Odisha News

ଫେବ୍ରୁଆରି ୮ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଭୁୁବନେଶ୍ୱର, ୨/୨: ଫେବୃଆରୀ ୮ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ବଣ୍ଟନ କରାଯିବ ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ପୂର୍ବରୁ ହିତାଧିକାରୀ ଫେବୃଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ ଏନପିସିଆଇ ଚେକ୍ କରି ପାରିବେ । ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ।
ଚତୁର୍ଥ ପର୍ଯ୍ୟାୟରେ ଏକ କୋଟି ଟପିପାରେ ହିତାଧିକାରୀ ସଂଖ୍ୟା । ଫେବୃଆରୀରେ ଯଦି ଚତୁର୍ଥ ପର୍ଯ୍ୟାୟ କିସ୍ତିରୁ ବଞ୍ଚିତ ହୁଅନ୍ତି ତେବେ ଯାଞ୍ଚ କରିବା ପାଇଁ ମାସେ ସମୟ ରହିଛି । ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ କଲେ ଟଙ୍କା ପାଇ ପାରିବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଡିସେମ୍ବର ୨୫ରେ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଥିଲା । ତେବେ ହିତାଧିକାରୀଙ୍କ ବ୍ୟାଙ୍କ ସଂପର୍କିତ ସମସ୍ୟା ରହିବା ଏବଂ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ପାଇଁ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।
ଏହା ପୂର୍ବରୁ ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିଥିଲା । ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ସୁଭଦ୍ରା ଟଙ୍କା ଜାରି କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦ ଜଣ ମହିଳାଙ୍କୁ ଡମି ଚେକ୍ ପ୍ରଦାନ କରିଥିଲେ ।
ସେହିପରି ଆସନ୍ତା ମାର୍ଚ୍ଚରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଫେବୃଆରୀ ୮ ତାରିଖ ସୁଦ୍ଧା ଓଡିଶାର ଏକ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ମିଳିଯିବ ।

Related Posts