Odisha News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ନେଇ ନୂତନ ଭୋଟର ଓ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୧୧: ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ନିର୍ବାଚନ କାର୍ଯ୍ୟଳୟ ପକ୍ଷରୁ ମହାବିଦ୍ୟାଳୟର ୧୭ ବର୍ଷ ବୟସରୁ ଉର୍ଦ୍ଧ୍ବ ତଥା ୧୮ ବର୍ଷ ବୟସ ହେବାକୁ ଥିବା ଛାତ୍ରୀ ମାନେ ନୂତନ ଭୋଟର ଭାବେ ନିଜ ନାମ କିଭଳି ପଞ୍ଜିକରଣ କରିବେ ଏବଂ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଡଃ ରୀନା ସାହୁ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ୧୭ ବର୍ଷରୁ ଉର୍ଦ୍ଧ୍ବ ବୟସର ଛାତ୍ରୀମାନେ କିଭଳି ଆଗାମୀ ନିର୍ବାଚନ ମାନଙ୍କରେ ଭୋଟ ଦେବା କ୍ଷେତ୍ରରେ ସଠିକ୍ ଭୂମିକା ତୁଲାଇ ପାରିବେ ସେ ସମ୍ପର୍କରେ କହିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ଭୋଟଦାନ ହେଉଛି ଏକ ମହତ୍ କାର‌୍ୟ୍ୟ ବୋଲି କହିଥିଲେ ।
ସେହିଭଳି ନିର୍ବାଚନ କାର୍ଯ୍ୟାଳୟ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୋଟର ଇଲେକ୍ଟୋରାଲ ରୋଲର ତିନିଜଣ ସୂପରଭାଇଜର ଅଧିକାରୀ ଶ୍ରୀ ଏମ: ଉମାପତି , ଶ୍ରୀ ୱାଇ: ଶିବ କୁମାର ଏବଂ ଶ୍ରୀ କେ: ଚିରଞ୍ଜିବୀ ପ୍ରମୁଖ ଯୋଗ ଦେଇ ଭୋଟର ହେଲ୍ପ ଲାଇନ ମୋବାଇଲ ଆପ ଓ ଏନଭିଏସପି: ମାଧ୍ୟମରେ ନୂତନ ଭୋଟର ମାନେ ନିଜର ନାମ କିଭଳି ଅନ୍ତର୍ଭୁକ୍ତ କରିବେ , ଭୋଟର ତଥ୍ୟ ସଂଶୋଧନ ଏବଂ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡର ସଂଯୋଗିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇ ଥିଲେ ।
ନୂତନ ଭୋଟର ମାନେ ନିଜର ମୋବାଇଲ ଫୋନ୍ ବ୍ୟବହାର କରି ନିଜର ଓ ନିଜ ପରିବାର ସଦସ୍ୟଙ୍କ ସମେତ ସାହି ପଡିଶା ସାଙ୍ଗ ମାନଙ୍କ ନାମ ଅନ୍ତର୍ଭୁକ୍ତ କରିବା ପାଇଁ କିଭଳି ସାହାଯ୍ୟ କରି ପାରିବେ ସେ ସମ୍ପର୍କରେ ବୁଝାଇଥିଲେ ।
ଅନ୍ୟ ପକ୍ଷରେ ଭୋଟ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଏବଂ ନିର୍ଭୁଲ କରିବା ପାଇଁ କିଭଳି ଭାବେ ଡିଜିଟାଲ ସେବାର ଉପଯୋଗ କରିବା ସହ ନିଜ ମୋବାଇଲ ଫୋନ ମାଧ୍ୟମରେ ଆପକୁ ବ୍ୟବହାର କରି ନିଜର ନାମକୁ ଭୋଟର ତାଲିକାରେ ଯୋଡିବା ପାଇଁ ନୂତନ ଭୋଟର ମାନେ ଆଗେଇ ଆସିବା ଉଚିତ ବୋଲି କହିଥିଲେ।
ସଂପୃକ୍ତ ଅଧିକାରୀ ମାନେ ପ୍ରାକ୍ଟିକାଲ ମାଧ୍ୟମରେ ଏହି ମୋବାଇଲ ଆପ ବ୍ୟବହାର ଉପରେ ପ୍ରଦର୍ଶନ କରାଇ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ୧୭ ବର୍ଷରୁ ଉର୍ଦ୍ଧ୍ବ ବୟସର ଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଡଃ ଭାରତୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.