Odisha News

ବଦଳିଲେ ରାଜ୍ୟ ବିଜେପି ସଭାପତି, ମନମୋହନ ସାମଲଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ୱର,୨୩/୩ : ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି ।
ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି। ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରୁଥିବା ସଙ୍କେତ ମିଳିଛି।
ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି ଦାୟିତ୍ୱ ନୂଆ ନୁହେଁ।
ମନ ମୋହନ ସାମଲ ୨୦୦୪ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ବିଜେପି-ବିଜେଡି ମେଣ୍ଟ ସରକାରରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ରାଜସ୍ୱ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଳାଇଥିଲେ ।
କଲେଜ ଛାତ୍ର ଥିବା ସମୟରେ ହିଁ ରାଜନୀତିକୁ ଆସିଥିଲେ ମନମୋହନ । ୧୯୭୯ ମସିହାରେ ଭଦ୍ରକ ଅଟୋନମସ୍ କଲେଜ ଷ୍ଟୁଡେଣ୍ଟ ୟୁନିଅନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ-ଇଈଠଚରେ ସାମିଲ ହୋଇ ରାଜନୈତିକ କ୍ୟାରିୟରକୁ ଆଗକୁ ବଢାଇଥିଲେ ।
ପରେ ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ପୂର୍ବରୁ ମଧ୍ୟ ମନମୋହନ ବିଜେପି ରାଜ୍ୟ ସଭାପତି ଭାବେ କାର‌୍ୟ୍ୟ କରିସାରିଛନ୍ତି ।
ଧାମନଗର ଉପ-ନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଥିବା ଆଲୋଚନା ହେଉଛି । ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବ ।
ରାଜ୍ୟ ବିଜେପି ସଭାପତି ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଛନ୍ତି, ‘ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିକି ରହିଛି । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢ଼ିବ । ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, ତାକୁ ୨୪ରେ ପରିବର୍ତ୍ତନ କରାଯିବ। ଲୋକେ ବିକଳ୍ପ ସରକାର ଅପେକ୍ଷାରେ ଥିବା ବେଳେ ଆମେ ସେହି ବିକଳ୍ପ ଦେବୁ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ନୂଆ ବିଜେପି ସଭାପତି ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି – ମନମୋହନ ସାମଲ ଜଣେ ତୃଣମୂଳ ସ୍ତରର ନେତା । ତାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ନିମନ୍ତେ ଦଳକୁ ମଜବୁତ କରାଯିବ । ସୁନୀଲ ବଂଶଲ ପ୍ରଭାରୀ ଦାୟିତ୍ୱ ନେବା ପରେ ଦଳର ନବକଳେବର କରାଯାଉଛି। ସରକାର ଗଠନ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ବିଜେଡି ପଛୁଆ ବର୍ଗର କାର୍ଡ ଖେଳିବାକୁ ଚେଷ୍ଟା ଚଳାଇଥିବା ବେଳେ ମନମୋହନ ସାମଲ ଜଣେ ପଛୁଆ ବର୍ଗର ନେତା। ସେ ଭଲ ଭାବେ ଦାୟିତ୍ୱ ନିର୍ବାହ କରି ପାରିବେ । ମନମୋହନଙ୍କ ନେତୃତ୍ୱରେ ଦଳ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ଓ ବିଜୟ ହାସଲ କରିବ ବୋଲି ଆଶା ରଖିଛୁ।
ଅମିତ ଶାହ ଆସନ୍ତା ମାସରେ ଭଦ୍ରକ ଗସ୍ତରେ ଆସିବାର କାର‌୍ୟ୍ୟକ୍ରମ ରହିଛି। ଏହା ପୂର୍ବରୁ ଭଦ୍ରକର ନେତା ମନମୋହନ ସାମଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି।

Related Posts

Seo wordpress plugin by www.seowizard.org.