୨୦୦୮ ଜୟପୁର ବୋମା ବିସ୍ଫୋରଣ ମାମଲାରେ ୪ ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍

ଜୟପୁର, ୮/୪ : ଦୀର୍ଘ ୧୭ ପୂର୍ବେ ରାଜସ୍ଥାନ ଜୟପୁର ସହରରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି ।
ଜୟପୁରର ସ୍ୱତନ୍ତ୍ର ଅଦାଲତ ୪ ଜଣ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୈଫୁର ରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦଙ୍କୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଦିନ ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ଏକ ବିସ୍ତୃତ ନିଷ୍ପତ୍ତି ଦେଇଛନ୍ତି ।
ମେ ୧୩ ତାରିଖ, ୨୦୦୮ରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସିରିଜ୍ ବୋମା ବିସ୍ଫୋରଣ ଥରି ଉଠିଥିଲା ଜୟପୁର ସହର । ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ୮ଟି ବୋମା ବିସ୍ଫୋରଣ ହୋଇଥିଲା । ମାଣକ ଛକ ଖଣ୍ଡା, ଚାନ୍ଦପୋଲ ଗେଟ୍, ବଡ଼ ଚୌପଡ଼, ଛୋଟ ଚୌପଡ଼, ତ୍ରିପୋଲ୍ ଗେଟ୍, ଜୋହରୀ ବଜାର ଏବଂ ସାଙ୍ଗାନେରୀ ଗେଟ୍ ହୋଇଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୭୧ ଜଣ ପ୍ରାଣ ହରାଇଥିବାବେଳେ ୧୮୫ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ ।
ପୋଲିସ ଏହି ମାମଲାରେ ୧୩ ଜଣଙ୍କ ଅଭିଯୁକ୍ତ ଭାବରେ ଦର୍ଶାଇଥିଲା । ଏହି ମାମଲାରେ ୩ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଆଉ ୨ ଜଣ ହାଇଦ୍ରାବାଦ ଏବଂ ଦିଲ୍ଲୀ ଜେଲରେ ଅଛନ୍ତି । ଆଉ ୨ ଜଣ ବାଟଲା ହାଉସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ।
ନିର୍ଦ୍ଦୋଷରେ ଖଲାସ କରିଥିଲେ ହାଇକୋର୍ଟ
ଜୟପୁର ବୋମା ବିସ୍ଫୋରଣ ସହିତ ଜଡିତ ଆଠଟି ଭିନ୍ନ ଭିନ୍ନ ମାମଲାରେ ଏହି ୪ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ ନିମ୍ନ ଅଦାଲତ । କିନ୍ତୁ ମାର୍ଚ୍ଚ ୨୯, ୨୦୨୩ରେ ରାଜସ୍ଥାନ ହାଇକୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ମାମଲାରେ ସରକାରୀ ଓକିଲ ୧୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଏବଂ ପ୍ରାୟ ୧,୨୦୦ ପୃଷ୍ଠାର ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିଥିଲେ।