Odisha News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି, ୫/୧୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏନସିଡି: ସେଲ ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ଶନିବାର ଦିନ ପାଳିତ ହୋଇଯାଇଛି ।
ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ଶୋଭାଯାତ୍ରାରେ ସ୍ଥାନୀୟ ଏଏନଏମ: ତାଲିମ ନେଉଥିବା ଛାତ୍ରୀ ଓ ଆଶାକର୍ମୀ ମାନେ ବିଭିନ୍ନ ସଚେତନତା ସମ୍ବନ୍ଧୀୟ ପ୍ଲା କାର୍ଡ ମାନ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ଜନସଚେତନ କରିଥିଲେ। ପରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସିଡିଏମଓ:ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କର୍କଟ ରୋଗ କଣ ଓ ତାର ଭୟାବହତା , ମୁଖ ଗହ୍ଵର ଓ ବିଭିନ୍ନ କର୍କଟ ରୋଗର କାରଣ , ଲକ୍ଷଣ ଓ ତାର ନିରାକରଣର ବିଭିନ୍ନ ଦିଗ ଉପରେ କହି ଜୀବନ ଶୈଳୀରେ ମାନସିକ ପରିବର୍ତ୍ତନ ହେଲେ ହିଁ କର୍କଟ ରୋଗରୁ ମୁକ୍ତି ମିଳିପାରିବ ବୋଲି କହିଥିଲେ । ଅନ୍ୟପକ୍ଷରେ, କର୍କଟ ରୋଗ ପ୍ରାଥମିକ ଅବସ୍ଥାରେ ଆରୋଗ୍ୟ ସାଧ୍ୟ, ତେଣୁ କର୍କଟ ରୋଗର ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ: ଡ଼ାଃ ମୁବାରକ ଅଲ୍ଲୀ , ଏଡିପିଏଚଓ: ଡ଼ାଃ ଆନନ୍ଦ ସାମନ୍ତରାୟ ଏବଂ ଜିଲ୍ଲା କୁଷ୍ଠ-ରୋଗ ନିବାରଣ ଅଧିକାରୀ ଡ଼ାଃ ଇନ୍ଦିରା ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ସେହିଭଳି ସ୍ଥାନୀୟ ମହେନ୍ଦ୍ରଗିରି ସରକାରୀ ମ୍ୟୁନିସିପାଲ ହାଇସ୍କୁଲ ଠାରେ ମଧ୍ୟ ବିଶ୍ଵ କର୍କଟ ଦିବସ ପାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଏଡିପିଏଚଓ: ଡ଼ାଃ ଆନନ୍ଦ ସାମନ୍ତରାୟ ଏବଂ ଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ ଙ୍କ ସମେତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି କର୍କଟ ରୋଗ କଣ , ତାର କାରଣ , ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବୁଝାଇ ତମାଖୁ , ମାଦକ ଦ୍ରବ୍ୟ ଓ ନିଶା ସେବନରୁ ସମ୍ପୂର୍ଣ୍ଣ ଭାବେ ନିବୃତ୍ତ ରହିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଜାରୀ ରଖି ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ।
ଏହି ଅବସରରେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏନସିଡି: ସେଲର ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର ପରିଚାଳନା ଓ ସହଯୋଗ କରିଥିଲେ ।

Related Posts