Odisha News

ଦୁଃଖର ପାହାଡ଼ ବୋହୁଛନ୍ତି କାର୍ତ୍ତିକ; ପୁଅ ଭିନ୍ନକ୍ଷମ, ଘର ଖଣ୍ଡେ ପାଇଁ ବାର ଦୁଆର

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୨୪/୯: ଦୁଃଖର ପାହାଡ଼କୁ ନିଜ କାନ୍ଧରେ ବୋହି ଚାଲିଛନ୍ତି ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ବଡ଼ବନ୍ତ ଗ୍ରାମର କାର୍ତ୍ତିକ ଜେନା । ଜଣେ ଦିନ ମଜୁରିଆ ଭାବେ ନିଜ ପରିବାର ଚଳାନ୍ତି । ବୟସ ଏବେ ୬୩ ବର୍ଷ ହେଲାଣି ।
ସ୍ତ୍ରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର । ବଡ଼ ଝିଅଟି ବିବାହିତ । ହେଲେ ଏକ ମାତ୍ର ପୁଅ ଚନ୍ଦନ ଜେନା(୧୯) ଭିନ୍ନକ୍ଷମ । ଜନ୍ମର ତିନି ବର୍ଷ ପରେ ଫିଡ୍ସ ମାରିବା ଆରମ୍ଭ କରିଥିଲା ଚନ୍ଦନକୁ । ଫଳରେ ଗୋଡେ ଗୋଡେ ଚନ୍ଦନକୁ ଜଗିଥିଲେ ବାପା ମା ।
ବହୁ କଷ୍ଟରେ ସ୍କୁଲ ଶିକ୍ଷାକରି ସୁଜନପୁର ସ୍ଥିତ ଆଞ୍ଚଳିକ ପଞ୍ଚାୟତ କଲେଜରେ +୨ କଲା ପଢୁଥିଲା ବେଳେ ସ୍ୱାସ୍ଥ୍ୟ ଗତ କାରଣରୁ ପରୀକ୍ଷାରେ ଫେଲ ହୋଇ ଯାଇଥିଲା । ହେଲେ ଆର୍ଥିକ ସ୍ଥିତି କାରଣରୁ ଆଉ ଆଗକୁ ପଢି ପାରି ନଥିଲା ।
କାର୍ତ୍ତିକ ଯାଜପୁର ଟାଉନରେ କିଛି ଡାକ୍ତରଙ୍କୁ ଚନ୍ଦନକୁ ଦେଖାଇ ଚିକିତ୍ସା କରିଥିଲେ । ହେଲେ ଆରୋଗ୍ୟ ହୋଇ ପାରିନାହିଁ ଚନ୍ଦନ । କଟକ ନେଇ ଭଲ ଡାକ୍ତରଙ୍କୁ ଦେଖାଇବାକୁ ସକ୍ଷମ ହୋଇ ନାହାନ୍ତି କାର୍ତ୍ତିକ ।
ଆର୍ଥିକ ସ୍ଥିତି ତାଙ୍କ ପାଇଁ ପ୍ରତିବନ୍ଧକ ହୋଇଛି । ଏବେ ଚନ୍ଦନ ଚାଲିବୁଲି ପାରୁ ନଥିଲା ବେଳେ ଟ୍ରାଇ ସାଇକେଲରେ ଯିବା ଆସିବା କରୁଛି । ହେଲେ ବାପା କାର୍ତ୍ତିକଙ୍କ ସାହାରା ନ ହେଲେ କୁଆଡେ ଯିବା ସମ୍ଭବ ନୁହେଁ । ଅନ୍ୟ ପକ୍ଷରେ ଜଣେ ଗରିବ ଲୋକ ହୋଇ ଥିବାରୁ ଭଲ ବାସଗୃହ ଟିଏ ନାହିଁ ତାଙ୍କର ।
ଝାଟି ମାଟି ଘରେ ରହୁଥିଲା ବେଳେ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ବାରମ୍ବାର ନେହୁରା ହେଲେ ମଧ୍ୟ କେହି ଶୁଣିଲେ ନାହିଁ ବୋଲି କହିଛନ୍ତି କାର୍ତ୍ତିକ ।
କାର୍ତ୍ତିକ କୁହନ୍ତି ଗରିବ ଲୋକଙ୍କ ପାଇଁ ସରକାର ଯୋଜନା କରିଥିଲା ବେଳେ ମୋ ଭଳି ଜଣେ ଦିନ ମଜୁରିଆ କଥା କେହି ଶୁଣି ନାହାନ୍ତି ।

Related Posts

Seo wordpress plugin by www.seowizard.org.