Odisha News

ଆସନ୍ତା କାଲିଠାରୁ ତାତିରେ ଲାଗିବ ବ୍ରେକ୍, କମିବ ଦିନ ତାପମାତ୍ରା

ଭୁବନେଶ୍ୱର,୧୪/୪ : କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ। ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।
ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୭ରେ ଉତ୍ତର ଉପକୂଳ ଓଡ଼ିଶାରେ ଓ ୧୮ରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏନେଇ ଆଜି ପାଣିପାଗ ବିଭାଗ ସୂଚନା ଦେଇଛି।
ସୂଚନା ମୁତାବକ, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟର ବାରିପଦାରେ ସର୍ବାଧିକ ତାପମାତ୍ରା(୪୨.୫ ଡିଗ୍ରୀ) ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ, ସମ୍ବଲପୁର ୪୧.୮, ଭୁବନେଶ୍ୱରରେ ୪୦.୨, ଚାନ୍ଦବାଲିରେ ୪୦ ଡିଗ୍ରୀ, ହୀରାକୁଦରେ ୪୦, କେନ୍ଦୁଝରରେ ୩୮, ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଗୋପାଳପୁର ଓ ପୁରୀରେ ୩୩.୨ ଡିଗ୍ରୀ, ପାରାଦୀପରେ ୩୨.୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।
ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ଆଜି ରାଜ୍ୟର ୮ ସହରରେ ୪୨ ଡିଗ୍ରୀରୁ ଅଧିକ ତାପମାତ୍ର ରେକର୍ଡ କରାଯାଇଛି। ଆଗାମୀ ଦୁଇଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବ। ଆସନ୍ତାକାଲି ୬ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୋନପୁର ଓ ବୌଦ୍ଧ। ଆସନ୍ତା ଦୁଇଦିନ ମଧ୍ୟ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।
ତେବେ ୧୬ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। କାରଣ ଏକ ନିମ୍ନ ଚାପ ରେଖା ଉତ୍ତର ଛତିଶଗଡ଼ରୁ ବାହାରି ମହାରାଷ୍ଟ୍ର ଦେଇ ତେଲେଙ୍ଗାନା ପର‌୍ୟ୍ୟନ୍ତ ବ୍ୟାପିଛି। ଏହା ଫଳରେ ଦକ୍ଷିଣ ଅଭ୍ୟନ୍ତରିଣ ଓଡ଼ିଶାର କିଛିସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ସୃଷ୍ଟି କରିଛି। ତେଣୁ ତାପମାତ୍ର କମିବ ବୋଲି ଅଶା କରାଯାଉଛି।
ସେହିପରି ଆଗରୁ ସମୁଦ୍ରରୁ ଉପକୂଳ ଆଡ଼କୁ ହେଉଥିବା ପାଶ୍ଚିମା ପବନର ବନ୍ଦ ହୋଇଯାଇଛି। ଏହା ଦିଗ ପରିବର୍ତ୍ତନ କରିଛି। ଗୁରୁଚାପ ବଳୟ ମଧ୍ୟ ବଦଳିଛି। ବଙ୍ଗୋପସାଗରରୁ ଏହି ଗୁରୁଚାପ ବଳୟ ଓଡ଼ିଆ ମୁହାଁ ହେଉଛି। ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବ ଧିରେଧିରେ କମିବ। ଏଥିସହ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶା ଆଡ଼କୁ ଆସିବ। ଏବେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ର ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ମାତ୍ର ୧୬ ତାରିଖରୁ ତାତି କମିବ ଓ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ପ୍ରଭାବରେ ବର୍ଷା ହେବ। ଏଥିଯୋଗୁ ତାପମାତ୍ର ସାମାନ୍ୟ କମିବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱରର ଓ କଟକରେ ମଧ୍ୟ ତାତି କମିବ ବୋଲି ଆଶା ରହିଛି।
ସେପଟେ ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆସନ୍ତା ୫ ଦିନ ରାଜ୍ୟର କାଁ ଭାଁ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କେଉଁଝର,ମୟୂରଭଞ୍ଜରେ ଆଜି ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ଯୋଗୁ ଅଭ୍ୟନ୍ତରିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ।
ହେଲେ ୧୭ ଓ ୧୮ ତାରିଖରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତି ଜିଲ୍ଲାଗୁଡ଼ିକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।

Related Posts

Seo wordpress plugin by www.seowizard.org.