Odisha News

ନୀଳଗିରିରେ ଜାଲ୍ ନୋଟ୍ କାରବାର, ଦୁଇ ଅଭିଯୁକ୍ତ ଗିରଫ

ନୀଳଗିରି,୨୬/୮: ରାଜ୍ୟର ବିଭିନ୍ନ ସ୍ଥାନରେ ଡାଲି, ଚାଉଳ, ସର୍ଫ, ତେଲ ଓ ମସଲା ଭଳି ସାମଗ୍ରୀକୁ ଅପମିଶ୍ରଣ କରି ବିକ୍ରିୟ କରାଯିବା ଘଟଣା ଆସୁଥିବା ବେଳେ ଏବେ ବାଲେଶ୍ବର ଜିଲ୍ଲା ନୀଳଗିରିରେ ନକଲି ଟଙ୍କା ଦେଖିବାକୁ ମିଳିଛି।
ଜାଲ୍ ନୋଟ୍ କାରବାରର ବେପାରୀଙ୍କୁ ସରକାରୀ ବିଦେଶୀ ମଦଦୋକାନର ପରିଚାଳକ ଜାଲରେ ଫସାଇଛନ୍ତି। ଉକ୍ତ ଘଟଣାରେ ପୁଲିସ ଶନିବାର ଜଣେ ମହିଳାଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।
ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ବୀଣାପାଣି ମୁଖୀ। ସେମାନଙ୍କ ଠାରୁ ୩୨ ହଜାର ୭ ଶହ ଜାଲ୍ ନୋଟ୍ (୩୮ଟି ୫ ଶହ, ୪୫ଟି ଦୁଇ ଶହ ଓ ୪୭ଟି ୧ ଶହ ଟଙ୍କିଆ) ଜବତ କରାଯାଇଛି।
ଦୁଇ ଅଭିଯୁକ୍ତ ହେଲେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ନୟାପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ଅଧିନ ସାହରପୁର ଗ୍ରାମର ବୀଣାପାଣି ମୁଖୀ
ନୀଳଗିରି ଥାନା ପରିସରରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଏସ୍ପି ସାଗରିକା ନାଥ କହିଛନ୍ତି ଜାଲ ନୋଟ ବେପାରୀମାନେ ନିରୀହ ଆଦିବାସୀ ଗରିବ ଖଟିଖିଆଙ୍କୁ ମହୋରା ବନାଇବା ସହିତ ମଫସଲ ଗାଁ ଗୁଡିକର ହାଟକୁ ଟାର୍ଗେଟ କରୁଥିଲେ। ସମଗ୍ର ନୀଳଗିରି ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରିବୁଲୁଛି ଜାଲ ଟଙ୍କା। ଏହି ଖବର ପ୍ରଚାରିତ ହେବା ପରେ ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ୫ଶହ, ଦୁଇ ଶହ ଓ ୧ ଶହ ଟଙ୍କିଆ ନୋଟ୍ ଦେଖି ପରଖୁ ଥିବା ଦେଖିବାକୁ ମିଳିଛି।
ନୀଳଗିରି ଥାନା ସନ୍ତରାଗଡିଆ ବଜାର ନିକଟସ୍ଥ ନୂଆପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗତ ୨୨ ତାରିଖ ମଙ୍ଗଳବାର ସନ୍ତରାଗଡିଆ ବଜାରରେ ନିକଟସ୍ଥ ବ୍ୟାଙ୍କ ଅଫ ବରୋଦା କିଓସ୍କ ଶାଖାରେ ୩୦ହଜାର ଟଙ୍କା ଜମା କରିବାକୁ ଯାଇଥିଲେ।
ମାତ୍ର ଉକ୍ତ ଟଙ୍କା ଜାଲ ଥିବାର ଜାଣିପାରି ବ୍ୟାଙ୍କ କର୍ମଚାରୀ ଟଙ୍କା ଫେରସ୍ତ କରିଦେଇଥିଲେ। ଘଟଣା ପ୍ରଚାରିତ ହେବା ବେଳକୁ ପୂର୍ଣ୍ଣଚନ୍ଦ୍ର ବଜାରର ଚାହା ଦୋକାନ, ମାଛ ଦୋକାନ, ମଦ କାଉଣ୍ଟର, ମୋବାଇଲ ରିଚାର୍ଜ୍ ଦୋକାନ ଆଦିରେ ଜାଲ ଟଙ୍କା ଦେଇ ଠକି ଥିବାର ଅଭିଯୋଗ ହୋଇଥିଲା।
ସନ୍ତରାଗଡ଼ିଆଛକସ୍ତିତ ସରକାରୀ ବିଦେଶୀ ମଦଦୋକାନୀର ପରିଚାଳକ ଜାଲ ନୋଟ ନେଇ ସ୍ଥାନୀୟ ଈଶ୍ବରପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଘଟଣାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ସେହି ଦିନ ଅଟକ ରଖିଥିବା ବେଳେ ମୁଖ୍ୟ ଆସାମୀକୁ ଧରିବା ପାଇଁ ଜାଲ ବିଛାଇଥିଲା।
ହେଲେ ସୋର ଛକରୁ ବୀଣାପାଣିଙ୍କୁ ଧରିଥିଲେ ମଧ୍ୟ ମୁଖ୍ୟ ଆସାମୀ ଚମ୍ପଟ ମାରିଥିଲା। ମୁଖ୍ୟ ଆସାମୀର ସମସ୍ତ ତଥ୍ୟ ମିଳିସାରିଛି। ତୁରନ୍ତ ତାକୁ ଧରାଯିବ ବୋଲି କହିଛନ୍ତି ଏସ୍ପି ଶ୍ରୀମତୀ ନାଥ।
ଦାମିକିଆ ବଣ୍ଡ ପେପର ଓ ଅତ୍ୟାଧୁନିକ ପ୍ରିଣ୍ଟର ବ୍ୟବହାର କରି ଛପା ଯାଉଛି ଏହି ନକଲି ଟଙ୍କା। ଜିଙ୍କ ପେନ ସାହାଯ୍ୟରେ ନେଳି ରଙ୍ଗର ଛାପ ଦିଆଯାଉଛି।
ତେଣୁ ସାଧାରଣ ଲୋକ ନୋଟର ୱାଟର ମାର୍କ ଓ ନୀଳ ରଙ୍ଗର ଛାପକୁ ଯାଞ୍ଚ କରି ଟଙ୍କା ଗ୍ରହଣ କରିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଏସ୍ପିଙ୍କ ସମେତ ନୀଳଗିରି ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ଔପଦା ଆଇଆଇସି ଶ୍ରବଣ କୁମାର ମହାପାତ୍ର ଓ ନୀଳଗିରି ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ପୂର୍ଣ୍ଣଚନ୍ଦ୍ର ନାୟକ ବର୍ଷେ ପୂର୍ବରୁ ହନୁମାନ ପଇସା କାରବାରରେ ଜେଲ ଯାଇଥିଲେ। କିଛି ମାସ ପୂର୍ବରୁ ସେ ଜେଲରୁ ବାହାରିଥିଲେ।

Related Posts

Seo wordpress plugin by www.seowizard.org.