ନବଜାତ ଶିଶୁକନ୍ୟାକୁ ବୁଦାମୂଳେ ଫିଙ୍ଗିଦେଲେ, ଉଦ୍ଧାର କଲେ ଆଶା କର୍ମୀ
ମୟୂରଭଞ୍ଜ , ୨୮/୨ : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତ ଶିଶୁ କନ୍ୟାକୁ ଫିଙ୍ଗିଦେଇ ଚାଲିଗଲା ଜନ୍ମକଲା ମା’ । ନବଜାତ ଶିଶୁ କନ୍ୟାକୁ ମୋରଡା ବ୍ଲକ ଝିଙ୍କିରିଆର ଆଶାକର୍ମୀ ସାବିତ୍ରୀମଣୀ ଜେନା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଝିଙ୍କିରିଆ ଗ୍ରାମର ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ଘର ବାଡି ପଛପଟେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ପକାଇ ପଳାଇଥିଲେ । ଆଶାକର୍ମୀଙ୍କ ଝିଆରୀ ବାଡ଼ି ପଛପଟୁ ଗୋଟିଏ ଛୋଟ ଛୁଆର କାନ୍ଦ ଶୁଣି ସେଠାକୁ ଯାଇଥିଲେ । ସେଠାରେ ଲଟା ବୁଦା ଭିତରେ ଶିଶୁ କନ୍ୟାଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ସେ ଆଶାକର୍ମୀଙ୍କୁ ଘଟଣା ବାବଦରେ ଜଣାଇଥିଲେ । ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।
ପରେ ସୁପରଭାଇଜର ଶୁଭଶ୍ରୀ ଦଳାଇ ଡାକ୍ତରଖାନାରେ ପହଞ୍ଚି ଶିଶୁର ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ତେବେ ଶିଶୁଟିର ମୁହଁ ଓ ଦେହରେ ମାଟି ଲାଗିଥିବା ସହିତ ଅନେକ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା କେହି ଜାଣିଶୁଣି ଶିଶୁ କନ୍ୟାକୁ ଆଶାକର୍ମୀଙ୍କ ବାଡିରେ ଫିଙ୍ଗି ଦେଇ ପଳାଇଛି । ତେବେ ଶିଶୁ କନ୍ୟା ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ଥିବା ଜଣାପଡିଛି । ଶିଶୁକନ୍ୟାର ଓଜନ ଦୁଇ କିଲୋ ୩୪୫ ଗ୍ରାମ ରହିଛି । ଶିଶୁକନ୍ୟାର ଚିକିତ୍ସା ପରେ ବାରିପଦା ସ୍ଥିତ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ବୋଲି ସୁପରଭାଇଜର କହିଛନ୍ତି । ତେବେ ଶିଶୁ କନ୍ୟାକୁ କିଏ ଓ କାହିଁକି ଏପରି ପକାଇ ପଳାଇଛି ତାହା ଏବେ ତଦନ୍ତ ସାପେଷ ।




