Odisha News

ମହିଳା ଇନ୍ସପେକ୍ଟରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଟକ, ୪/୭: କଟକସ୍ଥିତ ଚାଉଳିଆଗଞ୍ଜ ଥାନା ପରିସରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଚାଉଳିଆଗଞ୍ଜ ଥାନା ଅଧିକାରୀଣୀଙ୍କ ଝୁଲନ୍ତା ମୃତଦେହ ଏକ ବନ୍ଦ କୋଠରୀରୁ ମିଳିଛି । ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି ।
ଗତକାଲି ଆଇଆଇସି ଆଇଆଇସି ବିୟୁଟି ମହାନ୍ତି ଚାଉଳିଆଗଞ୍ଜ ଥାନାର ଉପରେ ଥିବା ରେଷ୍ଟରୁମରେ ରହିଥିଲେ । ଆଜି ସକାଳେ କବାଟ ବାଡ଼େଇବାରୁ ସେ କବାଟ ଖୋଲି ନ ଥିଲେ ।
ଏ ନେଇ କର୍ମଚାରୀ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଘରର କବାଟ ଖୋଲାଯାଇଥିଲା ଏବଂ ଆଇଆଇସିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ପଠାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡ଼ିକାଲରେ ଶବ ରଖାଯାଇଛି । ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତାଙ୍କ ସ୍ୱାମୀ ପହଁଚିବାରେ ବ୍ୟବଚ୍ଛେଦ କରାଯିବ । କଟକ କମିଶନରେଟ୍ ପୋଲିସର ବହୁ ବରିଷ୍ଠ ପଦାଧିକାରୀ ଘଟଣାସ୍ଥଳରେ ପହଁଚିଛନ୍ତି ।
ଆଇଆଇସି ବିୟୁଟି ମହାନ୍ତି ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଛୋଟ ଝିଅ ଅଛି । ତାଙ୍କ ସ୍ୱାମୀ ବାହାରେ କାର‌୍ୟ୍ୟରତ ଅଛନ୍ତି । ସେ ପୂର୍ବରୁ ମହିଳା ଥାନା, ଭୁବନେଶ୍ୱର କମିଶନରେଟ୍ ପୋଲିସ ଏବଂ ପାହାଳ ଥାନାର ଥାନା ଅଧିକାରୀଭାବେ ସଫଳତାର ସହିତ ଦାୟିତ୍ୱ ତୁଲାଇଛନ୍ତି । ସେ ଅନେକ ପାରିପାରିବ ମାମଲାର ମଧ୍ୟ ନିଜେ ସମାଧାନ କରିଛନ୍ତି । ତାଙ୍କ ମୃତ୍ୟୁର କାରଣ ଚାକିରୀର ଚାପ ନା ପାରିବାରିକ ବିବାଦ ତାହା ସ୍ପଷ୍ଟ ହୋଇନାହିଁ । ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ତଦନ୍ତ ସାପେକ୍ଷ ଅଟେ ।

Related Posts