ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୬/୮: ଆସନ୍ତା ୨୦ ତାରିଖ ଯାଏ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୫ ଦିନ ପ୍ରବଳ ବର୍ଷା, ବଜ୍ରପାତ ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।
ସେହିପରି ରବିବାର ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ଝଡ଼ପବନ ହେବାର ପୂର୍ବାନୁମାନ କରାଯାଇଛି।
ସୋମବାର ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ରହିଛି, ଯେଉଁଠାରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।
ଏହାସହ କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ବାକି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାଚ୍ ଜାରି କରାଯାଇଛି । ୧୮ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ରାଜ୍ୟର ଅବଶିଷ୍ଟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବା ସହ ବଜ୍ରପାତର ପୂର୍ବାନୁମାନ କରାଯାଇ ଆଲର୍ଟ ଜାରି କରାଯାଇଛି ।




