Odisha News

ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ : ୱାକାଥନ ଓ ସାଧାରଣ ସଭା ମାଧ୍ୟମରେ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୧୦ : ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଆଜି ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି।
ଦୁର୍ନୀତିମୁକ୍ତ ସମାଜ ଗଠନ, ସାଧୁତା, ସ୍ୱଚ୍ଛତା ଓ ନୈତିକ ମୂଲ୍ୟବୋଧର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱାକାଥନ ଓ ସଚେତନତା ସାଧାରଣ ସଭା ମାଧ୍ୟମରେ ଜନସାଧାରଣଙ୍କୁ ଦୁର୍ନୀତି ବିରୋଧରେ ସଚେତନ କରାଯାଇଥିଲା।
ଏହି ଅବସରରେ ଆଜି ସକାଳ ୯ଟା ସମୟରେ ସ୍ଥାନୀୟ ଦୁର୍ନୀତି ନିବାରଣ ଶାଖା କାର୍ଯ୍ୟାଳୟଠାରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଏକ ବିଶାଳ ୱାକାଥନ ଅନୁଷ୍ଠିତ ହୋଇଥିଲା।
ଏଥିରେ ମିଶନ ଶକ୍ତିର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଛାତ୍ରଛାତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ସାଧାରଣ ନାଗରିକ ସାମିଲ ହୋଇ ଦୁର୍ନୀତି ବିରୋଧରେ ସାମୂହିକ ସଚେତନତାର ବାର୍ତ୍ତା ପ୍ରସାର କରିଥିଲେ।
ଏହାପରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଏକ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଓ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ମୁଖ୍ୟବକ୍ତା ଭାବରେ ଶ୍ରୀ ଶିବଦତ୍ତ ପଟ୍ଟନାୟକ, ଅଧ୍ୟାପକ, ମହିଳା ମହାବିଦ୍ୟାଳୟ, ବୌଦ୍ଧ ଯୋଗଦେଇଥିଲେ।
ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସାଧୁତାର ଶପଥ ପାଠ କରାଇଥିଲେ। ଏହାପରେ ଡିଏସପି, ଭିଜିଲାନ୍ସ ସୁରେଶ କୁମାର କହଁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗଙ୍କ ପକ୍ଷରୁ ଚଳିତ ବର୍ଷର ମୂଳ ବାର୍ତ୍ତା ସାଧୁତାରୁ ସମୃଦ୍ଧି” (ଚକ୍ସକ୍ଟଭସଗ୍ଧଚ୍ଚ ଲକ୍ଟକ୍ସ ଚକ୍ସକ୍ଟଗ୍ଦକ୍ଟ୍ରରକ୍ସସଗ୍ଧଚ୍ଚ) ରଖାଯାଇଛି।
ଏହି ପ୍ରସଙ୍ଗ ଉପରେ ଆଲୋକପାତ କରି ଅତିଥିମାନେ ଦୁର୍ନୀତିର ଭୟାବହତା, ଏହାର ସାମାଜିକ ଓ ଆର୍ଥିକ କୁପ୍ରଭାବ ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ନିରପେକ୍ଷତା ଓ ସଚ୍ଚୋଟତାକୁ କାର୍ଯ୍ୟସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ସହ ନିଜର ଦୈନନ୍ଦିନ ଜୀବନ ଓ କର୍ମକ୍ଷେତ୍ରରେ ଉଚ୍ଚ ନୈତିକ ମାନଦଣ୍ଡ ବଜାୟ ରଖିବାକୁ ସେମାନେ ଆହ୍ୱାନ ଦେଇଥିଲେ।
ଦୁର୍ନୀତି ବିରୋଧରେ କେବଳ ସରକାରୀ ସ୍ତରରେ ନୁହେଁ, ବରଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ ଓ ଜନଭାଗିଦାରୀ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବାବେଳେ ଶେଷରେ ଡିଏସପି, ଭିଜିଲାନ୍ସ ଜଗବନ୍ଧୁ ଅଙ୍ଗରିଆ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସ୍ୱେଚ୍ଛାସେବୀ, ଜିଲ୍ଲାସ୍ତରୀୟ ଓ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବୌଦ୍ଧ ଦୁର୍ନୀତି ନିବାରଣ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।
ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଓ ସମୃଦ୍ଧ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକ ନିଜ ଜୀବନରେ ସାଧୁତା ଓ ସଚ୍ଚୋଟତାକୁ ଆପଣାଇବା ସହ ଦୁର୍ନୀତିକୁ ନା କହିବା ଏବଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

Related Posts