ସମ୍ବର୍ଦ୍ଧିତ ହେଲେ ବୌଦ୍ଧ ଏସପି ରାହୁଲ ଗୋଏଲ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୩ : ବୌଦ୍ଧଜିଲ୍ଲାରେ ଏସପି ଭାବରେ ରାହୁଲ ଗୋଏଲ ଯୋଗଦେବା ପରେ ଜିଲ୍ଲାରେ ଗଂଜେଇ ମୁକ୍ତ ଅଭିଯାନ ଆରମ୍ଭ କରି ସଫଳତା ହାସଲ କରିଛନ୍ତି । ଏଥିପାଇଁ ରବିବାର ଭୂବନେଶ୍ୱର ଠାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏସପି ଶ୍ରୀ ଗୋଏଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏସପି ଶ୍ରୀ ଗୋଏଲ ଜିଲ୍ଲାରେ ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣ ରୋକିବା ଉଦ୍ଦେଶ୍ୟରେ ୨୦୨୫ ମସିହାରେ ସ୍ୱତନ୍ତ୍ର ଅଭିଯାନ ସମୟରେ ଅତି ଉନ୍ନତ ମାନର ନେତୃତ୍ୱ ନେଇ ସହଯୋଗୀମାନଙ୍କ ସହ ମିଶି ୧୨୩୧୫ ଏକର ଜମିରେ ଗଂଜେଇ ଚାଷ ନଷ୍ଟ କରିବା ସହ ଗଂଜେଇ ଚୋରା ଚାଲାଣ ସମୟରେ ୩୮୭୫୬ କେଜି ଗଂଜେଇ ଜବତ କରି ରାଜ୍ୟ ପାଇଁ ଏକ ଜ୍ୱଲନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି କୁଶଳତା ଓ ବଳିଷ୍ଟ ନେତୃତ୍ୱ ଉଚ୍ଚକୋଟିର । ତାଙ୍କର ଏହି ମହନୀୟତା କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡିଛି ।
ତିନିବର୍ଷ ହେଲା ଶିଳାନ୍ୟାସ ହୋଇଛି ହେଲେ କାର୍ଯ୍ୟାରମ୍ଭ ହୋଇପାରୁନି ବୟନିକା ମେଗା ସୋରୁମ
ବୌଦ୍ଧ,୨୩/୩ : ବୌଦ୍ଧଜିଲ୍ଲାରେ ବହୁ ବୁଣାକାର ପରିବାର ବସବାସ କରନ୍ତି । ଜିଲ୍ଲାର ବୁଣାକାର ପରିବାରକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଆଦର୍ଶ କୃଷକ ବଜାରଠାରେ ସାପ୍ତାହିକ ବୁଣାକାର ବଜାର ଖୋଲାଯାଇଅଛି ।
ଏଠାରେ ଜିଲ୍ଲା ତଥା ରାଜ୍ୟର ଅଗଣିତ ବୁଣାକାର ମାନଙ୍କ ପାଇଁ ବଜାର ଯୋଗାଇ ଦେବା ସହିତ ସେମାନଙ୍କ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମେ ପ୍ରଥମେ ଏହି ବୁଣାକାର ବଜାର ଲୋକଙ୍କ ଦ୍ୱାରା ଆଦୃତ ଓ ପ୍ରଶଂସିତ ହୋଇଥିବାବେଳେ କିନ୍ତୁ ଏବେ ବଜର ଚାହିଦା ଧିରେ ଧିରେ କମିବାକୁ ବସିଲାଣି ।
ଜିଲ୍ଲାର ବୁଣାକାର ପରିବାର ଓ ବୁଣାକାର ବଜାରକୁ ଆଖି ଆଗରେ ରଖି ବୟନିକା ପକ୍ଷରୁ ବୌଦ୍ଧ ସହରର ପୁରୁଣା ଆଇଟିଆଇ ପାଖରେ ଏକ ବୟନିକା ମେଗା ସୋରୁମ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇ ଗତ ୬.୪.୨୩ ତାରିଖରେ ପୂର୍ବତନ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ,ସୂଚନା ଓ ଲୋକସଂପର୍କ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ , ପୂର୍ବତନ ଜିଲ୍ଲାପାଳ ସିତ୍ୟରଂଜନ ସାହୁ ଓ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଅତିଥି ଭାବେ ଯୋଗ ଦେଇ ବୟନିକା ମେଗା ସୋ ରୁମର ଶିଳାନ୍ୟାସ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ଭିତିସ୍ଥାପନ ପରେ ଜିଲ୍ଲା ବାସୀ ଖୁସି ବ୍ୟକ୍ତ କରିବା ସହ ଉତ୍ତମ ମାନର ବୁଣାକାର ସାମଗ୍ରୀ ସୁଲ୍ଲଭ ମୂଲ୍ୟରେ ପାଇପାରିବେ ବୋଲି ଖୁବ ଆଶାବାଦୀ ଥିଲେ । ଏହା ସହ ଜିଲ୍ଲାର ବୁଣାକାର ପରିବାରର ସମାଗ୍ରୀ ମଧ୍ୟ ସ୍ୱତନ୍ତ୍ର ପରିଚୟ ପାଇ ପାରିବ ବୋଲି ବୁଣାକାର ପରିବାର ଗୁଡିକ ଆଶାବାଦୀ ଥିଲେ । କିନ୍ତୁ ଭିତିପ୍ରସ୍ତରର ୩ ବର୍ଷ ହୋଇଥିବା ବେଳେ ବୟନିକା ମେଗା ସୋରୁମ କାର୍ଯ୍ୟ।।ଳୟ ସୋରୁମ ପାଚେରୀ ସହିତ ସୋରୁମ ପାଇଁ ସୁନ୍ଦର ଗେଟ ନିର୍ମାର୍ଣ କରାଯାଇଥିବା ବେଳେ ସୋରୁମ କେବେ ହେବ ତାହାକୁ ନେଇ ବୌଦ୍ଧବାସୀ ଅପେକ୍ଷା କରିରହିଛନ୍ତି । ଏନେଇ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେରଙ୍କୁ ପଚାରିବାରୁ ସୋ ରୁମ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ ।
ସରସରା ସରପଞ୍ଚ ନିର୍ବାଚନୀ ମାମଲା, ଅଦାଲତରେ ଖାରଜ
ବୌଦ୍ଧ,୨୩/୩: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ସରସରା ସରପଞ୍ଚ ନିର୍ବାଚନୀ ମାମଲାକୁ ହରଭଙ୍ଗା ସିଭିଲଜଜ ଜୁନିୟର ଡିଭିଜନର ବିଚାରପତି ପ୍ରିତିଶ କୁମାର ସାମଲ ଖାରଜ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୦୨୨ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହରଭଙ୍ଗା ବ୍ଳକର ସରସରା ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ପାଇ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ।
ଏହି ନିର୍ବାଚନରେ କାଲେଶ୍ୱରର ହରି ନାୟକ , ସରସରାର ନାରାୟଣ ବେହେରା ଓ ଆଉ ଦୁଇ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରାର୍ଥୀ ଥିଲେ । ହରି ନାୟକ ବିଜୟୀ ହୋଇ ସରସରା ସରପଞ୍ଚ ଘୋଷିତ ହୋଇଥିଲେ । ଏହି ନିର୍ବାଚନରେ ବିଜୟୀ ସରପଞ୍ଚ ନିର୍ବାଚନ ନାମାଙ୍କନ ସମୟରେ ମିଥ୍ୟା ସତ୍ୟାପଠଦେଇ ନିଜର ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ସେ ପାଠ ପଢି ପାରୁନଥିବା କି ଲେଖିପଢି ଜାଣୁନଥିବା ନେଇ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ନାରାୟଣ ବେହେରା ଗତ ୨୯.୩.୨୦୨୨ରେ ହରଭଙ୍ଗା ସିଭିଲଜଜ ଜୁନିୟର ଡିଭିଜନଙ୍କ ଅଦାଲତରେ ଏକ ମାମଲା ଦାୟର କରିଥିଲେ ।
ମାନ୍ୟବର ଅଦାଲତ ନାରାୟଣ ବେହେରାଙ୍କ ପିଟିସନକୁ ଗ୍ରହଣ କରି ଇଲେକସନ କେସ ୩ /୨୨ ରେ ମାମଲାର ବିଚାର କରିଥିଲେ । ମାନ୍ୟବର ଅଦାଲତ ନାରାୟଣ ବେହରାଙ୍କ ପକ୍ଷରୁ ଦିଆଯାଇଥିବା ୪ଜଣ ସାକ୍ଷୀଙ୍କ ବୟାନ ଓ ଦସ୍ତାବିଜକୁ ଆଧାର କରି ଗତ ସୋମବାର ଦିନ ନିର୍ବାଚନ ମାମଲାକୁ ଖାରଜ କରିଛନ୍ତି । ବିଜୟୀ ସରପଞ୍ଚ ହରି ନାୟକଙ୍କ ପଦବୀକୁ କାଏମ ରଖିଛି । ବିଜୟୀ ସରପଞ୍ଚ ହରି ନାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସାହୁ ମାମଲା ପରିଚାଳନା କରୁଥିଲେ ।
ବୌଦ୍ଧ ଶିଶୁ ବିଦ୍ୟା ମନ୍ଦିରରେ କଣ୍ଢେଇ ଦିବସ ପାଳିତ
ବୌଦ୍ଧ,୨୩/୩: ଓଡ଼ିଶା ଶିକ୍ଷା ବିକାଶ ସମିତି ଯୋଜନା ଅନୁଯାୟୀ ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷକ ବସନ୍ତ ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ଭାବେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ଖୁଦିରାମ ପ୍ରଧାନ, ସଦସ୍ୟା ପୁଷ୍ପାଞ୍ଜଳି ନାୟକ, ସଦସ୍ୟା ତୃପ୍ତିମୟୀ ପଟ୍ଟନାୟକ ମଞ୍ଚରେ ଉପସ୍ଥିତ ଥିଲେ ।
ଶିଶୁବାଟିକା ପ୍ରମୁଖ ନବୀନ ସାହୁ ଅଧ୍ୟକ୍ଷତା କରି ଥିଲେ । ଶିଶୁ ମାନେ କଣ୍ଢେଇ ପ୍ରିୟ ଓ ପ୍ରତ୍ୟେକ ଗୋଟିଏ ଲେଖାଏଁ କଣ୍ଢେଇ। ତେଣୁ କଣ୍ଢେଇ ମାଧ୍ୟମରେ ଶିଶୁଙ୍କୁ ଶିକ୍ଷାଦାନ କଲେ ତାହା ଜୀବନ୍ତ ହୋଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ରେ \’କଣ୍ଢେଇ ପ୍ରଦର୍ଶନୀ \’ ହୋଇଥିଲା । ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ପବିତ୍ର ପର୍ବ ଇଦ୍ ଉଲ୍ ଫିତର ପାଳିତ
ବୌଦ୍ଧ,୨୩/୩: ସମଗ୍ର ଦେଶରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଆଜି ପବିତ୍ର ପର୍ବ ଇଦ୍ ଉଲ୍ ଫିତର ପାଳନ କରୁଛନ୍ତି ।
ଏହି ଅବସରରେ ବୌଦ୍ଧ ଜିଲ୍ଲା ରେ ମଧ୍ୟ ମୁସଲମାନ ସମ୍ପ୍ରଦାୟ ର ଅଧିବାସୀ ପାଳନ କରିଛନ୍ତି ଇଦ୍ ପର୍ବ । ଜାମିଆ ମସଜିଦ କମିଟି ପକ୍ଷରୁ ସ୍ଥାନୀୟ ଜାମିଆ ମସଜିଦ ଠାରେ ପାଳନ ହୋଇଛି ଇଦ୍ ପର୍ବ। ମସଜିଦ ର ପେଶୀମାମ ହାଫିଜ୍ ସାହାବୁଦ୍ଦିନ ମସଜିଦ ରେ ଶତାଧିକ ମୁସଲମାନ ଭାଇ ଙ୍କୁ ନମାଜ ପାଠ କରାଇଛନ୍ତି ।
ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ ରମଜାନ ମାସ ୨୯ କିମ୍ବା ୩୦ ଦିନର ହୋଇଥାଏ ଏବଂ ଚଳିତ ବର୍ଷ ୩୦ ଦିନରେ ଇଦ୍ ଚାନ୍ଦ ଦେଖାଯିବାରୁ ରମଜାନ ୩୦ ଦିନ ପାଳନ ହୋଇଛି । ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା ଦେଶରେ ପାଳନ ହୋଇଛି ଇଦ୍। ଇଦ୍ ପାଳନ ପାଇଁ ବୌଦ୍ଧ ଜିଲ୍ଲାର ଇସଲାମ ଧର୍ମାବଲମ୍ବି ମାନେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢ଼ିଛନ୍ତି ।
ତେବେ ଗତ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିଲା ପବିତ୍ର ରମଜାନ ମାସ । ରମଜାନ ମାସରେ ‘ରୋଜା’ ରଖୁଥିବା ଭାଇ,ଭଉଣୀମାନେ ସୂର୍ଯ୍ୟଦୋୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଖାଇଥାନ୍ତି ଏବଂ ଦିନସାରା ଉପବାସ କରିଥିଲେ ।
୩୦ ଦିନ ଉପବାସ କରିବା ପରେ ଫଳସ୍ୱରୁପ୍ ଆଜି ଇଦ୍ ପାଳନ ହୋଇଛି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ମୁସଲମାନ ସମ୍ପ୍ରଦାୟ ଏକାଠି ହୋଇ ନମାଜ ପାଠ କରିଛନ୍ତି । ପ୍ରତ୍ୟେକ ଘର ର ଆବାଳ ବୃଦ୍ଧ ବନିତା ସମସ୍ତେ ନୂତନ ପୋଷାକ ପିନ୍ଧି ପରସ୍ପରକୁ ଆଲିଙ୍ଗନ କରି ମିଳି ମିଶି ଏହି ପର୍ବ ପାଳନ କରିଛନ୍ତି ।
ତେବେ ଆଜିର ଇଦ୍ ନମାଜ ରେ ସଭାପତି ଅବଦୁଲ କଲିମ ଖାନ୍, ଉପ ସଭାପତି ମହମ୍ମଦ ସଫିୟୂଲ୍ , ସମ୍ପାଦକ ଜାହିର ଖାନ୍, ଅବଦୁଲ ମହସିନ ଖାନ୍, ସର୍ଫୁଦିନ ଖାନ୍, ସାବିର ଖାନ୍, ସାହିଦ୍ ଖାନ୍, ଲିଆକତ ଅଲ୍ଲୀ, ନିଉଦ୍ଧିନ ଖାନ୍, ନିଯାର ଖାନ୍, ଅବଦୁଲ ସଲାମ, ଅବଦୁଲ ରହିମ, ନୀୟାଜ୍ ହୁସେନ, ଫାୟାଜ୍ ହୁସେନ, ଶେଖ୍ ସମିଉଲ୍ଲା, ଶେଖ୍ ଶାହାଜାହାନ, ଶେଖ୍ ଆୟାନ୍, ଆଝା ରୁଦ୍ଧିନ ଖାନ୍, ମୁଶୱିର ଖାନ୍, ମୁଜକ୍କିର ଖାନ୍, ମୋଇଜ ଖାନ୍ ଙ୍କ ସମତେ ଶତାଧିକ ମୁସଲମାନ ଭାଇ ସାମିଲ ହୋଇଛନ୍ତି ।
ପୁଣି ଆଉଏକ ମାମଲାରେ ଅବକାଶ ସାହୁ ନିର୍ଦୋଷରେ ଖଲାସ
ବୌଦ୍ଧ,୨୩/୩ : ବହୁ ଚର୍ଚିତ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ କ୍ରସର କ୍ଵାରୀ ବିରୋଧୀ ଆନ୍ଦୋଳନର ନେତା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କୁ ବିଭିନ୍ନ ମାମଲାରେ ଗିରଫ କରି ଜେଲ କୁ ଚାଲାଣ କରିଥିଲା ପରେ ଗୋଟିକ ପରେ ଗୋଟିଏ ମାମଲା ରଜ୍ଜୁ କରିଥିଲା ।
ଏପରିକି ଶ୍ରୀ ସାହୁଙ୍କ ଘରକୁ ମଧ୍ୟ ସେ ଜେଲରେ ଥିବା ସମୟରେ ତତ୍କାଳୀନ ପ୍ରଶାସନ ଆକ୍ରୋଶ ରଖିତାଙ୍କ ଅଫିସ ଗୃହକୁ ମଧ୍ୟ ଭାଙ୍ଗିଥିଲେ ।
ନଭେମ୍ବର ୧୫ ତାରିଖରେ ଗିରଫ ହେବାପରେ ୧୭ ନଭେମ୍ବର ତାଙ୍କ ନାମରେ ଏକ କ୍ରସର କମ୍ପାନୀ ପକ୍ଷରୁ ଏକ ଆଟ୍ରୋସିଟି ମାମଲା ରଜ୍ଜୁ ହୋଇଥିଲା ଯାହାର କେସନମ୍ବର ସ୍ପେସିଆଲଏସସି ଏସଟି ୪୧/୨୦୨୨ ।
ରବିବାର ମାନ୍ୟବର ଅତିରିକ୍ତଜିଲ୍ଲା ଦୌରାଜଜ ଏହି ମାମଲାରୁ ଶ୍ରୀଯୁକ୍ତ ସାହୁଙ୍କୁ ନିର୍ଦୋଷରେ ଖଲାସ କରିଥିବା ଜଣାଯାଇଛି । ଶ୍ରୀଯୁକ୍ତ ସାହୁ ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମିଶ୍ର ଏବଂ ଅମ୍ରିତ ପ୍ରଧାନ କେସ ପରିଚାଳନା କରୁଥିଲେ ।




