ଶ୍ରୀମନ୍ଦିରରେ ଅଘଟଣ : ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା, ୨ଜଣ ଆହତ

ପୁରୀ,୧୫/୧: ପୁରୀ ଶ୍ରୀମନ୍ଦିରରେ ରବିବାର ଠେଲାପେଲା ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି।
ଆହତ ଦୁଇ ଶ୍ରଦ୍ଧାଳୁ ହେଲେ କଟକର ଦିବ୍ୟା ସାହୁ (୧୬) ଓ ପୁରୀ ହାଡ଼ଗଡ଼ିଆ ସାହିର ସୁଲୋଚନା ସାହୁ (୬୫)। ଦିବ୍ୟା ତାଙ୍କ ଘରକୁ ଫେରି ଯାଇଥିବା ବେଳେ ସୁଲୋଚନାଙ୍କର ଚିକିତ୍ସା ଚାଲିଛି। ସେ ଅଣନିଃଶ୍ୱାସୀ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି।
ଗତକାଲି ମକର ସଂକ୍ରାନ୍ତି ଥିଲା। ସେଥିପାଇଁ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ପହୁଡ଼ ନୀତି ସଂପନ୍ନ ହୋଇଥିଲା। ତେଣୁ ଧାର୍ୟ୍ୟ ସମୟ ଠାରୁ ବହୁ ବିଳମ୍ବରେ ଆଜି ଦ୍ୱାରଫିଟା ନୀତି ସଂପନ୍ନ କରାଯାଇଥିଲା। ସେତେବେଳକୁ ବହୁ ଭକ୍ତ ଅପେକ୍ଷା କରି ରହିଥିଲେ। ଭୋରରୁ ସେମାନେ ଅପେକ୍ଷା କରି ରହିଥିଲେ। ତେଣୁ ଦ୍ୱାର ଫିଟିବା ମାତ୍ରେ ଭକ୍ତମାନେ ଦୌଡ଼ାଦୌଡ଼ି କରି ସିଂହଦ୍ୱାର ଦେଇ ବାଇଶି ପାହାଚରେ ଯାଇ ମନ୍ଦିରରେ ପ୍ରବେଶ କରିଥିଲେ। ଏହି ଦୌଡ଼ାଦୌଡ଼ି ସମୟରେ ପଡ଼ିଯାଇ ଦିବ୍ୟ ସାହୁ ଆହତ ହୋଇଥିଲେ।
ସେହିପରି ମହାପ୍ରଭୁଙ୍କ ମଙ୍ଗଳା ଆଳତି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାହାରକାଠ ନିକଟରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ପ୍ରବଳ ଭିଡ଼ ଯୋଗୁ ଠେଲାପେଲାରେ ସୁଲୋଚନା ସାହୁ ତଳେ ପଡ଼ି ଯାଇ ଅଣନିଃଶ୍ୱାସୀ ହୋଇଯାଇଥିଲେ। ତାଙ୍କ ଉପରେ କିଛି ଲୋକ ଚଢ଼ି ମଧ୍ୟ ଯାଇଥିଲେ।
ଭକ୍ତମାନଙ୍କୁ ଦଫା ଦଫା କରି ମନ୍ଦିରକୁ ଛଡ଼ା ଯାଉଥିବା ବେଳେ କାହିଁକି ଏଭଳି ଘଟଣା ଘଟିଗଲା, ତାହା ତଦନ୍ତ ସାପେକ୍ଷ। ଦ୍ୱାରଫିଟା ନୀତି ସଂପନ୍ନ ବେଳକୁ ସେଠାରେ ମାତ୍ରାଧିକ ଭକ୍ତଙ୍କ ଭିଡ଼ ଜମି ଥିଲା କି ନାହିଁ, ତାହା ସିସିଟିଭି ଫୁଟେଜରୁ ଜଣାପଡ଼ିବ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ତଦନ୍ତ ପରିସରଭୁକ୍ତ କଲେ ଆଗାମୀ ଦିନରେ ଏଭଳି ଅଘଟଣ ଗୁଡ଼ିକୁ ରୋକା ଯାଇପାରିବ।
ସୂଚନାଯୋଗ୍ୟ, ଗତକାଲି କଟକ ଜିଲ୍ଲା ବଡ଼ମ୍ବା ସିଂହନାଥ ପୀଠରେ ମକର ମେଳା ଅବସରରେ ଟି-ବ୍ରିଜ୍ରେ ଦଳାଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି।