Odisha News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ, ଦୋଳପୂର୍ଣ୍ଣମୀରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର, ୧୪/୩: ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ବିଭିନ୍ନ ସ୍ଥାନରେ ଦୋଳ ମଣ୍ଡପ ଗୁଡିକରେ ଦୋଳ ଠାକୁର ମାନେ ବିଜେ କରିବା ସହିତ ଘର ଘର ବୁଲି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରୁଛନ୍ତି । ଭକ୍ତ ମାନେ ଫଗୁ ରଙ୍ଗରେ ତାଙ୍କ ଆରାଧ୍ୟଙ୍କୁ ରଙ୍ଗେଇ ଖୁସି ମନାଉଛନ୍ତି ।
ଏହି ଅବସରରେ ଦୋଳମଣ୍ଡପ ଗୁଡିକରେ ଜୀଉ ମାନଙ୍କର ଝୁଲଣ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ବର୍ଷ ସାରା ଭକ୍ତ ଭଗବାନଙ୍କ ନିକଟରେ ଯାଇ ଭୋଗ ଅର୍ପଣ କରିଥାଏ ମାତ୍ର ବର୍ଷକ ମଧ୍ୟରେ ଆଜିର ତିଥିରେ ଭଗବାନ ନିଜେ ସିଂହାସନରୁ ଅବତରି ଭକ୍ତଙ୍କ ଘରକୁ ଯାଇ ଭୋଗ ଗ୍ରହଣ କରିଥାନ୍ତି । ଭକ୍ତ ଓ ଭଗବାନଙ୍କ ଏପରି ମିଳନ ସତରେ ଖୁବ ମନୋରମ ଓ ଉପଭୋଗ୍ୟ ହୋଇଥାଏ ।
ଆଜି ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜିଉ ମାନଙ୍କର ଅପୂର୍ବ ସୁନା ବେଶ । ଶ୍ରୀମନ୍ଦିରରେ ଫାଲଗୁନ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ପର‌୍ୟ୍ୟନ୍ତ ଦୋଳ ଉତ୍ସବ ଓ ଦୋଳଯାତ୍ରା ଅନୁଷ୍ଠିତ ହେବ । ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ଅପୂର୍ବ ସୁନାବେଶ ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଯଥା ରୀତି ଚାଲୁଅଛି ।
ଆଜି ସୁନାବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ ଓ ଦୋଳଗୋବିନ୍ଦ ବିମାନରେ ବିଜେ ହୋଇ ଶ୍ରୀମନ୍ଦିର ବେଢା ବୁଲି ଦୋଳମଣ୍ଡପରେ ବିଜେ ହେବେ । ଫଗୁ ଅବିର ରଙ୍ଗ ସହିତ ଠାକୁର ଭକ୍ତଙ୍କ ସହ ହୋଲି ଖେଳିବେ । ଚତୁର୍ଦିଗ ହରିବୋଲ ହୁଳହୁଳି ଓ ଘଣ୍ଟା , ଢୋଲ ଓ ଭେରିତୁରୀ ଧ୍ୱନିରେ ପ୍ରକମ୍ପିତ ହେବ । ଏହା ପରେ ଦୋଳବେଦୀରେ ମହାପ୍ରଭୁଙ୍କ ଯଥା ରୀତି ନୀତି ସମ୍ପାଦନ କରାଯିବ । ମହାପ୍ରଭୁଙ୍କ ଝୁଲଣ ନୀତି ମଧ୍ୟ ଅନୁଷ୍ଠିତ ହେବ । ତେବେ ଆଜିର ପବିତ୍ର ଦିନରେ ମନ୍ଦିରରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Related Posts