ଭୁବନେଶ୍ୱର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ଜଳିଗଲା ଦୋକାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୨୨/୮ : କିଛି ମାସର ବ୍ୟବଧାନ ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ସକାଳୁ ଏକାଧିକ ଦୋକାନ ହୁତୁହୁତୁ ହୋଇ ଜଳି ଯାଇଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।
ଆଜି ସକାଳେ ୟୁନିଟ୍-୧ ହାଟରେ ଥିବା ଏକ ପ୍ଲାଷ୍ଟିକ୍ ଓ ୟୁଜ୍ ଆଣ୍ଡ୍ ଥ୍ରୋ ସାମଗ୍ରୀ ଏବଂ ଗ୍ରୋସରୀ ଦୋକାନ ଭିତରୁ ଧୂଆଁ ବାହାରୁଥିବା ସଫେଇ କର୍ମଚାରୀ ଦେଖିଥିଲେ । ତୁରନ୍ତ ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଦୁଇଟି ଦମକଳ ଗାଡ଼ି ପହଁଚି କବାଟ ଖୋଲିଲା ବେଳକୁ ଦୋକାନ ଭିତର ହୁତୁହୁତୁ ହୋଇ ଜଳୁଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି ।ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ, ତାକୁ ଲାଗିଥିବା ଆଉ ଚାରୋଟି ଦୋକାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ନଗଦ ଟଙ୍କା ମଧ୍ୟ ପୋଡ଼ି ଯାଇଛି । ପ୍ଲାଷ୍ଟିକ୍ ଓ ୟୁଜ୍ ଆଣ୍ଡ୍ ଥ୍ରୋ ସାମଗ୍ରୀ ରଖିଥିବା ଦୋକାନୀଙ୍କର ପ୍ରାୟ ୩ ଲକ୍ଷ ନଗଦ ଟଙ୍କା ପୋଡ଼ି ଯାଇଛି । ସପ୍ତାହନ୍ତ ଥିବାରୁ ଆସନ୍ତା କାଲି ଦୋକାନୀ ମାଲିକ ପେମେଣ୍ଟ କରିଥାଆନ୍ତେ । କିନ୍ତୁ ଏହା ପୂର୍ବରୁ ଝାଳ ବୁହା ଧନ ସବୁ ଜଳି ଯାଇଛି ।
ପ୍ରାଥମିକ ଯାଞ୍ଚରୁ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜାନୁଆରୀ ମାସରେ ମଧ୍ୟରେ ୧ ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା । ଏହାକୁ ମିଶାଇ ବର୍ଷକରେ ୪ ଥର ଅଗ୍ନିକାଣ୍ଡ ହୋଇଛି । ଯାହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଭୟ ଏବଂ ଆକ୍ରୋଶ ବୃଦ୍ଧି ପାଇଛି ।




