Odisha News

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ପୁଳାପୁଳା ଟଙ୍କା!!!

ବ୍ରହ୍ମପୁର,୧୩/୯: ଯାଞ୍ଚ କରୁଥିଲେ ଗଞ୍ଜେଇ ହେଲେ ପାଇଲେ ପୁଳାପୁଳା ଟଙ୍କା । ଏଭଳି ଘଟଣା ଘଟିଛି ବ୍ରହ୍ମପୁ ଲାଞ୍ଜିପଲି ବାଇପାସ୍ରେ ନିକଟରେ । ଏକ ବ୍ୟାଗରେ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ହୋଇଥିଲା। ତେବେ ଏତେ ପରିମାଣର ଟଙ୍କା କେଉଁଠିକି ଓ କେଉଁ ଉଦ୍ଦେଶ୍ୟରେ ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅବକାରୀ ବିଭାଗ ଏହି ମାମଲାରେ ଜଣେ ବଙ୍ଗୀୟ ବ୍ୟକ୍ତିଙ୍କୁ ଧରି ଗଞ୍ଜାମ ପୁଲିସ୍ ଜିମାରେ ଦେଇଛି।
ଆଗକୁ ପୂଜା ବଜାର ଥିବାରୁ ଆଜି ଅପରାହ୍ନରେ ଅବକାରୀ ବିଭାଗ ବ୍ରହ୍ମପୁର ଲାଞ୍ଜିପଲି ବାଇପାସ୍ରେ ନିକଟରେ ବସ୍ ଅଟକାଇ ଗଞ୍ଜେଇ ଯାଞ୍ଚ କରୁଥିଲା। ସେହି ସମୟରେ ବସ୍ରୁ ମିଳିଥିଲା ଗୋଟିଏ ବ୍ୟାଗ୍। ସେହି ବ୍ୟାଗକୁ ଯାଞ୍ଚ କରିବାରୁ ବାହାରିଲା ୩୩ ଲକ୍ଷ ୭୬ ହଜାର ୫୦୦ ଟଙ୍କା। ତେବେ ଏତେ ପରିମାଣର ଟଙ୍କା କେଉଁଠିକି ଯାଉଥିଲା? ତାହାର ଉତ୍ତର କାହା ପାଖରେ ନାହିଁ। ମାତ୍ର ଟଙ୍କା ବ୍ୟାଗ ସହ ଧରା ପଡ଼ିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଅଞ୍ଚଳ ବୋଲି ଜଣାପଡିଛି। ମାତ୍ର ତାଙ୍କ ନାଁ ଜଣାପଡ଼ି ନାହିଁ। ତଦନ୍ତରେ ଅସୁବିଧା ହେବା ଆଶଙ୍କା କରି ପୁଲିସ୍ ତାଙ୍କ ନାଁ ପ୍ରଘଟ କରୁନାହିଁ।
ଅବକାରୀ ବିଭାଗ ଟଙ୍କା ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରିଥିଲା। ମାତ୍ର ସେ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। କଥାରେ ତାଳମେଳ ରହୁନଥିବାରୁ ଅବକାରୀ ବିଭାଗ ତାଙ୍କୁ ପୁଲିସ୍ ଜିମାରେ ଦେଇଛି। ବୈଦ୍ୟନାଥପୁର ଥାନା ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି। ଟଙ୍କା ଗଣା ମେସିନ ଦ୍ୱାରା ଟଙ୍କା ଗଣାଯିବା ପରେ ଅଭିଯୁକ୍ତଙ୍କୁ ଅଧିକ ପଚରା ଉଚୁରା କରୁଛି ପୁଲିସ୍। ଆୟକର ବିଭାଗ ଦ୍ୱାରା ଏହି ମାମଲାର ଯାଞ୍ଚ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍ କହିଛନ୍ତି।
ଗଞ୍ଜମରେ ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅର୍ଥାତ ମାସେ ତଳେ ଅନୁରୂପ ଘଟଣା ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ ଗଞ୍ଜେଇ ଯାଞ୍ଚ କରୁଥିବା ବେଳେ ବସ୍ରୁ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖିଥିଲା। ପରେ ତା’ ନିକଟରୁ ୧ କୋଟି ୨୨ ଲକ୍ଷ ଟଙ୍କା ଓ ବହୁ ପରିମାଣରେ ସୁନା ବିସ୍କୁଟ ମିଳିଥିଲା।

Related Posts

Seo wordpress plugin by www.seowizard.org.