ବିରୋଧୀଙ୍କ ହଟ୍ଟଗୋଳ ଥମିଲାନି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ୱର, ୧୯/୧୧ : ଗତ ବଜେଟ୍ ଅଧିବେଶନ ଏବଂ ମୌସୁମୀ ଅଧିବେଶନ ଭଳି ଚଳିତ ଶୀତ ଅଧିବେଶନରେ ସମାନ ସ୍ଥିତି ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ମଧ୍ୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଦ୍ୱିତୀୟ କାର୍ଯ୍ୟଦିବସରେ ପ୍ରଶ୍ନକାଳ ଆରମ୍ଭରୁ ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ବିଜେଡ଼ି ବିପର୍ଯ୍ୟୟ ପରିଚାଳନାରେ ସରକାର ବିଫଳ ପ୍ରସଙ୍ଗରେ ଓ କଂଗ୍ରେସ କୋଟିଆ ପ୍ରସଙ୍ଗରେ ପ୍ରତିବାଦ କରିଥିଲା ।
ସେହିପରି କଂଗ୍ରେସ ମଧ୍ୟ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା । ବିଜେଡ଼ି ବିପର୍ଯ୍ୟୟ ପରିଚାଳନା ଏବଂ କଂଗ୍ରେସ କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା ।
ବିରୋଧୀଙ୍କ ହୋହଲ୍ଲା ଭିତରେ ମାତ୍ରା କିଛି ମିନିଟ ଚଳିପାରିଲା ଗୃହ । ଶେଷରେ ବାଚସ୍ପତି ପ୍ରଶ୍ନକାଳକୁ ବାତିଲ କରି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ।
ସେପଟେ ବିଜେପି ବିଧାୟକ ଅଗସ୍ତି ବେହେରା ପ୍ରତିକ୍ରିୟା ଦେଇ କହିଛନ୍ତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ସରକାର କରିପାରିବେ ନାହିଁ। କୋଟିଆ ପ୍ରସଙ୍ଗରେ ସରକାର ଅବଗତ ଅଛନ୍ତି ଓ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି ।
ଏଥିରେ ସର୍ବଦଳୀୟ ସମର୍ଥନ ମଧ୍ୟ ରହିଛି । ବିଜେଡ଼ି ଯେଉଁ ବନ୍ୟା ଓ ବାତ୍ୟା ପ୍ରସଙ୍ଗ ଉଠାଉଛି, ତାହାର ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ସକ୍ଷମ ଅଛନ୍ତି । ସରକାର ଆଗୁଆ ପଦକ୍ଷେପ ବି ନେଇଛନ୍ତି। ବାତ୍ୟାବନ୍ୟା ପରିସ୍ଥିତିକୁ ନେଇ ଜାଣିଶୁଣି ବିଧାନସଭା ଗୃହକୁ ବନ୍ଦ କରିବା ବା ଗୃହର କାର୍ୟ୍ୟ ବାଧାଦେବା ଠିକ ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ ।
ସେହିପରି ବିଧାୟକ ଅଗସ୍ତି ବେହେରା ଆହୁରି କହିଛନ୍ତି ଯେ ଗୃହ ଚାଲିଲେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିଥାନ୍ତେ କ୍ଷ ଗୃହ ଅଚଳ ରହିବା ଯୋଗୁଁ ସେହି ସୁଯୋଗ ମିଳୁନାହିଁ। ଓଡ଼ିଶାବାସୀଙ୍କ ଟିକସ ଟଙ୍କାରେ ବିଧାନସଭା ଚାଲୁଛି। ଗୃହ ଅଚଳ ରହିବା ଦ୍ୱାରା ଓଡ଼ିଶାବାସୀଙ୍କ ଅର୍ଥର ଅପଚୟ ହେଉଛି। ଏହି କଥାକୁ ବିରୋଧୀ ଦଳ ଉପଲବ୍ଧି କରିବା ଆବଶ୍ୟକ।




