Odisha News

ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ

ବଣାଇ/ ସୁନ୍ଦରଗଡ଼, ୮/୮ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କଲେଇପୋଷରେ ଜଣେ ଯୁବକଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । କଲେଇପୋଷ ବସଷ୍ଟାଣ୍ଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ ହେଲେ ଗଣିଘସା ଗ୍ରାମର କାହ୍ନୁଚରଣ ମହାନ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଆଜି ସକାଳ ପ୍ରାୟ ୬ ଟା ୩୦ରୁ ୭ଟା ମଧ୍ୟରେ ଗଣିଘସା ଗ୍ରାମର କାହ୍ନୁଚରଣ ମହାନ୍ତ କୌଣସି କାମରେ ଘରୁ ବାହାରି ବସଷ୍ଟାଣ୍ଡକୁ ଆସୁଥିବାବେଳେ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ବାଇକରେ ଆସିଥିଲେ । ଜଣେ ବାଇକରୁ ଓହ୍ଲାଇ ତାଙ୍କୁ କାବୁ କରିବା ପରେ ଆଉ ଜଣେ କିରୋସିନି ଢାଳି ନିଆଁ ଲଗାଇଥିଲେ ।
ଏହା ପରେ ଦୁଇ ଜଣ ସେଠାରୁ ଫେରାର ହୋଇଯାଇଥିଲେ । କାହ୍ନୁଚରଣଙ୍କୁ ଜଳୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଡାକ୍ତର ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଯୁବକଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି । ଆଇଜିଏଚ୍ ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ସେପଟେ ବଣାଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚିଛି । କାହିଁକି ଏଭଳି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ହୋଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Related Posts