Odisha News

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା : ଭାଇ ହାତରେ ରକ୍ଷା ସୂତ୍ର ବାନ୍ଧୁଛି ଉଭଣୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୨୭/୮ : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ସାରା ରାଜ୍ୟରେ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳିତ ହେଉଛି । ଭାଇ ହାତରେ ରକ୍ଷା ସୂତ୍ର ବାନ୍ଧୁଛି ଉଭଣୀ । ଆଉ ଭଉଣୀକୁ ସବୁ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଉଛି ଭାଇ । ଭାଇ ଓ ଭଉଣୀର ପବିତ୍ର ଓ ଅତୁଟ ସମ୍ପର୍କର ସାକ୍ଷୀ ହୋଇଛି ଏହି ରାକ୍ଷୀ ।
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ଆଜି ସକାଳ ୯ ଟା ୯ ମିନିଟରୁ ଆସନ୍ତାକାଲି ୯ ଟା ୪୯ ମିନିଟ୍ ଯାଏ ପୂର୍ଣ୍ଣିମା ତିଥି ରହୁଛି । ତେଣୁ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳିତ ହେଉଛି । ଅନ୍ୟପକ୍ଷେ ଶ୍ରୀମନ୍ଦିରରେ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ପାଳନ ହେବ । ସେପଟେ ସାରା ଭାରତରେ ଆସନ୍ତାକାଲି ରକ୍ଷା ବନ୍ଧନ ପାଳନ ହେବ ।
ପୌରାଣିକ ମତ ଅନୁସାରେ ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ । ସେଥିପାଇଁ ବଳିଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରିବାକୁ ଭଗବାନ ଚାହୁଁଥିଲେ । ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟି ଶ୍ରାବଣ ପୂର୍ଣ୍ଣିମାରେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଲକ୍ଷ୍ମୀଙ୍କ ମନ କଥା ବୁଝିପାରି ବଳି ରାଜା ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠ ପୁରକୁ ଫେରିଯିବାକୁ ଅନୁରୋଧ କରିଥିଲେ ।
ସେହିପରି ମହାଭାରତର କାହାଣୀ ଅନୁସାରେ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଅର୍ଥାତ ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହୋଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।

Related Posts