Odisha News

ଗଜପତି : ବିଭିନ୍ନ ମୌଳିକ ଦାବି ନେଇ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ରେଳ ରୋକ ଆନ୍ଦୋଳନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୬: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଲାଗି ରହିଥିବା ବିଭିନ୍ନ ଅବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ମୌଳିକ ଦାବୀ ପୂରଣ ନେଇ ଶୁକ୍ରବାର ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ଠାରେ ପାରଳା ଜନ ସାଧାରଣଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି ।
ଏହି ରେଳ ରୋକ ଆନ୍ଦୋଳନ ଯୋଗୁଁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ “ଗୁଣୁପୁର- ପରାଳାଖେମୁଣ୍ଡି- ପୁରୀ ପାସେଞ୍ଜର ଟ୍ରେନ ଦୀର୍ଘ ସମୟ ଧରି ଅଟକି ରହିଥିଲା ।
ସମ୍ପୃକ୍ତ ରେଳ ଷ୍ଟେସନରେ ଦୀର୍ଘବର୍ଷ ଧରି ବିଭିନ୍ନ ଅବ୍ୟବସ୍ଥା ସାଙ୍ଗକୁ ଯାତ୍ରୀମାନେ ସାମାନ୍ୟତମ ମୌଳିକ ସୁବିଧା ଟିଏ ଏଠାରେ ପାଇ ନ ପାରି ଯାତ୍ରୀ ଅସନ୍ତୁଷ୍ଟ ରହିବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ।
ପାରଳାଖେମୁଣ୍ଡି ଷ୍ଟେସନରେ ଦ୍ୱିତୀୟ ପ୍ଲାଟଫର୍ମ ନିର୍ମାଣ ହୋଇପାରୁ ନାହିଁ । ପ୍ରଥମ ପ୍ଲାଟଫର୍ମ ଉଚ୍ଚ ନଥିବାରୁ ଲୋକେ ଟ୍ରେନରୁ ଓହ୍ଲାଇବା ଏବଂ ଟ୍ରେନକୁ ଚଢିବା ବେଳେ ଘୋର ଅସୁବିଧା ଭୋଗୁଛନ୍ତି ।
ପୁରୁଣା ଯାତ୍ରୀ ବିଶ୍ରାମ କକ୍ଷ ସୁବ୍ୟବସ୍ଥିତ ହେଉନାହିଁ କି ପ୍ଳାଟଫର୍ମରେ ଆବଶ୍ୟକ ସଂଖ୍ୟକ ବସିବା ବ୍ୟବସ୍ଥା ନ ଥିବା ଯୋଗୁଁ ଯାତ୍ରୀମାନେ ଏଣେ ତେଣେ ଓ ନାଳ କାନ୍ଥରେ ବସି ଟ୍ରେନକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ପରିଶ୍ରାଗାର ଓ ଶୌଚାଳୟ ଅଛି କିନ୍ତୁ କାମରେ ନ ଲାଗିବା ଯୋଗୁଁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ।
ସେହିଭଳି ଅତି ଆବଶ୍ୟକ ପଡୁଥିବା ଯାତ୍ରୀ ମାନଙ୍କ ନିମନ୍ତେ ଷ୍ଟେସନରେ ପାନୀୟ ଜଳର କୋଣସି ବ୍ୟବସ୍ଥା ହୋଇପାରୁ ନାହିଁ ।
ଏଠାରୁ ସିଧା ସଳଖ ରାଜଧାନୀ ଭୁବନେଶ୍ୱର ଯିବା ପାଇଁ ଟ୍ରେନର କୋଣସି ବ୍ୟବସ୍ଥା ନାହିଁ ତେଣୁ ଭୁବନେଶ୍ୱର-ପଲାସା ମେମୁ କି ଡିଏମୟୁ ଟ୍ରେନକୁ ଅନ୍ୟୁନ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇଆସୁଛି କିନ୍ତୁ ବିଭାଗିୟ କର୍ତ୍ତ୍ତୃପକ୍ଷ ଏସବୁ ଅବ୍ୟବସ୍ଥାକୁ ସୁଧାରିବା କି ମୌଳିକ ଦାବୀ ଗୁଡିକ ପୂରଣ କରିବା କି ଭୁବନେଶ୍ୱର- ପଲାଶା ରହିଥିବା ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଅଣଦେଖା ଓ ଉଦାସୀନତା ମନୋଭାବ ଦେଖାଇ ଆସୁଛନ୍ତି ।
ବର୍ଷ ବର୍ଷ ଧରି ବାରଂବାର ବିଭିନ୍ନ ସମୟରେ ଏଭଳି ଅଭିଯୋଗ ଲିଖିତ ଆକାରରେ ବିଭାଗୀୟ ଉଚ୍ଚ କର୍ତ୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏଥି ପ୍ରତି ଅଣଦେଖା ହିଁ କରି ଆସୁଛନ୍ତି ।
ତେଣୁ ଏହି ସବୁ ଅବ୍ୟବସ୍ଥା ଓ ମୌଳିକ ଦାବୀ ଗୁଡିକ ତୁରନ୍ତ ପୂରଣ କରିବା ଉଦ୍ଦେଶ୍ୟ ନେଇ ରେଳରୋକ ଆନ୍ଦୋଳନ କରା ଯାଇଥିଲା ବୋଲି ଆନ୍ଦୋଳନର ନେତୃତ୍ୱ ନେଇଥିବା ସମାଜସେବି ତଥା ଆଇନଜୀବୀ ଶ୍ରୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି ।

Related Posts

Seo wordpress plugin by www.seowizard.org.