ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ: ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପମାଲ୍ୟ ଅର୍ପଣ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୭/୪ : ଆଜି ହେଉଛି ଓଡ଼ିଶାର ବର ପୁତ୍ର ତଥା ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ । ଏଥିପାଇଁ ବିଭିନ୍ନସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିନ୍ଦୁ ସାଗର କୂଳରେ ତିଳତର୍ପଣ କରାଯାଇଛି । ଗୁରୁବାର ସକାଳେ ବିଜେଡ଼ିର ବହୁ ନେତାମାନେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ବିନ୍ଦୁ ସାଗର କୂଳରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଛି । ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ରୀତିନୀତି ଅନୁଯାୟୀ ତିଳତର୍ପଣ କରିଛନ୍ତି ।
୧୯୧୬, ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ । ଏପ୍ରିଲ ୧୭ ତାରିଖର, ୧୯୯୭ ଇହଲୀଳା ସମ୍ବରଣ କରିଥିଲେ । ସେ ଓଡ଼ିଶାର ତୃତୀୟ ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୬୧ ରୁ ୧୯୬୩ ଏବଂ ୧୯୯୦ ରୁ ୧୯୯୫ ପର୍ୟ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ । ସେହିପରି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ି କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି । ସେ ୧୯୭୯ ରୁ ୧୯୮୦ ଏବଂ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ୧୪ତମ ଇସ୍ପାତ ଓ ଖଣି ଏବଂ ପ୍ରଥମ କୋଇଲା କେନ୍ଦ୍ର ମନ୍ତ୍ରୀ ଥିଲେ । ଏକ ଆଧୁନିକ ଓଡ଼ିଶା ନିର୍ମାଣ କରିବାରେ ତାଙ୍କର ଅବଦାନ ଚୀର ସ୍ମରଣୀୟ ହୋଇ ରହିବ । କଳିଙ୍ଗ ଏୟାର ଲାଇନ୍ସ, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର ବିମାନ ବନ୍ଦର, ହୀରାକୁଦ ଡ୍ୟାମ, ସୈନିକ ସ୍କୁଲ ଆଦି ତାଙ୍କର ଅତୁଳନୀୟ ଅବଦାନ ରହିଛି ।