Odisha News

ଗଜପତି : ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୧୧ : ଗଜପତି ଜିଲ୍ଲାର ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଳକାଞ୍ଚଳରେ ବର୍ଷ ବର୍ଷ ଧରି ବସବାସ କରି ଆସୁଥିବା ଆଦିମ ଜନଜାତିଙ୍କ ସାମୁହିକ ବିକାଶ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ଗତ ୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଓପିଇଏଲଆଇପି: ପ୍ରକଳ୍ପ ହଠାତ କିଛି ମାସ ହେଲା ସମ୍ପୂର୍ଣ ଭାବେ ବନ୍ଦ ହୋଇପଡିଛି ।
ସେହି ପ୍ରକଳ୍ପ ବନ୍ଦ ହୋଇ ପଡିଥିବା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନର ରାହା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି ।
ତେଣୁ ସେହି ଓ:ପି:ଇ:ଏଲ:ଆଇ:ପି: ପ୍ରକଳ୍ପକୁ ପୁନଃ ଆରମ୍ଭ କରି କାର୍ଯ୍ୟକ୍ଷମ କରିବା ସହ ସେହି ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଅଜୟଗଡ , କୁଜାସିଂ ଓ ଭୁବନି ପଞ୍ଚାୟତର ଆଦିମ ଜନଜାତି ଅଧିବାସୀ ମାନେ ଦାବୀ କରି ମିଳିତ ଭାବେ ଏକ ସ୍ମାରକପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି ।
ସଂପୃକ୍ତ ଅଧିବାସୀ ମାନେ ସେମାନଙ୍କ ଦାବୀ ପତ୍ରରେ ଦର୍ଶାଇଛନ୍ତି ଯେ , ଗତ ୭ ବର୍ଷ ପୂର୍ବେ ଯେତେ ବେଳେ ଏହି ଓପିଇଏଲଆଇପି: ପ୍ରକଳ୍ପ ଆରମ୍ଭ ହେଲା , ସେତେବେଳେ ସଂପୃକ୍ତ ଅଞ୍ଚଳର ୩୨ ଟି ଗ୍ରାମ୍ୟ ଉନ୍ନୟନ କମିଟି ଗଠନ ହୋଇ ସେରଙ୍ଗ ସ୍ଥିତ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ମାଧ୍ୟମରେ ଏହି ପ୍ରକଳ୍ପକୁ ଅନୁଦାନ ଟଙ୍କା ଆସିଥିଲା ।
ସେହି ଦିନଠାରୁ ଏ ସମସ୍ତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ କମିଟି ଏଲଏସଡିଏ: , ଏଫଏନଜିଓ: , ଜେକେପି: ଓ ପିଏମୟୁ: ପ୍ରମୁଖ ଓପିଇଏଲଆଇପି: ପ୍ରକଳ୍ପ ସହଯୋଗରେ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ଦକ୍ଷତାର ସହ ପରିଚାଳନା କରି ଆସୁଥିଲେ ଏବଂ ଏବଂ ଏଭଳି ଏକ ସ୍ଥାୟୀ ଜୀବିକା ଅର୍ଜନ ଦ୍ଵାରା ସଂପୃକ୍ତ ଅଂଚଳର ଜନଜାତି ସମ୍ପ୍ରଦାୟ ଲୋକଙ୍କ ବେଶ୍ ଉନ୍ନତି ପରିଲକ୍ଷିତ ହୋଇ ପାରୁଥିଲା ।
ତେଣୁ ଏହି ପ୍ରକଳ୍ପକୁ ସ୍ଥାୟୀ ଭାବେ ଗଜପତି ଜିଲ୍ଲାରେ ପୁଣି କାର୍ଯ୍ୟକ୍ଷମ କଲେ ଲାଞ୍ଜିଆ ସୌରା ତଥା ଜନଜାତି ଲୋକମାନଙ୍କ ସ୍ଥାୟୀ ଜୀବନ ଜୀବିକାର ବିକାଶ ହୋଇପାରନ୍ତା ।
ଏତଦ୍ବ୍ୟତୀତ ଏହି ୩ ପଞ୍ଚାୟତର ଜନଜାତି ଲୋକମାନେ ସ୍ମାରକପତ୍ର ରେ ଦର୍ଶାଇ ଜଣାଇଛନ୍ତି ଯେ , ଆମର ଏହି ଭୁବନି, କୁଜାସିଙ୍ଗି ଓ ଅଜୟଗଡ ତିନୋଟି ପଞ୍ଚାୟତର ୫୭ଟି ଗ୍ରାମରେ ୩୧୦୩ ଟି ପରିବାରର ୧୩୧୫୦ ଜଣ ହିତାଧିକାରୀଙ୍କୁ ନେଇ ୨୦୧୭ ମସିହା ଜୁଲାଇ ୧୭ ତାରିଖ ଠାରୁ ଓପିଇଏଲଆଇପି: ପ୍ରକଳ୍ପ ଆରମ୍ଭ ହେବା ନେଇ ତ୍ରି-ପାକ୍ଷିକ ଚୁକ୍ତିନାମା ହୋଇଥିଲା ଏବଂ ପ୍ରକଳ୍ପ ଅହୁଭାରମ୍ଭ ଓ କାର୍ଯ୍ୟକ୍ଷମ ହେଲା ପରେ ପରେ ଗ୍ରାମ୍ୟ ଉନ୍ନୟନ କମିଟି ଗଠନ ହେବା ସହ ଏସଏଚଜି: ଗଠନ ହୋଇ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇ ସଶକ୍ତିକରଣ ଯୋଗୁଁ ସମସ୍ତ ପରିବାରରେ ସାମାଜିକ ଆର୍ଥିକ ଦୃଷ୍ଟିରୁ କ୍ରମାଗତ ଉନ୍ନତି ପରିଲିକ୍ଷିତ ହେଉଛି ।
ଏଥି ସମେତ ସଂପୃକ୍ତ ଏହି ୩ ଟି ପଞ୍ଚାୟତର ମାଇକ୍ରୋ ପ୍ରକଳ୍ପ ଅଞ୍ଚଳରେ ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , କୃଷି , ଜଳ ସେଚନ , ବିଶୁଦ୍ଧ ପାନୀୟ ଜଳ , ଗୋସମ୍ପଦ ସୁରକ୍ଷା ଓ ଉନ୍ନତି , ଆୟଜନିତ ପନ୍ଥା , ପକ୍କା ଘର ଯୋଜନା , ଗୋଷ୍ଠୀ ଗୃହ , ଖଳା , ଗୋଷ୍ଠୀ କାର୍ଯ୍ୟସ୍ଥଳ ପ୍ରଭୃତି କ୍ଷେତ୍ରରେ ବେଶ୍ ଉନ୍ନତି ହୋଇ ପାରିଥିଲା ।
ଅନ୍ୟପକ୍ଷରେ ଜଙ୍ଗଲ ଜମି ପଟ୍ଟା ମାଧ୍ୟମରେ ୫୨୫ ପରିବାର ଉପକୃତ ହୋଇଛନ୍ତି । ୧୫୦ ଏକର ଜମିରେ ବୋର-ୱେଲ ସୁବିଧା ବ୍ୟବସ୍ଥା , ଝରଣା ପାଣି ମାଧ୍ୟମରେ ଜଳ ସେଚନ ସୃଷ୍ଟି କରାଯାଇ କୃଷି ଉତ୍ପାଦନ ଦୁଇ ଗୁଣା ବଢ଼ିଛି । ପନିପରିବା ଚାଷ ଦ୍ବାରା ୧୩୧୩ ଚାଷୀ ଉପକୃତ ହୋଇ ତାଙ୍କର ଆୟ ଦୁଇ ଗୁଣ ବଢ଼ିଛି ।
ତାଲିମ ମାଧ୍ୟମରେ କୃଷିରେ ଧାନ, ମାଣ୍ଡିଆ, ପନିପରିବା ଚାଷରେ ୧୩୭୫ ଏକରରେ ଚାଷୀ ପରିବାର ମାନଙ୍କୁ ଉପକୃତ ହୋଇ ପାରୁଛନ୍ତି ।
ଆୟ ଜନିତ ପନ୍ଥା କାର୍ଯ୍ୟକ୍ରମ ମାଧ୍ୟମରେ ୫୧୫ ପରିବାର ନିଜର ପରିବାରର ଭରଣପୋଷଣ କରି ପାରୁଛନ୍ତି ।
ସେହିଭଳି ଛେଳି ଓ କୁକୁଡ଼ା ପାଳନ ମାଧ୍ୟମରେ ୨୭୫୫ ପରିବାର ନିଜର ଗୋ-ସମ୍ପଦ ଉତ୍ପାଦନକୁ ସୁରକ୍ଷିତ କରିବା ସହ ଲାଭଜନକ ହୋଇ ପାରିଛନ୍ତି । ମନରେଗା ଯୋଜନାରେ ମାଧ୍ୟମରେ ୧୨୦୦ ଦିନ ମଜୁରିଆ ୧୫୦ ଦିନର କାମ ପାଇ ଏବଂ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜ ପରିବାର ପୋଷିବାରେ ସକ୍ଷମ ହୋଇ ପାରୁଛନ୍ତି ।
ଗୋଷ୍ଟି ପୁଷ୍ଟି ସାଧନ କେନ୍ଦ୍ର ଦ୍ଵାରା ୧୦୦ ଜଣ ଶିଶୁ ଉପକୃତ ହୋଇ ପାରୁଛନ୍ତି । ଏଥିସହ ଶିଶୁ ମାନେ ଆଗ୍ରହ ସହ ନିୟମିତ ଭାବେ ସ୍କୁଲ ମୁହାଁ ହୋଇଛନ୍ତି ଏବଂ ଏଥିରେ ଅଭିଭାବକ ମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ।
ଅଞ୍ଚଳରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ରହିଥିବା ତାରତମ୍ୟ ଅନେକାଂଶରେ ହ୍ରାସ ପାଇଛି ।
ଏ ସମସ୍ତ ଦିଗରେ ସରକାରଙ୍କ ଓଏଲଏମ: , କୃଷି ଉଦ୍ୟାନ , ପଶୁସମ୍ପଦ , ଗ୍ରାମ୍ୟ ଜଳଯୋଗାଣ , କୃଷି ଓ ରାଜସ୍ବ ବିଭାଗ ପ୍ରମୁଖଙ୍କ ସମେତ ଭିଡ଼ିସି: ତଥା ଗ୍ରାମ୍ୟ ଉନ୍ନୟନ କମିଟି ସମସ୍ତ କାର୍ଯ୍ୟ କରିବା ଜାରୀ ରଖିଛନ୍ତି ।
ତେବେ , ଏତେ ସବୁ ଉନ୍ନୟନ ତଥା ବିରଳ କାର୍ଯ୍ୟକ୍ରମ ଜନଜାତି ଲୋକଙ୍କ ସାମଗ୍ରିକ ବିକାଶ ଉଦ୍ଦେଶ୍ୟରେ ସରକାର , ଗୋଷ୍ଟି ଓ ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଚାଲିଥିବା ବେଳେ ସରକାର ଏହାକୁ ହଠାତ୍ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଠପ୍ କରି ଦେଇଛନ୍ତି ।
ପ୍ରକଳ୍ପ କାର୍ଯ୍ୟକ୍ରମ ହଠାତ୍ ଠାପ ହୋଇଯିବା ଫଳରେ ଆଦିମ ଜନଜାତି ମାନଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନର ରାହାର ବିକଳ୍ପ ଆଉ କିଛି ପାଉ ନ ଥିବା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକ୍ରମକୁ ତୁରନ୍ତ ଚାଲୁ ରଖିବା ସହ କାର୍ଯ୍ୟକ୍ଷମ କରିବାକୁ ଜନଜାତି ସମ୍ପ୍ରଦାୟ ଲୋକେ ଦୃଢ଼ ଦାବୀ ରଖିଛନ୍ତି ।

Related Posts