Odisha News

୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର, ୨/୪ : ରାଜ୍ୟରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର (ଇଡଉ) ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦାଘାଟନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟକୁ ଦୋହରାଇ କହିଥିଲେ ଯେ, \”ସୁନ୍ଦର, ସକ୍ଷମ ଓ ସୁଦୃଢ଼ ଅଙ୍ଗନବାଡ଼ି\” ଗଠନ ହିଁ ଆମର ମୂଳ ଲକ୍ଷ୍ୟ।
ସେ ବାଲେଶ୍ୱର, ଗଞ୍ଜାମ, କଟକ, ଅନୁଗୋଳ ଏବଂ ଦେବଗଡ଼ ଭଳି ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ ଯେ, ଆଜିର ଏହି ଶିଶୁମାନେ ହିଁ ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ସଫଳ ହୋଇପାରିଛି। ଏହି ନୂତନ କେନ୍ଦ୍ରଗୁଡ଼ିକ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତି ମା’ମାନଙ୍କ ପାଇଁ ପୁଷ୍ଟିସାଧନ, ପ୍ରାରମ୍ଭିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତାର ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

Related Posts