Odisha News

ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଗିରଫ; ଠାବ ହୋଇଛି ପୁଳା ପୁଳା ସଂପତ୍ତି

ବାଲେଶ୍ବର/ଭଦ୍ରକ,୨୩/୬: ଗିରଫ ହେଲେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍ଡବ୍ଲୁଓ) ଜୟନ୍ତୀ ବେହେରା।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍ଡବ୍ଲୁଓ) ଜୟନ୍ତୀ ବେହେରାଙ୍କ ଘରେ ଗତକାଲି ଚଢ଼ାଉ କରିବା ପରେ ଆଜି ଗିରଫ କରିଛି ଭିଜିଲାନ୍ସ। ଚଢ଼ାଉ ପରେ ଶ୍ରୀମତୀ ବେହେରାଙ୍କ ଏକାଧିକ କୋଠା ଓ ଫ୍ଲାଟ୍ ଠାବ ହୋଇଛି। ଶ୍ରୀମତୀ ବେହେରାଙ୍କ ସମ୍ପତ୍ତି ୩ କୋଟି ୪୧ ଲକ୍ଷ ୬୮ ହଜାର ବୋଲି ଭିଜିଲାନ୍ସ ଆକଳନ କରିଛି।
ସୂଚନା ଅନୁସାରେ, ଗୁରୁବାର ସକାଳେ ଶ୍ରୀମତୀ ବେହେରାଙ୍କ ବାଲେଶ୍ବରସ୍ଥିତ ବାସଭବନ ସମେତ ଭଦ୍ରକ ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଶ୍ରୀମତୀ ବେହେରାଙ୍କର ବାଲେଶ୍ବର ସହଦେବଖୁଣ୍ଟା ଫିରିଙ୍ଗିପାଟଣାଠାରେ ଥିବା ୩ ମହଲା କୋଠା, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନିଠାରେ ଥିବା ତିନିମହଲା କୋଠା, ଜାନୁଗଞ୍ଜ ସିଦ୍ଧେଶ୍ୱରପୁରଠାରେ ନିର୍ମାଣାଧୀନ ୨ ମହଲା କୋଠା, ବାଲେଶ୍ବର ଡିଆରଡିଏ କାର୍ଯ୍ୟାଳୟରେ କଲ୍ ସେଣ୍ଟର ଏକ୍ଜିକ୍ୟୁଟିଭ୍ ଚାକିରି କରୁଥିବା ପୁଅ ରୋହିତ କୁମାର ମଣ୍ଡଳଙ୍କ ଅଫିସ୍ ପ୍ରକୋଷ୍ଠ, ସୁନହଟରେ ଥିବା ସମ୍ପର୍କୀୟଙ୍କ ଘର, ଚିଡ଼ିଆପୋଲସ୍ଥିତ ତାଙ୍କ ସହଯୋଗୀଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର, ଭଦ୍ରକସ୍ଥିତ ଭଡ଼ାଘର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ୍ ପ୍ରକୋଷ୍ଠ, ଭୁବନେଶ୍ୱର ଗୌତମନଗରସ୍ଥିତ ରୟାଲ୍ ରେସିଡେନ୍ସି ଆପାର୍ଟମେଣ୍ଟରେ ଥିବା ୩ ବିଏଚ୍କେ ଫ୍ଲାଟ୍, ଭୁବନେଶ୍ୱର ଓଲଡ୍ ଟାଉନ୍ସ୍ଥିତ ଷ୍ଟଲୱାର୍ଟ ଆପାର୍ଟମେଣ୍ଟରେ ୩ ବିଏଚ୍କେ ଫ୍ଲାଟ୍, ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍।
ଚଢ଼ାଉ ସମୟରେ ବାଲେଶ୍ୱରରେ ତାଙ୍କର ୨ଟି ତିନିମହଲା କୋଠା, ଭୁବନେଶ୍ୱରରେ ୨ଟି ଫ୍ଲାଟ୍, ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ମିଶି ମୋଟ୍ ୧ କୋଟି ୬୧ ଲକ୍ଷ ଜବତ କରାଯାଇଛି।
ଏଥିସହିତ ଗୋଟିଏ କାର୍, ୨ଟି ବାଇକ୍, ୨ କେଜିରୁ ଊର୍ଦ୍ଧ୍ବ ରୁପା, ୧୦୦ ଗ୍ରାମରୁ ଅଧିକ ସୁନା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ଘରୁ ଜବତ ହୋଇଛି। ବିଳମ୍ବିତ ରାତି ଯାଏ ଚଢ଼ାଉ ଜାରି ରହିଥିବାବେଳେ ଏବେସୁଦ୍ଧା ଶ୍ରୀମତୀ ବେହେରାଙ୍କ ସମ୍ପତ୍ତି ୩ କୋଟି ୪୧ ଲକ୍ଷ ୬୮ ହଜାର ବୋଲି ଭିଜିଲାନ୍ସ ଆକଳନ କରିଛି। ଏ ନେଇ ଭିଜିଲାନ୍ସ ପକ୍ଷରୁ ୧/୨୩ରେ ଏକ ମାମଲା ରୁଜୁ ହୋଇଛି।
ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍ପି ମହେଶ୍ବର ସେଠୀ, ଡିଏସ୍ପି ଏସ୍କେ ସାମନ୍ତରାୟ, ଏସ୍କେ ମାଝୀ, ଦକ୍ଷିଣଚାନ୍ଦ ମୁର୍ମୁ ଓ ସିକନ୍ଦର ହେମ୍ବ୍ରମ୍ଙ୍କ ସହିତ ୮ ଜଣ ଇନ୍ସପେକ୍ଟର, ୨ ଜଣ ଏସ୍ଆଇ, ୩ ଜଣ ଏଏସ୍ଆଇ, ୧୪ ଜଣ କନେଷ୍ଟବଳ ଚଢ଼ାଉରେ ସାମିଲ ହୋଇଥିଲେ।
ସୂଚନାଥାଉକି, ବସ୍ତା ଥାନା ଚକ୍ରଡ଼ା ଅଞ୍ଚଳର ସ୍ବର୍ଗତ ଅଧୀର କୁମାର ମଣ୍ଡଳଙ୍କ ପତ୍ନୀ ଶ୍ରୀମତୀ ବେହେରାଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ରହିଛି। ଭଦ୍ରକ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ପଦରେ ଥିବାବେଳେ ଛତୁଆ ଦୁର୍ନୀତିରେ ଶ୍ରୀମତୀ ବେହେରା ଲିପ୍ତଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ମଧ୍ୟ ହୋଇଥିଲା। ଚଳିତ ମାସ ୪ ତାରିଖରେ ସେ ଭଦ୍ରକ ସମାଜ ମଙ୍ଗଳ ଅଧିକାରୀ ପଦରୁ ଭୁବନେଶ୍ୱରକୁ ବଦଳି ହୋଇଥିଲେ। ହେଲେ, ଏ ଯାଏ ଦାୟିତ୍ବଭାର ହସ୍ତାନ୍ତର କରିନାହାନ୍ତି।

Related Posts

Seo wordpress plugin by www.seowizard.org.