ବୌଦ୍ଧରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଅଗ୍ରଗତି ଓ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ସଚିବ ବି. ପରମେଶ୍ୱରନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୮ : ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି,ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ତଥା ବୌଦ୍ଧ ଜିଲ୍ଲାର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି (SIR) କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟ ପ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ।
ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଡେପୁଟି କଲେକ୍ଟର (ନିର୍ବାଚନ) ମନସିତ ସ୍ୱରୂପଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।
(SIR) ସମୀକ୍ଷା ବୈଠକରେ ସେ ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ଚଳିତ ମାସ ୨୦ ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବୌଦ୍ଧ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୪୦,୫୦୦ଟି ନୋଟିସ୍ ଜାରି ହୋଇଥିବାବେଳେ ସେଥିମଧ୍ୟରୁ ୪୦,୪୫୧ଟି ନୋଟିସ୍ ସଫଳତାର ସହ ତାମିଲ ହୋଇଥିବା ଜଣାପଡ଼ିଥିଲା ।
ଅବଶିଷ୍ଟ ୪୯ଟି ନୋଟିସ୍ ଶୀଘ୍ର ତାମିଲ କରିବା ସହ ଫର୍ମ–୭ ମାଧ୍ୟମରେ ଦାଖଲ ବାଦ ଦାବି ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ନିୟମାନୁସାରେ ନିଷ୍ପତ୍ତି ନେବାକୁ ସେ ପରାମର୍ଶ ଦେଇଥିଲେ।
ସେ କହିଥିଲେ ଯେ, ଭୋଟର ତାଲିକାରେ ନାମ ସାମିଲ ହୋଇନଥିବା କିମ୍ବା ତଥ୍ୟରେ ତ୍ରୁଟି ଥିବା ଯୋଗ୍ୟ ନାଗରିକମାନେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିପାରିବେ।
ଏହି ସୁଯୋଗ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ୧ ଜୁଲାଇ, ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ଭାରତର ନିର୍ବାଚନ ଆୟୋଗ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ସମୟସୀମାର ସୁଯୋଗ ନେଇ ଯୋଗ୍ୟ ନାଗରିକମାନେ ନିଜ ନାମ ସାମିଲ କରିବା ଓ ଆବଶ୍ୟକ ସଂଶୋଧନ କରାଇବା ପାଇଁ ସଚେତନତା ବୃଦ୍ଧି କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ ଜଣାଇଥିଲେ। ବୌଦ୍ଧ ଜିଲ୍ଲାରେ (SIR) କାର୍ଯ୍ୟର ଅଗ୍ରଗତି ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ।
ପରେ ଶ୍ରୀ ପରମେଶ୍ୱରନ ଜିଲ୍ଲାର କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁପାଳନ, ଶିକ୍ଷା, ସ୍ୱାସ୍ଥ୍ୟ, ଖାଉଟି ଯୋଗାଣ, ଜଳସମ୍ପଦ, ନିୟୋଜନ, ସମାଜ ମଙ୍ଗଳ, ଏ.ଆର୍.ସି.ଏସ୍, ଆର୍.ଡବ୍ଲ୍ୟୁ.ଏସ୍.ଏସ୍, ଜିଲ୍ଲା ମଙ୍ଗଳ ବିଭାଗ, ବନ ବିଭାଗ, ୱାଟରଶେଡ୍, ଏଲ୍.ଡି.ଏମ୍ ଓ ଓରମାସ୍ ସମେତ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରି ଅଧିକ ତତ୍ପରତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରି ଜିଲ୍ଲାର ସାମଗ୍ରିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।




