ସ୍ୱାସ୍ଥ୍ୟ ବିଭାଗର ଅଦ୍ଭୁତ ନିୟମ! ଉପକୂଳରେ ଚାକିରି, ଉପାନ୍ତରେ ଦରମା
ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର/ରାୟଗଡା,୩/୯ : ରାୟଗଡା ଜିଲ୍ଲାର ଅତି ଦୁର୍ଗମ ଓ ଆଦିବାସୀ ବହୁଳ ଚନ୍ଦ୍ରପୁର ବ୍ଲକର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବେ ଭେଣ୍ଟିଲେଟରରେ।
ଏହି ବ୍ଲକର ମୁଖ୍ୟ ମୌଳିକ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନକୁ ନେଇ ସବୁବେଳେ ପ୍ରଶ୍ନ ଘେରରେ ରହୁଥିବା ଏହି ବ୍ଲକରେ ଏବେ ସ୍ୱାସ୍ଥ୍ୟ ବିଭାଗର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ପ୍ରଶାସନର ଆଦିବାସୀ ପ୍ରୀତିର ମୁଖା ଖୋଲି ଦେଇଛି।
୮ ପଞ୍ଚାୟତ, ୪୬ ହଜାର ଲୋକ, କର୍ମଚାରୀ ମାତ୍ର ମୁଠାଏ: ଚନ୍ଦ୍ରପୁର ବ୍ଲକରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୮ଟି ପଞ୍ଚାୟତର ପ୍ରାୟ ୪୬ହଜାରରୁ ଉର୍ଦ୍ଧ୍ୱ ପଡସି ଗଜପତି, କନ୍ଧମାଳ ଜିଲ୍ଲାର ଆଦିବାସୀ ଗରିବ ଲୋକ ନିର୍ଭର କରନ୍ତି।
ଏହି ବିଶାଳ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ମାତ୍ର ଦୁଇ ଜଣ ଅସ୍ଥାୟୀ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫ ନର୍ସ ଓ ଦୁଇ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ (ANM) ଙ୍କ ଉପରେ।
ଏଠିକାର ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ଅଧିକ ଡାକ୍ତର ଓ କର୍ମଚାରୀ ନିହାତି ଆବଶ୍ୟକ ରହିଛି। କିନ୍ତୁ ଥିବା ସବ୍ ସେଣ୍ଟର କର୍ମଚାରୀଙ୍କୁ ବି ବିଭାଗ ରଖି ପାରୁନାହିଁ। ଅଡର ନଂ ୨୧୦୦୯/ଏଚ, ତା ୨୧.୦୯.୨୦୧୫: ଏକ ରହସ୍ୟମୟ ଡେପୁଟେସନ!ସରକାରୀ ତଥ୍ୟ ଅନୁଯାୟୀ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଡର ନଂ – ୨୧୦୦୯/ଏଚ, ତାରିଖ ୨୧.୦୯.୨୦୧୫ ଅନୁସାରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସବ୍ ସେଣ୍ଟରର ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଏ ଏନ୍ ଏମ ଅଞ୍ଜଳି ପଣ୍ଡାଙ୍କୁ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସୁଦୂର ୫୦୦ କିଲୋମିଟର ଦୂର ଉପକୂଳ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ପଠାଯାଇଛି।
ଆଶ୍ଚର୍ଯ୍ୟର କଥା, ସେ ୨୦୧୫ ମସିହାରୁ ଉପକୂଳ କେନ୍ଦ୍ରାପଡାରେ ଚାକିରି କରୁଛନ୍ତି, ହେଲେ ତାଙ୍କର ଦରମା ଉଠୁଛି ଏହି ଉପାନ୍ତ ଅଭାବୀ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ! ଏହା କେଉଁ ନିୟମ? କେଉଁ ଆଧାରରେ ଜଣେ କର୍ମଚାରୀ ୧୦ ବର୍ଷ ହେଲା ଡେପୁଟେସନରେ ରହିପାରୁଛନ୍ତି? ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉପରେ ଏବେ ଏକ ବଡ ପ୍ରଶ୍ନ ଠିଆ ହୋଇଛି।
ସ୍ୱାସ୍ଥ୍ୟ ବିଭାଗ କ\’ଣ ଆଦିବାସୀଙ୍କ ସ୍ୱାସ୍ଥ୍ୟ ଜୀବନ ସୁରକ୍ଷା ଉପରେ ଖେଳ ଖେଳୁନାହିଁ କି? ଚନ୍ଦ୍ରପୁର ଆଦିବାସୀଙ୍କ ଜୀବନର ମୂଲ୍ୟ କ\’ଣ କିଛି ନାହିଁ? ଯେଉଁ ଅଞ୍ଚଳର ଲୋକେ ଡାକ୍ତର ଅଭାବରୁ ଗୁଣି-ଗାରେଡି ଓ ଚେର ମୂଳ ଉପରେ ନିର୍ଭର କରୁଛନ୍ତି, ସେଠି ଜଣେ କର୍ମଚାରୀଙ୍କୁ ୫୦୦ କି.ମି ଦୂରକୁ ଡେପୁଟେସନରେ ପଠାଇ ମଉଜ କରାଇବା କେତେ ଯୁକ୍ତିଯୁକ୍ତ? ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଯିବି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଓ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ତୁରନ୍ତ ଚନ୍ଦ୍ରପୁର ଫେରାଇ ଆଣିବାକୁ ସାଧାରଣରେ ଦାବି ହେଉଛି।




