Odisha News

ନବଙ୍କୁ ଗୁଳି ଘଟଣା: ଅଭିଯୁକ୍ତ ଏଏସ୍ଆଇଙ୍କ ରୋଗ କହିଲେ ଡାକ୍ତର

ଭୁବନେଶ୍ବର,୨୯/୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ଚଳାଇଥିବା ଗୋପାଳ ଦାସ ସୁସ୍ଥ ନଥିଲେ। ସେ ତାଙ୍କର ସ୍ବାସ୍ଥ୍ୟ ପାଇଁ ଔଷଧ ଖାଉଥିଲେ। ଗୋପାଳ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଏହା କହିଛନ୍ତି । ଡାକ୍ତର କହିଛନ୍ତି, ଗତ ୮ରୁ ୧୦ ବର୍ଷ ତଳେ ଗୋପାଳ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ।
ଆମେ ଚିକିତ୍ସା ମଧ୍ୟ କରିଥିଲୁ। ତାଙ୍କ ଲକ୍ଷଣ ବି ଠିକଠାକ୍ ଥିଲା । ତେବେ ଏହାରି ଭିତରେ ଗତ ୫ ବର୍ଷ ହେବ ଚିକିତ୍ସା ପାଇଁ ସେ ଆସୁନଥିଲେ। ଔଷଧ ବୋଧେ ଖାଉନଥିଲେ।
ଗୋପାଳଙ୍କ ଦେହରେ ନିଦ୍ରାହୀନତା, ଅଧିକ ରାଗିବାର, ମାଡମାରୁଥିବାର ଲକ୍ଷଣ ଥିଲା। ପ୍ରଥମେ ସେ ଯେତେବେଳେ ଆସିଥିଲେ ଆମେ ତାଙ୍କୁ ରୋକିବା ପାଇଁ ଇଞ୍ଜେକସନର ସହାୟତା ମଧ୍ୟ ନେଇଥିଲୁ ।
ଏକଥା ପ୍ରାୟ ୧୦ ବର୍ଷ ତଳର। କିନ୍ତୁ ପରେ ସେ ସୁସ୍ଥ ହୋଇଥିଲେ। ଗତ ୫ ବର୍ଷ ହେବ ସେ ନିୟମିତ ଚିକିତ୍ସା ହେଉନଥିଲେ ଲାଗୁଛି। ପୁଣି ଥରେ ସେଭଳି କିଛି ଲକ୍ଷଣ ତାଙ୍କ ଦେହରେ ଆସିଥାଇପାରେ।
ପୂର୍ବରୁ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ ଗଣମାଧ୍ୟମକୁ କହିଥିଲେ, ‘‘ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ମୁଁ କିଛି ଜାଣି ନାହିଁ। ସକାଳେ ଝିଅ ସହିତ ମୋ ସ୍ବାମୀ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ।
ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ। ୪ରୁ ୫ ମାସ ଆଗରୁ ଘରକୁ ସେ ଆସିଥିଲେ। ସେ ମାନସିକ ରୋଗରେ ପୀଡ଼ିତ ଥିଲେ। ତାଙ୍କର ମାନସିକ ସ୍ଥିତି ଭଲ ନଥିଲା।
ସେଥିପାଇଁ ଔଷଧ ଖାଉଥିଲେ। ରକ୍ତଚାପ ପାଇଁ ମଧ୍ୟ ଔଷଧ ଖାଉଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି। ଘଟଣାକୁ ନେଇ ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି। ଘଟଣାର ତଦନ୍ତ ହେବା ଦରକାର।’’
ସେହିପରି ଗୋପାଳ ଦାସଙ୍କ ପୁଅ ମନୋଜ କୁମାର ଦାସ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ମନୋଜ କହିଛନ୍ତି , ‘‘ଗୁଳିମାଡ଼ ସଂପର୍କରେ ଆମେ କିଛି ଜାଣି ନଥିଲୁ। ବାପା ପ୍ରାୟ ୮ ବର୍ଷ ହେଲା ମାନସିକ ରୋଗ ଚିକିତ୍ସା କରି ଔଷଧ ଖାଉଥିଲେ। ବ୍ରହ୍ମପୁରରୁ ଔଷଧ ପଠା ଯାଉଥିଲା।
ତାଙ୍କ ଉପର ଅଫିସରଙ୍କୁ ଛୁଟିରେ ବାପାଙ୍କୁ ଛାଡ଼ିବାକୁ ନିଜେ ଯାଇ ଅନୁରୋଧ କରିଥିଲି। କୋଭିଡ ଓ ଓଭରଡ୍ୟୁଟି ଯୋଗୁଁ ଦୁଇ ବର୍ଷ ହେଲା ଡାକ୍ତରଙ୍କ ପାଖରେ ଚେକ୍ଅପ୍ ହୋଇପାରିନଥିଲା। ମେଡ଼ିସିନ ବଦଳାଇବାର ଥିଲା। ହେଲେ ଛୁଟି ସରିଯାଇଥିବାରୁ ଛୁଟି ଦିଆଯାଇପାରିବ ନାହିଁ ବୋଲି ଉପର ଅଧିକାରୀ କହିଥିଲେ।’’

Related Posts

Seo wordpress plugin by www.seowizard.org.