ବୌଦ୍ଧ ଜିଲ୍ଲାପାଳଙ୍କ ହରଭଂଗା ବ୍ଲକ୍ ବିଭିନ୍ନ ଗ୍ରାମ ପରିଦର୍ଶନ : ଗ୍ରାମବାସୀଙ୍କୁ ଭେଟି ପାନୀୟ ଜଳ, ରାସ୍ତାଘାଟ ଓ ଭିତ୍ତିଭୂମି ସମସ୍ୟା ଅନୁଧ୍ୟାନ କଲେ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩ /୫ : ବୌଦ୍ଧ ଜିଲ୍ଲାପାଳ ଆଜି ହରଭଂଗା ବ୍ଲକ୍ ର ବିଭିନ୍ନ ଗ୍ରାମ ପରିଦର୍ଶନ କରି ପାନୀୟ ଜଳ, ରାସ୍ତାଘାଟ ଓ ବିଭିନ୍ନ ଭିତ୍ତିଭୂମି ସମସ୍ୟା ଅନୁଧ୍ୟାନ କରିଥିଲେ ।
କାଚପାଜୁ ଗ୍ରାମକୁ ସକାଳ ସମୟରେ ପହଞ୍ଚି ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀମାନେ ତାଙ୍କ ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଦାବି କରିଥିଲେ।
ଏହା ସହିତ ଏକ ଚେକଡ୍ୟାମ ନିର୍ମାଣ, ନଳକୂପ ମରାମତି ଏବଂ ଆଡେଣୀଗଡରୁ ତାଙ୍କ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରିବା ପାଇଁ ଅନୁରୋଧ କରିଥିଲେ।
ଜିଲ୍ଲାପାଳ ନଳକୂପ ମରାମତି ଏବଂ ଚେକଡ୍ୟାମ ନିର୍ମାଣ ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା କାମକୁ ଡବ୍ଲୁ ଓ ଡି ସି ଯୋଜନାରେ ନିର୍ମାଣ କରାଯିବ ବୋଲି କହିଥିଲେ।
ଏହାପରେ ଆଡେଣୀଗଡ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ପାନୀୟ ଜଳ ସମସ୍ୟା ବିଷୟରେ ଜଣାଇଥିଲେ। ସମସ୍ତ ଟ୍ୟୁବୱେଲ ଓ କୂଅ ଶୁଖି ଯାଇଥିବାରୁ ପାଣି ସମସ୍ୟା ହୋଇଥିଲା।
ଜିଲ୍ଲାପାଳ ବିଡ଼ିଓ ଓ ଯନ୍ତ୍ରୀଙ୍କୁ ତୁରନ୍ତ ୩ଟି ଟ୍ୟାଙ୍କର ମାଧ୍ୟମରେ ଗ୍ରାମକୁ ପାଣି ଯୋଗାଣ କରିବାକୁ ଓ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗଭୀର ବୋରୱେଲ ଖନନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ କୁସୁମଝୋଲି ଗ୍ରାମ ଗସ୍ତ ସମୟରେ ଗ୍ରାମବାସୀ ମାନେ ସୋଲାର ଚାଳିତ ଜଳ ଯୋଗାଣ, କେନାଲ ମରାମତି ଓ ରାସ୍ତାରେ କଳ୍ଭର୍ଟ ନିର୍ମାଣ ଦାବି କରିଥିଲେ। କଲେକ୍ଟର ଏସବୁ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ହରଭଂଗା ବିଡ଼ିଓ ବିଜୟ ପ୍ରଧାନ ଓ ବ୍ଲକ୍ ର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।




