ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଶୀତ ଫେରିଛି : ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା - Odisha News Online
Odisha News

ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଶୀତ ଫେରିଛି : ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା

ଭୁବନେଶ୍ବର, ୨୭/୧୧ : ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଶୀତ ଫେରିଛି । ରାଜ୍ୟର ପାରଦସ୍ତର ଏବେ ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡ଼ ଜିଲ୍ଲା କିରେଇଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି।
ରାଜ୍ୟର ୧୯ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୧୦ ଡିଗ୍ରି, ଶିମିଳିପାଳରେ ୧୦ ଡିଗ୍ରି, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୧୦.୫ଡିଗ୍ରି, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୦.୮ ଡିଗ୍ରି ଓ କୋରାପୁଟର ସେମିଳିଗୁଡ଼ାରେ ୧୦.୯ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।
ଅନ୍ୟପଟେ ଗତରାତିରେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ତାପମାତ୍ରା ମଧ୍ୟ ୧୫ ଡିଗ୍ରି ତଳକୁ ଖସିଛି। ଭୁବନେଶ୍ବରର ରାତି ତାପମାତ୍ରା ୧୪.୫ ଡିଗ୍ରି ଓ କଟକର ୧୫ ଡିଗ୍ରି ରହିଥିଲା। ରାତି ତାପମାତ୍ରା ଏବେ ବିଶେଷ ତଳକୁ ଖସିବାର ସମ୍ଭାବନା କମ୍ ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ ବଢ଼ି ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ର କହିଛି ଯେ ରାଜ୍ୟରେ ଶନିବାର ଦିନ ଆକାଶ ନିର୍ମଳ ରହିଥିଲା। ପାଗ ଖରାଟିଆ ଥିଲା ଓ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ବିଶେଷ କରି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ କୁହୁଡ଼ି ପଡ଼ିଥିଲା। ଆସନ୍ତାକାଲି ମଧ୍ୟ ଏହି ୪ ଜିଲ୍ଲାରେ କୁହୁଡ଼ି ପଡ଼ିବା ସହ ଦିନରେ ରାଜ୍ୟର ପାଗ ଖରାଟିଆ ରହିବ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ସମ୍ପୂର୍ଣ୍ଣ ମେଘୁଆ ରହିବ। ଦିନର ତାପମାତ୍ରା ୨୯ ଡିଗ୍ରି ଓ ରାତ୍ରି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ମିଳିଛି।

Related Posts