ରାଜଧାନୀରେ ଆମ ବସ୍ ସେବା ଠପ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର, ୧୩/୫ : ରାଜଧାନୀ ଭୁବନେଶ୍ଵରରେ ଆମ ବସ୍ କର୍ମଚାରୀମାନେ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁରକ୍ଷା ଦାବିରେ ବସ କଣ୍ଡକ୍ଟର୍ ଏବଂ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି । ଫଳରେ ସହରରେ ଆମ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ଆମ ବସ୍ କର୍ମଚାରୀଙ୍କୁ ମାଡ଼ ମରାଯିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । ସହର ବିଭିନ୍ନ ସ୍ଥାନରେ ଥିବା ଆମ ବସ୍ ଡିପୋରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ମାଡ଼ ମରାଯିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍ ଧରିଛି । ଯେପର୍ୟ୍ୟନ୍ତ ସରକାର ସୁରକ୍ଷା ଯୋଗାଇ ଦେଇ ନାହାଁନ୍ତି ସେପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଯେଉଁଥିପାଇଁ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଯାତ୍ରୀମାନେ ଘରୋଇ ବସ୍ ଏବଂ ଅଟୋରେ ଅଧିକ ମୂଲ୍ୟରେ ଭଡ଼ା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ, ଗତକାଲି ସମ୍ ହସ୍ପିଟାଲ ଡିପୋରେ ଜଣେ ଆମ ବସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ବସ୍ ଯାଉଥିବା ବେଳେ ଧୂଳି ଉଡିବାରୁ ସ୍ଥାନୀୟ ଲୋକେ ଡିପୋରେ ପଶି କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପୋଲିସରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।