Odisha News

ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର

ବ୍ରହ୍ମପୁର,୨୬/୧୧: ରାଗିଂ ପରି ଲଜ୍ଜାଜନକ ଘଟଣା ବନ୍ଦ ହେବା ନାଁ ଧରୁନି। ପୂର୍ବରୁ କଲେଜରେ ଏହି ଘଟଣା ଘଟୁଥିବା ନଜରକୁ ଆସୁଥିବା ବେଳେ ଏବେ ସ୍କୁଲରେ ବି ଏପରି ଅମାନବୀୟ ଘଟଣା ଘଟିଥିବା ଜଣାପଡ଼ିଛି।
ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ଗୋଷାଣି ନୂଆଗାଁ ଅଞ୍ଚଳରେ ଥିବା ଗୁରୁକୁଳ ଇଣ୍ଟନ୍ୟାସନାଲ ସ୍କୁଲରେ ଘଟିଛି। ଏନେଇ ନିର‌୍ୟାତିତ ହୋଇଥିବା ତଥା ରାଗିଂର ଶିକାର ହୋଇଥିବା ଜଣେ ଷଷ୍ଠ ଶ୍ରେଣୀ ପିଲାର ମା’ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଛାତ୍ରଙ୍କ ମା’ ଅନିତା ସାସମଲ ଥାନାରେ କରିଥିବା ଅଭିଯୋଗ କରି କହିଛନ୍ତି, ‘ଚାକିରି କାରଣରୁ ମୁଁ ଆର. ଉଦୟଗିରିରେ ରହୁଛି। ମୋ ପୁଅକୁ ଗୁରୁକୁଳ ଇଣ୍ଟନ୍ୟାସନାଲ ସ୍କୁଲର ହଷ୍ଟେଲରେ ଛାଡ଼ିଛି। ମାତ୍ର ସେଠାରେ କିଛି ସିନିୟର ଛାତ୍ର ତାକୁ ଶାରୀରିକ ଓ ମାନସିକ ଭାବେ ନିର‌୍ୟାତନା ଦେଉଛନ୍ତି।’
‘ଏନେଇ ପିଲାଟି କାନ୍ଦି କାନ୍ଦି ଜଣାଇବାରୁ ଜୁଲାଇ ୩ ତାରିଖରେ ଏକ ମେଲ୍ କରି କଲେଜ ପ୍ରିନ୍ସପାଲଙ୍କୁ ଜଣାଇଥିଲି। ଏହାପରେ ବି ସେମାନଙ୍କ ଦୌରାତ୍ମ୍ୟ ବନ୍ଦ ହୋଇ ନ ଥିବା ବେଳେ ସେମାନେ ମୋ’ ପୁଅ ହାତରେ ଚେଙ୍କ ଦେଇଥିଲେ। ଏନେଇ ଚାଇଲ୍ଡ ହେଲପ୍ଲାଇନ୍କୁ ଜଣାଇବାରୁ ସେମାନେ ସେପ୍ଟେମ୍ବର ୨୭ରେ ସ୍କୁଲ ଯାଇଥିଲେ। ଆଉ ଆଗକୁ ଏପରି ହେବ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।’
‘ହେଲେ ଗତକାଲି ମୁଁ ପିଲା ପାଖକୁ ଯାଇଥିବା ବେଳେ ସେଠାରେ କିଛି ସିନିୟର ତାକୁ ମାରୁଥିବା ମୋତେ କାନ୍ଦି କାନ୍ଦି କହିଥିଲା। ୱାର୍ଡେନ ସେ ଛୁଆକୁ ତାଗିଦ କରିବାରୁ ସେ ଉପର ମହଲାକୁ ପଳାଇ ଅନ୍ୟ ଛୁଆମାନଙ୍କୁ ଜଣାଇଥିଲା। ଏହାପରେ ମୋ’ ପୁଅ ଉପର ରୁମ୍କୁ ଯିବାରୁ ପ୍ରାୟ ଏକକାଳୀନ ୧୦ ଜଣ ମୋ’ ଛୁଆକୁ ଆକ୍ରମଣ କଲେ। ଏନେଇ ପଚାରିବାରୁ ସେମାନେ ମୋତେ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ’।
ହଷ୍ଟେଲରେ ପୁଅ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି ମହିଳାଜଣକ। ତୁରନ୍ତ ଏ ଦିଗରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନାଧିକାରୀ।
ପୂର୍ବରୁ ଖଲ୍ଲିକୋଟ କଲେଜ ଓ ଆଚାର‌୍ୟ୍ୟ ବିନାୟକ କଲେଜରୁ ମଧ୍ୟ ରାଗିଂ ଅଭିଯୋଗ ଆସିଥିଲା। ସେହିପରି ବୁର୍ଲା ଭିସୁଟର ଜଣେ ଜୁନିଅର ଛାତ୍ରଙ୍କୁ କିଛି ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ଆସିଥିଲା। ଏହି କଳୁଷିତ ପ୍ରଥା ଯୋଗୁ ସମ୍ପୂର୍ଣ୍ଣ ଶିକ୍ଷାନୁଷ୍ଠାନ ବଦନାମ ହେଉଥିବାରୁ ତୁରନ୍ତ ଏହାକୁ ଉଚ୍ଛେଦ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।
ବିଜେପି ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Related Posts

Seo wordpress plugin by www.seowizard.org.