ବୌଦ୍ଧ କୃଷି ବଜାରରେ “ଗାଁ ଆମ୍ବ ପସରା” ଉଦ୍ଘାଟିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୬ : ଓରମାସ, ବୌଦ୍ଧ ଆନୁକୂଲ୍ୟରେ ଆଦର୍ଶ କୃଷି ବଜାର, ବୌଦ୍ଧ ଠାରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ “ଗାଁ ଆମ୍ବ ପସରା” ଆଜି ଉଦ୍ଘାଟିତ ହୋଇଯାଇଛି।
ଜିଲ୍ଲାପାଳ ବୌଦ୍ଧ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀର ଶୁଭ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ସ୍ଥାନୀୟ କୃଷିଜାତ ଉତ୍ପାଦର ପ୍ରଚାର-ପ୍ରସାର ଓ ବିପଣନ ପାଇଁ ଓରମାସର ଏହି ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଥିଲେ।
ଉଦ୍ଘାଟନ ପରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନେ ପ୍ରଦର୍ଶନୀ ପରିଦର୍ଶନ କରି ବିଭିନ୍ନ ପ୍ରଜାତିର ଆମ୍ବ ଷ୍ଟଲ୍ଗୁଡ଼ିକ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୧୬ ଜୁନ ପର୍ଯ୍ୟନ୍ତ ଚାଲିବ। ପ୍ରଦର୍ଶନୀରେ ହରଭଙ୍ଗା ଏଫ୍ପିଓ (FPO) ଓ ଶ୍ରୀରାମ ପିଜି, ପୋଲମରର ଚାଷୀମାନେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଓ ଉତ୍କୃଷ୍ଟମାନର ଆମ୍ବ ବିକ୍ରୟ କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ ଭୋଇ, ଓରମାସର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ କୁମାରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ସଦସ୍ୟା, ଚାଷୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଜିଲ୍ଲାବାସୀଙ୍କୁ ଏହି ଆମ୍ବ ପ୍ରଦର୍ଶନୀ ପରିଦର୍ଶନ କରି ସ୍ଥାନୀୟ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଓରମାସ ପକ୍ଷରୁ ଅନୁରୋଧ କରାଯାଇଛି।




