Odisha News

ବୌଦ୍ଧ ଜିଲ୍ଲାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ : ଜନ ସଚେତନତା ଶୋଭାଯାତ୍ରା, ସାଧାରଣ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୫: ବୌଦ୍ଧ ଜିଲ୍ଲା ରେଡକ୍ରସ ସୋସାଇଟି ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଏକ ଜନ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିଲା ।
ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ପ୍ରମୁଖ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ ।
ଏଥିରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଯୁବ ରେଡକ୍ରସ ସଦସ୍ୟ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ସମାଜସେବୀ ସଂଗଠନର ସଦସ୍ୟମାନେ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଆରକ୍ଷୀ ବାହିନୀ ପ୍ରମୁଖ ଯୋଗଦେଇ ମାନବ ସେବା, ରକ୍ତଦାନ ଓ ଦୁର୍ଯ୍ୟୋଗ ସମୟରେ ସହଯୋଗର ସନ୍ଦେଶ ପ୍ରଚାର କରିଥିଲେ ।
ପରେ ବୌଦ୍ଧ ଟାଉନ ହଲ୍‌ରେ ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ ସଭାପତିତ୍ଵ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏଠାରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ବିଡିଓ ବୌଦ୍ଧ ଯୁଗଳ କିଶୋର ବିଶ୍ବାଳ, ତହସିଲଦାର ଅନିତା କୁମାରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ବାଗତ ସମ୍ଭାଷଣ ସହିତ ସଭାପରିଚାଳନା କରିଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୋଇ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ସଭାରେ ଅତିଥିମାନେ ରେଡକ୍ରସର ସଂସ୍ଥାପକ ସାର୍ ହେନ୍ରି ଡ୍ୟୁନାଣ୍ଟଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ସମାଜ ପ୍ରତି ମହାନ ଅବଦାନକୁ ସ୍ମରଣ କରିଥିଲେ କ୍ଷ ମାନବତା, ନିଷ୍ପକ୍ଷତା, ସମାଜ ସେବା ଓ ସହଯୋଗ ଭଳି ରେଡକ୍ରସର ମୂଳ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ଟାଉନ ହଲଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସଭା ମଞ୍ଚରେ ଉପଜିଲ୍ଲାପାଳ, ତହସିଲଦାର ବୌଦ୍ଧ, ଅବକାରୀ ଅଧିକ୍ଷକ ପ୍ରମୁଖଙ୍କୁ ରେଡକ୍ରସକୁ ଅଧିକ ସହାୟତା ପାଣ୍ଠି ଯୋଗାଇଥିବାରୁ ସମ୍ମାନିତ କରାଯାଇଥିଲା। ରେଡ଼ କ୍ରସ୍ ର ସ୍ଵେଚ୍ଛା ସେବୀ ଏବଂ ଲାଇଫ୍ ଟାଇମ ମେମ୍ବର ଓ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରକ୍ତଦାନ ଶିବିରରେ ଅନ୍ୟମାନଙ୍କ ସହ ଡି.ଡବ୍ଲୁ.ଓ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ, ଏବଂ ତାଙ୍କ ପୁଅ ଓ ଝିଅ ମିଳିତ ଭାବରେ ରକ୍ତଦାନ କରିଥିଲେ ।ସମାରୋହରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ, ରେଡକ୍ରସ କର୍ମକର୍ତ୍ତା, ଯୁବ ରେଡକ୍ରସ ସଦସ୍ୟ, ଆରକ୍ଷୀ ବାହିନୀ , ବହୁ ସଂଖ୍ୟକ ଛାତ୍ରଛାତ୍ରୀ , ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ସମାଜସେବା ମାଧ୍ୟମରେ ମାନବତାର ସୁରକ୍ଷା ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ କରିବାକୁ ସମସ୍ତେ ସଙ୍କଳ୍ପ ନେଇଥିଲେ ।

Related Posts