Odisha News

ଗଜପତି: ଝିଅ ମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୪: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ ଠାରେ ଆଜି ଝିଅ ମାନଙ୍କ ନିରାପତ୍ତା ଓ ସୁରକ୍ଷା ନିୟମାବଳୀ ସମ୍ବନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ଓ କଲେଜର ଅଧ୍ୟକ୍ଷ , ଛାତ୍ରୀ ନିବାସର ୱାର୍ଡେନ୍ , ସୁପରିଂଟେଣ୍ଡଣ୍ଟ ପ୍ରମୁଖ ଉପସ୍ଥିତ ରହିଥିଲେ।
ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି ତାଙ୍କ ସ୍ବାଗତ ଅଭିଭାଷଣ ରେ କହିଥିଲେ ଯେ , ବିଭିନ୍ନ ଛାତ୍ରୀ ନିବାସରେ ରହୁଥିବା ଝିଅ ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମି ଏବଂ ନଥିପତ୍ରକୁ ଅପଡ଼ଟ୍ ରଖିବା ସହ ଆବଶ୍ୟକ ପଞ୍ଜିକୃତ କରାଇବେ ଏବଂ ବିଭିନ୍ନ ଘଟଣାକୁ ଉପରୋକ୍ତ ଅଧିକାରୀ\’ଙ୍କ ପାଖର ଠିକ୍ ସମୟରେ ଅବଗତ କରିବେ ବୋଲି କହିଥିଲେ ।
ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ ଉପସ୍ଥିତ ରହି ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ତିଆରି ହୋଇଥିବା ବିଭିନ୍ନ ନିୟମାବଳୀ ଏବଂ ଶିଶୁ ଅଧିକାର ଉପରେ ବିଷେଶ ଭାବେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ଡ଼. ଅଶ୍ବିନି କୁମାର ମହାପାତ୍ର ଯୋଗଦେଇ ବିଭିନ୍ନ ଘଟଣା କ୍ରମରେ ଆସୁଥିବା ଶିଶୁ ମାନଙ୍କୁ ଯଥା ସମୟରେ ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରିବା ଆବଶ୍ୟକ ବୋଲି ସମସ୍ତଙ୍କୁ ଅବଗତ କରିଥିଲେ।
ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଅନୁରୋଧ କରିଥିଲେ ଯେ ପ୍ରତ୍ୟେକ ଛାତ୍ରୀନିବାସରେ ଶିଶୁଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଛି।
ଏହା ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସ୍ଥାନିୟ ତହସିଲଦାରଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି , ଯିଏକି ନିୟମିତ ଭାବେ ଝିଅ ମାନେ ରହୁଥିବା ଛାତ୍ରୀ ନିବାସକୁ ପରିଦର୍ଶନ କରିବାକୁ ଯିବେ।
ଭୁବନେଶ୍ୱର ଚାଇଲ୍ଡଲାଇନର ନିର୍ଦ୍ଦେଶକ ଶ୍ରୀ ବେଣୁଧର ସେନାପତି ସାଧନ ବ୍ୟକ୍ତି ଭାବରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଛାତ୍ରୀ ନିବାସ\’ରେ ପାଳନ ହେବାକୁ ଥିବା ନିୟମାବଳକୁ ପ୍ରାଞ୍ଜଳଭାବରେ ବୁଝାଇବାସହ ପ୍ରତ୍ୟେକ ଶିଶୁଙ୍କୁ ହୃଦୟର ସହିତ ବୁଝିବାର ଆବଶ୍ୟକତା ଅଛି ବୋଲି ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବୁଝାଇଥିଲେ।
ପ୍ରତ୍ୟେକ ଅନୁଷ୍ଠାନରେ ଏକ ଶିଶୁ ସୁରକ୍ଷା ନିୟମାବଳୀ ରହିବାସହ ଏଥିପାଇଁ ନିୟୋଜିତ ହୋଇଥିବା ସମସ୍ତ କର୍ମକର୍ତ୍ତାଙ୍କର ପୋଲିସ୍ ଭେରିଫିକେସନ ର ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।
ଅଂଶଗ୍ରହଣ କାରୀଙ୍କ ମଧ୍ୟରେ ସରକାରୀ ପଲିଟେକିନିକ୍ ର ଅଧ୍ୟକ୍ଷ , ନବୋଦୟ ବିଦ୍ୟାଳୟର କର୍ମକର୍ତ୍ତା , କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ , ୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା , ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସର ର ଅଧିକ୍ଷକ , ଗୁମ୍ମା ଆଇ.ଟି.ଆଇ ର ଅଧ୍ୟକ୍ଷ , ସରକାରୀ ଏ.ଏନ୍.ଏମ୍. ଟ୍ରେନିଂ ସେଣ୍ଟର ର ଅଧିକ୍ଷକ , ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ , ଛାତ୍ରୀ ନିବାସର ଅଧିକ୍ଷକ , ଗଜପତି ନର୍ସିଂ କଲେଜର ଅଧିକ୍ଷକ ଏବଂ ପାରଳାଖେମୁଣ୍ଡି ସହରରେ ଥିବା ପ୍ରତ୍ୟେକ ବେସରକାରୀ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ତଥା ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପରିଚାଳନା କରିଥିଲା ବେଳେ ଏହାର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.