ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼; ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ , ୯ ଗିରଫ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୧୬/୧୦: କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ “ମିଶନ ଜିରୋ କାନାବିସ୍ କଲ୍ଟିଭେସନ” ଅଭିଯାନ ଆରମ୍ଭ କରାଯାଇଛି।
ଏହି ଅଭିଯାନ ଅଧୀନରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି।
କନ୍ଧମାଳ ଏସପି ଶ୍ରୀ ରମେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ, ଗୋଛାପଡ଼ା ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଓ ଏସଆଇ ଅଶୋକ ପରିଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଡ୍ରୋନ ମାଧ୍ୟମରେ ନଜର ରଖି ପ୍ରାୟ ୩୦ ଏକର ଜମିରେ ଜଳସେଚନ ଓ ସାର ପ୍ରୟୋଗ କରି ବ୍ୟବସାୟିକ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ଠାବ କରି ଘଟଣାସ୍ଥଳରୁ ୯ ଜଣ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଲୁଇସିଂ ନିକଟ ରାଇଗଡ଼ା ଗ୍ରାମର ମହେଶ୍ୱର କହଁର (୩୮), ଲୁଇସିଂ ନିକଟ ଢାକୁଡ଼ି ଗ୍ରାମର ରାଜୀବ ମଲ୍ଲିକ (୩୦), ଲୁଇସିଂ ନିକଟ ରୁକପଦର ଗ୍ରାମର ମାନସ ମଲ୍ଲିକ (୨୪), ପବିତ୍ର ମଲ୍ଲିକ (୪୦), ବାଲିଗୁଡ଼ା ଥାନା ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମର ବେଣୁଧର ପ୍ରଧାନ (୩୧), ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରେଗଡୁଲୁ ଗ୍ରାମର ମୁକ୍ତେଶ୍ୱର କର୍ମୀ (୨୮), କଣ୍ଟାମାଳ ଥାନା ଅନ୍ତର୍ଗତ ପିପଳପାଲି ଗ୍ରାମର ସନ୍ତୋଷ ସାହୁ (୨୨), କଣ୍ଟାମାଳ ଥାନା ସୁନିପଦର ନିକଟସ୍ଥ ବାଦୁଲ ଗ୍ରାମର ସମ୍ରାଟ ଭୋଇ (୩୫), ସମ୍ବଲପୁର ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଇଲ, ଘୁସୁରୁରାମାହା ଗ୍ରାମର ନକୁଳ ମାଝୀ (୩୧), ଙ୍କୁ ଗିରଫ କରାଯାଇଛି କ୍ଷ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରାଯାଇ, ଏନଡିପିଏସ ଆଇନର ଧାରା ୪୮ ଅନୁଯାୟୀ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ଘଟଣାସ୍ଥଳରେ ହିଁ ସମସ୍ତ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି।
ସମଗ୍ର ପ୍ରକ୍ରିୟା ଫଟୋ ଓ ଭିଡିଓ ମାଧ୍ୟମରେ ରେକର୍ଡ କରାଯାଇଛି। ଏ ନେଇ ଗୋଛାପଡ଼ା ଥାନା କେସ ନଂ ୧୭୧/୨୬ ଧାରା ୨୦(ଏ)(ସ) ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଛି। ବେଆଇନ ଗଞ୍ଜେଇ ଚାଷ ପ୍ରତି ଜିରୋ ଟଲରାନ୍ସ ନୀତି ଅପଣାଯିବ ବୋଲି କନ୍ଧମାଳ ପୋଲିସ ପକ୍ଷରୁ କୁହାଯାଇଛି। ଜନସାଧାରଣ ଗଞ୍ଜେଇ ଚାଷରୁ ନିବୃତ ରହିବା ଓ ପୂର୍ବରୁ ଲଗାଯାଇଥିବା ଗଛ ନିଜେ ନଷ୍ଟ କରିବା ନଚେତ୍ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ:ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ
ବାଲିଗୁଡ଼ା, ୧୬/୧୦ : ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସଚେତନତା ଓ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ପ୍ରଧାନ ଶିକ୍ଷକ ସନାତନ ଅମାୟତଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ ମଳିକ ଅଧ୍ୟକ୍ଷତା କରିଥିଲେ।
ପ୍ରାରମ୍ଭରେ ଶିକ୍ଷକ ଅଲେଖ ରଣା ଉପସ୍ଥିତ ଅଭିଭାବକ ଓ ଅନ୍ୟ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ମୂଲ୍ୟାୟନ ନିମନ୍ତେ ସମାପ୍ତି ସୂଚକ ଆକଳନ-୧ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏଥିସହ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ନିଶାମୁକ୍ତ ଭାରତ ଅଭିଯାନକୁ ତୃଣମୂଳ ସ୍ତରରେ ସଫଳ କରିବା ଏବଂ ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମତ ବିନିମୟ କରାଯାଇଥିଲା। ସେହିପରି ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁଯୋଗର ସଠିକ୍ ଉପଯୋଗ, ଶିକ୍ଷାଦାନର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ବିକାଶରେ ଅଭିଭାବକଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟର ଉନ୍ନତି ଓ ପିଲାମାନଙ୍କ ଶିକ୍ଷାଗତ ପ୍ରଗତି ଦିଗରେ ଅଭିଭାବକ ମାନେ ନିଜ ନିଜର ଗଠନମୂଳକ ମତାମତ ରଖିଥିଲେ।
ବିଦ୍ୟାଳୟର ସାମଗ୍ରିକ ବିକାଶରେ ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଶିକ୍ଷକ ଲକ୍ଷ୍ମୀକାନ୍ତ ପୃଷ୍ଟି ଓ ଶିକ୍ଷୟିତ୍ରୀ ଅଞ୍ଜଳୀ ମଳିକଙ୍କ ସମେତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
ଶେଷରେ ଶିକ୍ଷକ ଅଲେଖ ରଣା ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା।
ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପୁଲିସର ସଚେତନତା କାର୍ଯ୍ୟକ୍ରମ : ଗଞ୍ଜେଇ ଚାଷ ଛାଡ଼ି ବିକଳ୍ପ ଚାଷ ଆପଣାଇବାକୁ ଗ୍ରାମବାସୀଙ୍କୁ ଆହ୍ୱାନ,
ବାଲିଗୁଡ଼ା, ୧୬/୧୦ : ନିଶାମୁକ୍ତ ସମାଜ ଗଠନ ସହ ଗଞ୍ଜେଇ ଚାଷମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ବାଲିଗୁଡ଼ା ପୁଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସିନ୍ଦ୍ରିଗାଁ ପଞ୍ଚାୟତରେ ଆୟୋଜିତ ହୋଇଥିଲା।
ନିଶା ସେବନର କୁପରିଣାମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଗଞ୍ଜେଇ ଚାଷ ପରିବର୍ତ୍ତେ ବିକଳ୍ପ ଚାଷ ମାଧ୍ୟମରେ ଜୀବିକା ନିର୍ବାହ କରିବାକୁ ଗ୍ରାମବାସୀଙ୍କୁ ଉତ୍ସାହିତ କରାଯାଇଥିଲା।
ବାଲିଗୁଡ଼ା ଥାନା ଓ ତହସିଲ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତରେ ଆୟୋଜିତ ଏହି ଅଭିଯାନରେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା , ବିଡିଓ ଅକ୍ଷୟ କୁମାର ବେହେରା, ବନ ବିଭାଗ , ଅବକାରୀ ବିଭାଗ, କୃଷି ଓ ପଶୁଚିକିତ୍ସା ବିଭାଗ କର୍ମଚାରୀ, ରାଜସ୍ୱ ନିରୀକ୍ଷକ (ଆରଆଇ) ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ଜନ ପ୍ରତିନିଧି ଙ୍କ ସମେତ ପୁଲିସ ବିଭାଗ ର କର୍ମଚାରୀ ଯୋଗ ଦେଇଥିଲେ।
କେବଳ ସଚେତନତା ବାର୍ତ୍ତାରେ ସୀମିତ ନରହି ଯୁବପିଢ଼ିଙ୍କୁ ଏହି ଅଭିଯାନ ସହ ଯୋଡ଼ିବା ଲକ୍ଷ୍ୟରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରାଯାଇଥିଲା।
କ୍ରୀଡ଼ା ମାଧ୍ୟମରେ ଯୁବକମାନଙ୍କୁ ସକାରାତ୍ମକ କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ କରିବା ସହ ନିଶାଠାରୁ ଦୂରେଇ ରହିବା ପାଇଁ ପ୍ରେରଣା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଗଞ୍ଜେଇ ଚାଷର କୁପରିଣାମ, ନିଶା ସେବନ ଦ୍ୱାରା ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ବୁଝାଯାଇଥିଲା।
ଏଥିସହ ଗଞ୍ଜେଇ ଚାଷରୁ ଦୂରେଇ ରହି ଫଳ, ପନିପରିବା ଓ ଅନ୍ୟାନ୍ୟ କୃଷିଜାତ ଫସଲ ଚାଷ କରିବାକୁ ପରାମର୍ଶ ଦିଆଯାଇଥିଲା। ବିକଳ୍ପ ଚାଷ ଓ ସ୍ଥାୟୀ ଜୀବିକା ଗ୍ରହଣ କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା ।
ନିଶାମୁକ୍ତ ଓଡ଼ିଶା ଗଠନ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏଥିରେ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ ଜରୁରୀ। ଏହି ବାର୍ତ୍ତା ନେଇ ବାଲିଗୁଡ଼ା ପୁଲିସ ଓ ବିଭିନ୍ନ ବିଭାଗର ମିଳିତ ପ୍ରୟାସରେ ସିନ୍ଦ୍ରିଗାଁ ପଞ୍ଚାୟତରେ ସଚେତନତା ସୃଷ୍ଟି କରାଯାଇଥିଲା।
ଆଦିବାସୀ ମହାବିଦ୍ୟାଳୟରେ ପ୍ରଥମ ଛାତ୍ର ସଂସଦ ନିର୍ବାଚନ ପରେ ଶପଥ ଗ୍ରହଣ ଉତ୍ସବ
ବାଲିଗୁଡ଼ା, ୧୬/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଛାତ୍ର ପ୍ରତିନିଧି ନିର୍ବାଚନ ସମ୍ପନ୍ନ ହେବା ପରେ ଗତ ଶୁକ୍ରବାର ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା।
ଏହି ଉତ୍ସବ କେବଳ ନବନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ଗ୍ରହଣରେ ସୀମିତ ନ ରହି ମହାବିଦ୍ୟାଳୟର ଛାତ୍ର ସଂସଦ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ ଯୋଡ଼ି ହୋଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଶପଥ ପାଠ କରାଇଥିଲେ।
ଛାତ୍ର ସଂସଦର ସଭାପତି ଭାବେ ଶ୍ରୀଧର ସିଅ, ଉପସଭାପତି ଭାବେ ଅବିନାଶ ମସିହା ଦିଗାଳ, ସାଧାରଣ ସମ୍ପାଦକ ଭାବେ ଅଭୟ ପାଟମାଝି ଏବଂ ସହସମ୍ପାଦକ ଭାବେ ଅଂଶୁମାନ ବେହେରା ଶପଥ ଗ୍ରହଣ କରିଥିଲେ।
ସେହିପରି ଡିଏସଏ ସମ୍ପାଦକ ଭାବେ ଇତି ନାୟକ, ଡିଏସଏ ସହସମ୍ପାଦକ ଭାବେ ବିଜୟ କହଁର, କ୍ରୀଡ଼ା ସମ୍ପାଦକ ଭାବେ ଇସାକ ନାୟକ ଏବଂ କ୍ରୀଡ଼ା ସହସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ମଲ୍ଲିକ ଶପଥ ନେଇଥିଲେ।
ଦୀର୍ଘ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିବାରୁ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧିତ୍ୱକୁ ନେଇ ନୂଆ ଆଶା ସୃଷ୍ଟି ହୋଇଛି।
ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବା, ଶିକ୍ଷାନୁଷ୍ଠାନର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଓ ଦାୟିତ୍ୱବୋଧର ଭାବନାକୁ ସୁଦୃଢ଼ କରିବା ଦିଗରେ ନବନିର୍ବାଚିତ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି।
ଏହି ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀ ଅଧ୍ୟାପକ ତେଜେଶ୍ୱର ନାୟକ, ସହ ନିର୍ବାଚନ ଅଧିକାରୀ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
୪୬ ବର୍ଷର ଅପେକ୍ଷା ପରେ ଆରମ୍ଭ ହୋଇଥିବା ଏହି ନୂଆ ଯାତ୍ରା ଛାତ୍ରଛାତ୍ରୀଙ୍କ ସ୍ୱରକୁ ଅଧିକ ଶକ୍ତିଶାଳୀ କରିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି।
ପୋଷଣ ସଚେତନତାର ବାର୍ତ୍ତା ନେଇ ପାଳିତ ହେଲା ପ୍ରକଳ୍ପ ସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ
ବାଲିଗୁଡ଼ା, ୧୬/୧୦: ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ, ସୁସ୍ଥ ଜୀବନଶୈଳୀ ଓ ପୋଷଣ ସଚେତନତାର ବାର୍ତ୍ତା ନେଇ ବାଲିଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ପ୍ରକଳ୍ପସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି।
ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସିଡିପିଓ ଇନ୍ଦିରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ପଣ୍ଡା ଓ ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ ଉପସ୍ଥିତ ଥିଲେ। ଏକ ମାସ ଧରି ଚାଲିଥିବା ପୋଷଣ ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ।
ଶିଶୁ, କିଶୋରୀ ଓ ମହିଳାଙ୍କ ସୁସ୍ଥତା ପାଇଁ ସନ୍ତୁଳିତ ଆହାର ଓ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ପ୍ରକଳ୍ପର କର୍ମୀମାନଙ୍କ ପକ୍ଷରୁ ବିଭିନ୍ନ ପୁଷ୍ଟିକର ରନ୍ଧା ଖାଦ୍ୟ, ତ୍ରିରଙ୍ଗା ଖାଦ୍ୟ, ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟ ଓ ପୁଷ୍ଟିକର ପନିପରିବାର ପ୍ରଦର୍ଶନୀ କରାଯାଇଥିଲା।
ଏହି ପ୍ରଦର୍ଶନୀ ମାଧ୍ୟମରେ ଦୈନନ୍ଦିନ ଖାଦ୍ୟରେ ବିଭିନ୍ନ ପ୍ରକାର ପୁଷ୍ଟିକର ଉପାଦାନ ସାମିଲ କରିବାର ଆବଶ୍ୟକତା ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। ଏଥିସହ ବନବାସୀ ସେବା ସମିତିର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବନବାସୀ ସେବା ସମିତି ଓ ପ୍ରଥମା ଏଜୁକେସନ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଶେଷରେ ସିଡିପିଓ ଇନ୍ଦିରା ପଣ୍ଡା ଉପସ୍ଥିତ ଅତିଥି, କର୍ମକର୍ତ୍ତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




