Odisha News

ଅବସରନେଲେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ମହାସମାରୋହରେ ପାଳନ ହେଲା ବିଦାୟୀ ସମ୍ବର୍ଦ୍ଦନା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୮: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି ରବିବାର ଦିନ କାର୍ଯ୍ୟରୁ ଅବସର ନେଇଛନ୍ତି । ଏନେଇ ଜିଲ୍ଲାରେ ଭଭୟ ଅଧିକାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧାନ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାର କାର୍ଯ୍ୟଭାର ଗ୍ରହଣ କରିବା ଦିନଠୁ ଜିଲ୍ଲବାସୀଙ୍କ ପ୍ର୍ରିୟଭାଜନ ହୋଇଥିଲେ ।
ଜିଲ୍ଲାରେ ବିଭିନ୍ନ ଉନ୍ନତି ମୁଳକ ଯୋଜନା ହାତକୁ ନେବା ସହ ଜିଲ୍ଲାର ପୁରୁଣା ଜିଲ୍ଲାପାଳଙ୍କ କୋଠାକୁ ଏକ ସଂଗ୍ରହାଳୟ ଭାବେ ଗଢି ତୋଳିଥିଲେ । ସେହିପରି ଜିଲ୍ଲାର ରାସ୍ତାଘାଟ, ବୌଦ୍ଧ ସହରରକୁ ସୁନ୍ଦର କରିବା ସହ ବୌଦ୍ଧର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧ ମୁର୍ତ୍ତୀ ସ୍ଥାପନ କରିଥିଲେ । ଖାଲିଯେ ସେ ଉନ୍ନତିମୁଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଥିଲେ ତାହା ନୁହେଁ ଜିଲ୍ଲାର ଗରୀବ ଲୋକଙ୍କ ପାଖକୁ ସିଧା ଯାଇ ଲୋକଙ୍କ ସୁବିଧା ଓ ଅବସୁିଧା ପଚାରିବୁଝୁଥିଲେ ।
ଏନେଇ ରିବିବାର ଅବସର ସମୟ ଦିନ ବୌଦ୍ଧ ବାସୀଙ୍କ ପକ୍ଷରୁ ସଂଗ୍ରହାଳୟ ଠାରେ ଏକ ବିଦାୟୀ ସମ୍ବର୍ଦ୍ଦନା ଉତ୍ସବ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ସହରର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ଜିଲ୍ଲା ଓକିଲ ସଂଘ, ଜିଲ୍ଲା ସମ୍ବାଦିକ ସଂଘ, ବଣିକ ସଂଘ, ବ୍ରାହ୍ମଣ ସମାଜ, ଜିଲ୍ଲାକ୍ରୀଡା ସଂଗଠନ, ମାରୱାଡି ଯୁବ ମଞ୍ଚ, ଟ୍ରକ ମାଲିକ ସଂଘ, ସନ୍ତରଣ ସଂଘ, ସରପଞ୍ଚ ସଂଘ, ପ୍ରଣାମ ଅନୁଷ୍ଠାନ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ସମ୍ବର୍ଦ୍ଧନା ସଭାରେ ପଞ୍ଚାୟତରାଜ, ଜଙ୍ଗଲ ପରିବେଶ ଓ ସୁଚନା ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସୀନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହପରି ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ସାର୍କିଟ ହାଉସ ଠାରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହପରି ଜିଲ୍ଲା ପୋଲିସ ପକ୍ଷରୁ ଟାଉନ ହଲ ଠାରେ ବିଦାୟୀ ଆରକ୍ଷୀ ଅଧିକ୍ଷକ ଜ୍ଞ।।ନରଂଜନ ମହାନ୍ତୀଙ୍କୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
୩ଟି ଯାତ୍ରୀ ବିଶ୍ରାମଗାର ଉଦଘାଟନ, ୨ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଭୂମିପୂଜା

ବୌଦ୍ଧ,୧/୮ : ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ୩୧ ଜୁଲାଇ (ରବିବାର) ଚାକିରୀର ଶେଷଦିନ।
ଜିଲ୍ଲାପାଳଙ୍କ ଅବସରଗ୍ରହଣକୁ ଦୃଷ୍ଟିରେ ରଖି ରବିବାର ସାରା ଜିଲ୍ଲାରେ ୨୨ଟି ଉଦଘାଟନୀ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଅବସର ଗ୍ରହଣ ଦିନକୁ ଏକ ସ୍ମୃତିର ଦିନ ଭାବେ ରଖିବା ପାଇଁ ଜିଲ୍ଲାପାଳଙ୍କ ନିଜସ୍ୱ ପାଣ୍ଠିରୁ ହରଭଙ୍ଗା ବ୍ଲକର ହରଭଙ୍ଗା, ଛତ୍ରଙ୍ଗ ଏବଂ ପରଗଳପୁରଠାରେ ୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟବରାଦରେ ଆଧୁନିକ ଶୈଳୀରେ ନିର୍ମାଣ ହୋଇଥିବା ତିନୋଟି ଯାତ୍ରୀ ବିଶ୍ରାମଗାରଗୁଡିକର ଶୁଭ
ଉଦଘାଟନ ରବିବାର ପଂଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଏବଂ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରତ୍ୟେକ ଯାତ୍ରୀ ବିଶ୍ରାମଗାର ଦୁଇ ପାର୍ଶ୍ବରେ ମନ୍ତ୍ରୀ ଏବଂ ଜିଲ୍ଲାପାଳ ଚାରା ରୋପଣ ମଧ୍ୟ କରିଥିଲେ।ସେହିପରି ପିତାମ୍ବରପୁର ପଂଚାୟତର ଜିରାଡଠାରେ ଏସ.ଏଚ.ଜି ମିଟିଂହଲ ଓ ପାଠାଗାରର ଶୁଭ ଉଦଘାଟନ ମଧ୍ୟ କରିଥିଲେ।
ଶେଷରେ ଆଡେଣିଗଡ଼ ଏବଂ ପୁରୁଣାକଟକଠାରେ ନୂତନଭାବେ ନିର୍ମାଣ ହେବାକୁଥିବା ଦୁଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ହୋଇଥିଲା।
ଏହା ସହିତ ଛତ୍ରଙ୍ଗଠାରେ ଏକ ଏଚଡବ୍ଲୁଏସସି ଶିଳାନ୍ୟାସ କରାଯାଇଥିଲା। ରବିବାର କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ପି.ଡି ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବି.ଡି.ଓ ଶ୍ମିତା ରଥ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, ହରଭଙ୍ଗା କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ, ହରଭଙ୍ଗା ସରପଂଚ ଶକୁନ୍ତଳା ବେହେରାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ।

ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ଆରଡିସିରେ ସାମିଲ ନେଇ ସରକାରୀସ୍ତରରେ ଶିଥିଳତା
ବୌଦ୍ଧ,୧/୮: ବୌଦ୍ଧଜିଲ୍ଲାକୁ ସମ୍ବଲପୁର ଆରଡିସି ଅଧିନରେ ସାମିଲ କରିବା ନେଇ ଜିଲ୍ଲାବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ହେବ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହି ଦାବିକୁ ଅଣଦେଖା କରିଚାଲିଛନ୍ତି । ଯାହାକୁ ନେଇ ଜିଲ୍ଲାସବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସୁଚନା ମତେ, ଓଡିଶାର ମଧ୍ୟଭାଗରେ ବୈାଦ୍ଧଜିଲ୍ଲା ଅବସ୍ଥିତ । ଏହି ଜିଲ୍ଲାର ଭାଷାଭାଷୀ ଚାଲିଚଳନ ଓ ପରମ୍ପରାକୁ ନେଇ ଏ ଅଂଚଳ ଯେ ପଶ୍ଚିମ ଓଡିଶାର ଏକ ଅବିଛେଦ୍ୟ ଅଙ୍ଗ ତାହା ନିସନ୍ଦେହ ।
ପୂର୍ବରୁ ବୈାଦ୍ଧ ଉପଖଣ୍ଡର ମାନ୍ୟତା ପାଇଥିଲା ଓ କନ୍ଧମାଳ ଜିଲ୍ଲା ଅଧିନରେ ଥିଲା ଏବଂ ଏହା ୧୯୯୪ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ବର୍ତ୍ତମାନ ଏହି ଜିଲ୍ଲା ବ୍ରହ୍ମପୁର ରାଜସ୍ୱ ମଣ୍ଡଳ ଅଧିନରେ ରହିଥିବା ବେଳେ ଏହାକୁ ସମ୍ବଲପୁର ଆରଡିସି ସାମିଲ କରିବା ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି ।
ହେଲେ ସରକାର ଏହି ଜିଲ୍ଲାକୁ ସମ୍ବଲପୁର ଆରଡିସିରେ ସାମିଲ କରି ନାହାନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବୌଦ୍ଧଜିଲ୍ଲାର ମାନ୍ୟତା ପାଇବା ପରେ ପରିଚୟସିନା ବଦଳିଲା କିନ୍ତୁ ଜିଲ୍ଲା ଗଠନ ପରେ ବୌଦ୍ଧ ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ମଣ୍ଡଳ ଅଧିନରେ ରଖି ଜିଲ୍ଲା ବାସୀଙ୍କୁ ଉପେକ୍ଷା କରାଗଲା । ଦୁରତ୍ୱ ଓ ଜନସାଧରଣଙ୍କ ସୁବିଧା ଦୃଷ୍ଟିରୁ ଏହି ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳରେ ସାମିଲ କରିବାପାଇଁ ଜନସାଧାରଣଙ୍କ ଦାବିକୁ ସରକାର ଉପେକ୍ଷିତ କରିଚାଲିଛନ୍ତି ।
ଜିଲ୍ଲାରେ ଥିବା ୬୯ ଗୋଟି ପଞ୍ଚାୟତ ମଧ୍ୟରୁ ୨୦୦୯ ମସିହା ପୂର୍ବରୁ କେତେକ ପଞ୍ଚାୟତ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଓ ଆଉ କେତେକ ପଞ୍ଚାୟତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧିନରେ ଥିଲା, କିନ୍ତୁ ନିର୍ବାଚନ ମଣ୍ଡଳୀ ପୁନଃ ଗଠନରେ କଣ୍ଟାମାଳ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ହେବାପରେ ଜିଲ୍ଲାବାସୀ ନିଜର ସ୍ୱତନ୍ତ୍ର ପରିଚୟ ଫେରିପାଇଥିଲେ । ଆରଡିସି ପରିବର୍ତ୍ତନ ନେଇ ବୌଦ୍ଧ ଜିଲ୍ଲାବାସୀଙ୍କର ଦାବି ଏବେ ନାଲିଫାଇଲ୍ ତଳେ ଚାପି ହୋଇ ରହିଯାଇଛି ।
ଯାହା ଜିଲ୍ଲା ବାସୀଙ୍କର ଆତ୍ମସମ୍ମାନ ପ୍ରତି କୁଠାରଘାତ କରାଯାଇଛି । ଏହି ଆର୍‌ଡିସି ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ବିକାଶ ଆଶାନୁରୁପ ହେବନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଥାଉକି, ବ୍ରହ୍ମପୁର ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଜିଲ୍ଲା ସଦର ମହକୁମା ଠାରୁ ୨୪୦ କିମି ହେଉଥିବା ବେଳେ ଯଦି ସମ୍ବଲପୁରରେ ସାମିଲ ହେବ ତାହେଲେ ସଦରମହକୁମା ଠାରୁ ସମ୍ବଲପୁର ରାଜସ୍ୱ ମଣ୍ଡଳକୁ ମାତ୍ର ୧୦୦ କି.ମି ଦୂର ହେବ ।
ସେହିପରି କୈାଣସି ବ୍ୟକ୍ତି ତଳଗାଁ ରୁ ବ୍ରହ୍ମପୁର ଆରଡିସିଙ୍କ କାର୍ଯ୍ୟାଳୟକୁ ଗଲେ ତାକୁ ୨୦୦ କିଲୋମିଟରରୁ ଉର୍ଦ୍ଧ୍ୱ ଯିବାକୁ ପଡିଥିବା ବେଳେ ସମ୍ବଲପୁରକୁ ୧୭୦ କିଲୋମିଟର ଦୂର ପଡିଥାଏ ଏବଂ ପରିବହନ ଯାତାୟତର ବିଶେଷ ସୁବିଧା ମଧ୍ୟ ରହିଛି । ସେହିପରି କଣ୍ଟାମାଳ ବ୍ଲକ ଖୁଣ୍ଟିଗୁରାରୁ ବ୍ରହ୍ମପୁର ପ୍ରାୟ ୩୫୫ କିଲୋମିଟର ଦୂରତ୍ୱ ହୋଇଥିବା ବେଳେ ଖୁଣ୍ଟିଗୁରାରୁ ସମ୍ବଲପୁର ମାତ୍ର ୧୪୫ କିଲୋମିଟର ଦୂରତ୍ୱ ହୋଉଛି । ସେଠାରୁ ମଧ୍ୟ ସମ୍ବଲପୁରକୁ ପରିବହନ ଯାତାୟତର ସୁବିଧା ରହିଛି ।
ଯେ କୈଣସି ବ୍ୟକ୍ତି ସମ୍ବଲପୁର ଆରଡିସି କାମରେ ବୈାଦ୍ଧଜିଲ୍ଲାରୁ ଗଲେ ଯାତାୟତ ସୁବିଧା ଦୃଷ୍ଟିରୁ ତାକୁ ଗୋଟିଏ ଦିନରେ କାମ ସାରି ଫେରିଆସିବାକୁ ସହଜ ହୋଇଥିବା ବେଳେ ବ୍ରହ୍ମପୁରକୁ କିନ୍ତୁ ଗୋଟିଏ ଦିନରେ ଯାଇ ଫେରିବା ସହଜ ହୋଇନଥାଏ । ଗମନା ଗମନ କ୍ଷେତ୍ରରେ ସମ୍ବଲପୁରକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପରିବହନ ଯାତାୟତର ବିଶେଷ ସୁବିଧା ରହିଥିବା ବେଳେ ବ୍ରହ୍ମପୁରକୁ କିନ୍ତୁ ପରିବହନର କୌଣସି ବିଶେଷ ସୁବିଧା ନାହିଁ ।
ଫଳରେ ରାଜସ୍ୱ ମଣ୍ଡଳରେ କାର୍ଯ୍ୟପାଇଁ ବର୍ତମାନ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ଦେଖାଦେଇଥାଏ । ବୈାଦ୍ଧଜିଲ୍ଲା ସହିତ ସମ୍ବଲପୁର ଜିଲ୍ଲାର ଭାଷା ସଂସ୍କୃତି,ପରମ୍ପରା ସାମଞ୍ଜସ୍ୟ ରହିଥିବାବେଳେ ଏହି ଜିଲ୍ଲା ପଶ୍ଚିମାଞ୍ଚଳ ବିକାଶ ପରିଷଦରେ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ସରକାର ଲୋକଙ୍କ ହିତପାଇଁ ପ୍ରଶାସନକୁ ନିକଟତର କରାଇବାର ଦ୍ୱାହି ଦେଉଥିବାବେଳେ ବୌଦ୍ଧ ଜିଲ୍ଲାର ପରିସ୍ଥିତି କିନ୍ତୁ ବାସ୍ତବ କ୍ଷେତ୍ରରେ ଓଲଟା । ଏଣୁ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ବୌଦ୍ଧ ଜିଲ୍ଲାକୁ ଉତ୍ତରାଂଚଳ ରାଜସ୍ୱ ମଣ୍ଡଳ ପରିସରଭୁକ୍ତ କରାଇବାକୁ ଜିଲ୍ଲାବାସୀଙ୍କ ତରଫରୁ ଦାବି ହେଉଛି ।

Related Posts

Seo wordpress plugin by www.seowizard.org.