Odisha News

ବୌଦ୍ଧଜିଲ୍ଲା ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୮: ବୌଦ୍ଧଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ପୂର୍ତବିଭାଗ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ ଅଧ୍ୟକ୍ଷତା କରି ରାଜ୍ୟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସରକାର ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଥିବାରୁ ସେ ସମାଲୋଚନା କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଯୁବନେତା ଅବକାଶ ସାହୁ ଯୋଗ ଦେଇ ବର୍ତ୍ତମାନ ଅଗଷ୍ଟ ମାସ ସରିବାକୁ ବସିଥିବା ବେଳେ ରାଜ୍ୟ ସରକାର ଅଙ୍ଗନୱାଡି ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏଯାବତ ପୋଷାକ, ଜୋତା, ମୋଜା ମିଳିନାହିଁ । ସୁଭଦ୍ରା ଯୋଜନା କାର୍ଯ୍ୟକୁ ନେଇ ପ୍ରଶ୍ନ କରିବା ସହିତ ବିଜୁଳି ବିଲ ରିନିଶହ ୟୁନିଟ ଛାଡ କରିବା, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତା ତିନି ହଜାର ଟଙ୍କା ଦେବା କହି ଓଡିଶାବାସୀଙ୍କୁ ପ୍ରତାରଣା କରିଛନ୍ତି । ଜିଲ୍ଲାରେ ଅବାଧରେ ଚାଲିଛି ଜିଲ୍ଲା ଓ ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ଚାଲିଛି , ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଲିର କୂତୃିମ ପାହଡ ଗଦା ହୋଇ ଗଛିତ ହୋଇ ରହିଥିବା ବେଳେ ଖଣି ଓ ରାଜସ୍ୱ ବିଭାଗ ସଂପୂର୍ଣ୍ଣ ନିରବ ଦ୍ରଷ୍ଟା ସାଜିଛନ୍ତି ।
ବର୍ତ୍ତମାନ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ପିସି ନ ଦେଲେ ଫାଇଲ ଆଗକୁ ବଢୁନାହିଁ ବୋଲି ଅଭିଯୋଗ କରିବା ସହିତ ନୂଆଁ ସରକାର ଆସିବା ପରେ ସମସ୍ତ ଉନ୍ନୟନ କାର୍ଯ୍ୟ ଠପ ହୋଇ ପଡିଛି । ପୂର୍ବ ସରକାର ସମୟରେ ଚାଲିଥିବା ବିଭିନ୍ନ ଉନ୍ନୟନ ଯୋଜନାକୁ ବନ୍ଦ ନ କରିବାକୁ ଦଳ ପକ୍ଷରୁ କୁହାଯାଇଛି । ଯଦି ବନ୍ଦ କରାଯାଏ ତାହାହେଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ।
ବୌଦ୍ଧ ସଡକ ସୁରକ୍ଷା କମିଟି ବୈଠକ,ଦୁର୍ଘଟଣା ରୋକିବାକୁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ବୌଦ୍ଧ,୩୦/୮: ବୌଦ୍ଧଜିଲ୍ଲାରେ ଦୁର୍ଘଟଣା ହାର ହୁହୁ ହୋଇ ବୃଦ୍ଧି ପାଇଚାଲିଥିବାବେଳେ ବୌଦ୍ଧଜିଲ୍ଲା ସଡକ ସୁରକ୍ଷା କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଜିଲ୍ଲାପାଳ ଶ୍ରୀପଣ୍ଡା ଉଦବେଗ ପ୍ରକାଶ କରିବା ସହିତ ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳ ଗୁଡିକୁ ଚିହ୍ନଟ କରାଯାଇ ଗାଡିଚାଳକମାନଙ୍କ ପାଇଁ ଉପଯୁକ୍ତ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ଟ୍ରାଫିକ୍ ନିୟମ କଡାକଡି ଭାବରେ ଲାଗୁ କରିବାକୁ ଜିଲ୍ଲାପାଳ ଶ୍ରୀପଣ୍ଡା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।
ଜାତୀୟ ରାଜପଥରେ ସମସ୍ତ ଦୁର୍ଘଟଣାସ୍ଥଳ କୁ ଚିହ୍ନଟ କରାଯାଇ ଗତି କମାଇବାକୁ ଗାଡିଚାଳକମାନଙ୍କ ପାଇଁ ସୂଚନା ଫଳକ ଲଗାଇବା ଓ ବିପଦଜନକ ସ୍ଥାନରେ ରମ୍ବଲର ନିର୍ମାଣ କରାଇବା,ବୌଦ୍ଧ ଏନଏସି ଛକ,ମହାନଦୀ ବ୍ରିଜଛକ ଠାରେ ସିସିଟିଭି କ୍ୟାମେରା ଲଗାଇବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ ପାଇଁ ସରକାର ଘୋଷଣା କରିଥିବାବେଳେ ଏହାର ପ୍ରଚାର ପ୍ରସାର ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ପ୍ରତି ବୁଧବାରକୁ ନୋ ଟଲରେନସ ଦିବସ ଭାବରେ ସମସ୍ତ ଯାନବାହାନ ଯାଞ୍ଚ କରାଯିବା, ସହରମଧ୍ୟକୁ ଭାରିଯାନ ପ୍ରବେଶ ପାଇଁ ସମୟ କଟକଣା କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଜାତୀୟ ରାଜପଥରେ ନିର୍ମାଣ କରାଯାଇଥିବା ସେତୁ ଓ ରାସ୍ତା ସଂଯୋଗୀକରଣ ସମତୁଲ ନଥିବାରୁ ଏହା ଦୁର୍ଘଟଣାର କାରଣ ପାଲଟୁଥିବା ନେଇ ବୈଠକରେ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜାତୀୟ ରାଜପଥ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏହାର ମରାମତି କରିବାକୁ ଶ୍ରୀପଣ୍ଡା ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାସ୍ତା ଉପରକୁ ଝୁଲି ରହିଥିବା ଗଛ ଓ ରାସ୍ତା ଉପରୁ ମାଡି ଆସିଥିବା ବୁଦାଗୁଡିକ କାଟି ସଫା କରିବା,ରମ୍ବଲର ନିର୍ମାଣ ସ୍ଥାନ ଗୁଡିକୁ ସୂଚନା ଫଳକ ଦ୍ୱାରା ଚିହ୍ନଟ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ଉପ ଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ,ଡିଏସପି ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ,ଏମଭିଆଇ ଗୋପାଳ ଚନ୍ଦ୍ର ହାଂସଦା,ସହକାରୀ ଯନ୍ତ୍ରୀ ପୁର୍ତ୍ତ ବିଭାଗ କୁନା ଚରଣ ସିଂହ,କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ଖାକୁ ସିଂହ,ନିର୍ବାହୀ ଅଧିକାରୀ ବୌଦ୍ଧ ଏନଏସି ସ୍ୱସ୍ତିକ ଜମାଦାର,ଅତିରିକ୍ତ ମୁଖ୍ୟଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ଜିଲା ଟ୍ରକ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର ଓ ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

କତମ ସିଂ ଗ୍ରାମରେ ସପ୍ତାହେ ହେଲା ବୃଦ୍ଧ ନିଖୋଜ, ଖୋଜିବାକୁ ଖଟ ଦେବତାଙ୍କ ସାହାରା ନେଲେ ପରିବାର

ବୌଦ୍ଧ , ୩୦/୮: ବୌଦ୍ଧ ଥାନା ଟିକରପଡ଼ା ଗ୍ରାମ ପଞ୍ଚାୟତ କତମସିଂ ଗ୍ରାମରେ ସପ୍ତାହେ ହେଲା ଜଣେ ବୃଦ୍ଧ ନିଖୋଜ ହେବା ଘଟଣାରେ ପରିବାର ଲୋକ ଖଟ ଦେବତାଙ୍କ ସାହାରା ନେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ଜଡାପାଲ ଗ୍ରାମର ବିଷ୍ଣୁ ମହା ନନ୍ଦିଆ ନିଜ ଝିଅ ଜ୍ୱାଇଁଙ୍କ ଘରେ ଆଜକୁ ୩୦ ବର୍ଷ ହେବ କତମ୍ ସିଂ ଗ୍ରାମରେ ରହୁଥିଲେ । ଗତ ସପ୍ତାହେ ତଳେ ବିଷ୍ଣୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରି ତାଙ୍କର କୌଣସି ସନ୍ଧାନ ନପାଇ ନିରାଶ ହୋଇଥିଲେ ।
ବିଷ୍ଣୁଙ୍କ ଜ୍ୱାଇଁ ତଥା ଟିକରପଡ଼ା ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ଫଗୁ ରଣବିଡା ଶ୍ବଶୁରଙ୍କୁ ଖୋଜିବା ପାଇଁ ଆଜି ତାନ୍ତ୍ରୀକଙ୍କ ସାହାରା ନେଇଥିଲେ । ଆମ୍ବଝରୀ ଗ୍ରାମ ପଞ୍ଚାୟତ କରଡାପଡା ଗ୍ରାମର ଖଟ ମହାପୁରୁ ସାଧନା କରିଥିବା ଜଣେ ବୃଦ୍ଧ ତାନ୍ତ୍ରୀକଙ୍କୁ ଡାକିଥିଲେ ।
ଆଜି ଅପରାହ୍ନ ରେ ଏକ ଖଟକୁ ପୂଜାର୍ଚ୍ଚନା କରିବା ପରେ ୪ ଜଣ ବ୍ୟକ୍ତି ଖଟକୁ ଧରି ସାଲୁଙ୍କି ନଦୀ କୁଳେ କୁଳେ ବୁଲାଇ ଥିଲେ । ଖଟ ମହାପୁରୁ ଦେଖିବା ପାଇଁ କୌତୂହଳ ବଶତଃ ଆଜି ଅନେକ ସ୍ଥାନୀୟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶେଷ ସୁଚନା ଅନୁଯାୟୀ ନିଖୋଜ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିପାରିନାହିଁ ।
ପଶ୍ଚିମ ଓଡିଶା ବିକାଶ ପରିଷଦ ପରିବେଶ ପାର୍କ (ନନ୍ଦନବନ ) ପୁନଃରୁଦ୍ଧାର ହେବାକୁ ଦାବୀ
ବୌଦ୍ଧ,୩୦/୮: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଖଜୁରୀପଡା ସ୍ଥିତ ପଶ୍ଚିମ ଓଡିଶା ବିକାଶ ପରିଷଦ ପରିବେଶ ପାର୍କ (ନନ୍ଦନବନ ), ଯାଯାବର ଠାରେ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର ଓ ବୀରନରସିଂହପୁର ସରପଞ୍ଚ ଚନ୍ଦନା ବେହେରାଙ୍କ ଆହହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ନନ୍ଦନବନ ଯାଯାବର ବନ୍ଦ ହୋଇଯିବାରୁ ସମସ୍ତ ଜିନିଷ ଖଳ ପ୍ରକୃତି ଲୋକ ଭାଙ୍ଗି ଦେଇଥିବାରୁ ଅଂଚଳର ବୁଦ୍ଧିଜୀବୀ ମାନେ କ୍ଷଭୋ ପ୍ରକାଶ ସହିତ ନିନ୍ଦା କରାଯାଇଥିଲା । ଏହି ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ସମ୍ମାନିତ ଅତିଥି ଭାବେ ପରିବେଶବିତ ଅଧ୍ୟାପକ ପ୍ରବୀର କୁମାର ଦାସ, କେଦାରନାଥ ସାହୁ, ସ୍ୱରାଜ କୁମାର କଂହର, ଜଗବନ୍ଧୁ ପାତ୍ର, ଦେବାଶିଷ ମହାକୁଳ, କୃତ୍ତିବାସ ପଲିଆ ପ୍ରମୁଖ ଯୋଗଦେଇ ଥିବା ବେଳେ ବିଭିନ୍ନ ଆଲୋଚନା କରାଯାଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା ।
ଆବାହକ କମିଟି ମୁଖ୍ୟ ଭାବେ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ସଦସ୍ୟ ଭାବେ ବିରନରସିଂପୁର ସରପଞ୍ଚ ଚନ୍ଦନା ବେହେରା, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର,ବନ ସରକ୍ଷଣ ସମିତି ସଭ୍ୟ ଅଲେଖ ବଗର୍ତ୍ତୀ, ଚନ୍ଦନ ପ୍ରଧାନ, ନିର୍ଗୁଣ ମହାକୁଡ଼, ମନୋଜ ଡାଙ୍ଗ, ରତ୍ନାକର ଅଦର, ସୁଷମା ଲଉରୀଆ, ଓ ହର ପଣ୍ଡାଙ୍କୁ ମନୋନୀତ କରାଯାଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ଯାଯାବର ଚାଲୁ କରିବା ସହିତ ନନ୍ଦନବନ କାର‌୍ୟ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଦାବୀ ଉପସ୍ଥାପନା କରିଥିଲେ ।
ଉକ୍ତ ବୈଠକରେ ଚିତ୍ତରଞ୍ଜନ ବେହେରା , ଉଦ୍ଧବ କଳତା, ଅଲେଖ ବଗର୍ତ୍ତୀ, ସଦାଶିବ ପାତ୍ର, ଅଖିଳ ପ୍ରଧାନ,ଶିବ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.