ଗୀତିକାନ୍ତ ପଣ୍ଡା ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଏସ୍ପି ସମସ୍ତ ବିଷୟ ଶୁଣିବା ପରେ ଫତେଗଡ଼ ଥାନା ଅଧିକାରୀଙ୍କୁ ଅଭିଯୁକ୍ତକୁ ଥାନାକୁ ଡାକି ଏହି ମାମଲା ଉପରେ ଆଲୋଚନା କରିବାକୁ ପରାମର୍ଶ କରିଥିଲେ । ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଯାହାକୁ ନେଇ ସାମ୍ବାଦିକମାନେ ଆନ୍ଦୋଳନ ପତ୍ୟାହୃତ କରିଥିଲେ ।
ସଂନ୍ଧ୍ୟାରେ ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ବେହେରାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଘଟଣାର ସମାଧାନ ହୋଇଥିବା ସୂଚନା ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ, ଗତ ୨୦ ତାରିଖ ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଜନିତ ଖବର ସଂଗ୍ରହ ସମୟରେ ଭାପୁର ବ୍ଲକ ବିଜିପୁରଠାରେ ନିକଟସ୍ଥ ଲହଙ୍ଗାପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ନାୟକ ସାମ୍ବାଦିକ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣ ଘଟଣାକୁ ନେଇ ପ୍ରଭାତ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଚୁପ ବସିଛି । ଜାଣିଶୁଣି ଅଭିଯୁକ୍ତ ବିରୁଦ୍ଧରେ କୋହଳ ଦଫା ଲଗା ଯାଇଥିଲା ।
ଏହା ସହିତ ଅଭିଯୁକ୍ତ ଏତଲା ଆଧାରରେ ସାମ୍ବାଦିକଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା ।




