Odisha News

ଘୋଷଣାରେ ସୀମିତ ମେଟ୍ରୋ ଟ୍ରେନ୍ ସ୍ବପ୍ନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର, ୨୬/୯: ଟ୍ୱିନ ସିଟିରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଜନସଂଖ୍ୟା। ତେଣୁ ସମୟ ସହ ତାଳ ଦେଇ ଏଠାକାର ଅଧିବାସୀଙ୍କୁ ମେଟ୍ରୋ ଟ୍ରେନ୍ର ସୁବିଧା ଦରକାର। ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଲୋକେ ବହୁ ଦିନରୁ ଦାବି କରି ଆସୁଥିବା ବେଳେ ଏବେ ଏହି ଆଶାକୁ ପୁଣି ଥରେ ଉଜ୍ଜୀବିତ କରିଛନ୍ତି ଭୁବନେଶ୍ୱର ସାଂସଦ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି।
ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ କରିଥିବା ଟ୍ୱିଟ୍ ଅନୁଯାୟୀ, କଟକ-ଭୁବନେଶ୍ୱରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ମେଟ୍ରୋ ଟ୍ରେନ ଚାଲିବା ଦରକାର। ଏହାଦ୍ୱାରା ଲୋକେ ଖୁବ୍ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିସହ କେନ୍ଦ୍ର ନଗର ଉନୟନ ବିଭାଗ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ ଉଲ୍ଲେଖ କରିଛନ୍ତି। ଏହାବାଦ ଆବଶ୍ୟକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଥିବା ଅପରାଜିତା ଟ୍ୱିଟ୍ କରିଛନ୍ତି।
ହେଲେ ଏଥିପାଇଁ କେନ୍ଦ୍ର ପକ୍ଷରୁ ଗ୍ରୀନ୍ ସିଗନାଲ ମିଳୁଛି ନା ନାହିଁ, ରାଜ୍ୟ ସହଯୋଗର ହାତ ବଢ଼ାଉଛି ନା ନାହିଁ ତାହା ଆଗକୁ ଜଣାପଡ଼ିବ।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ବାରମ୍ବାର ରାଜ୍ୟବାସୀଙ୍କୁ ମେଟ୍ରୋ ଟ୍ରେନ୍ର ସ୍ୱପ୍ନ ଦେଖାଇଥିବା ବେଳେ ପରେ କିନ୍ତୁ ନିରାଶ କରିଥିଲେ। ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ବି ମେଟ୍ରୋ ରେଳ ସେବା କଥା ରାଜ୍ୟ ସରକାର ଦୋହରାଇଥିଲେ। ତେବେ ଏହି ବଜେଟର ବହୁ ପୂର୍ବରୁ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଡିପିଆର ପ୍ରସ୍ତୁତ କରିବା ଦାୟିତ୍ୱ ନେଇଥିବା ସଂସ୍ଥା ତା’ର ରିପୋର୍ଟ ଦାଖଲ କରିସାରିଥିଲା ଓ ମେଟ୍ରୋ ଟ୍ରେନ୍ ଟୁଇନସିଟିରେ ଏବେ ଚଳାଇବା ସମ୍ଭବପର ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରିଥିଲା।
ତଥାପି ୨୦୧୯-୨୦ ବାର୍ଷିକ ବଜେଟ ଓ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କଥା ଦୋହରାଇଥିଲେ। ରାଜ୍ୟପାଳଙ୍କ ମୁହଁରେ ଏପରି ମିଛ କୁହାଇବାକୁ କଡ଼ା ବିରୋଧ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି। ବିଜେଡି ସରକାର ଭୋଟ୍ ପାଇବା ପାଇଁ ରାଜ୍ୟପାଳଙ୍କ ମୁହଁରେ ମେଟ୍ରୋ ଟ୍ରେନ୍ ନେଇ ବିଧାନସଭାରେ ମିଛ କୁହାଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଥିଲେ।
ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନା ବିଧାସଭାରେ ଉତ୍ତର ରଖି ୨୦୪୧ ମସିହା ପର‌୍ୟ୍ୟନ୍ତ ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଗଡ଼ିପାରିବ ବୋଲି ସର୍ଭେ ରିପୋର୍ଟ ମିଳିଥିବା ସମ୍ପର୍କରେ ସୂଚନା ଦେବାପରେ ବିରୋଧୀ ଦଳ ନେତା ଶ୍ରୀ ନାଏକ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ।
ଶ୍ରୀ ନାଏକ କହିଥିଲେ ଯେ, ୨୦୪୧ ମସିହା ପର‌୍ୟ୍ୟନ୍ତ ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଗଡ଼ିପାରିବ ନାହିଁ ବୋଲି ଯଦି ୨୦୧୪-୧୫ ମସିହାରୁ ସରକାର ଜାଣିଥିଲେ, ତା’ହେଲେ ଚଳିତ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳଙ୍କ ମୁହଁରେ ଏକଥାକୁ କାହିଁକି କୁହାଇଲେ? ପବିତ୍ର ବିଧାନସଭାରେ ରାଜ୍ୟର ପ୍ରଥମ ବ୍ୟକ୍ତି ତଥା ରାଜ୍ୟପାଳଙ୍କ ମୁହଁରେ ଏ ସରକାର ମିଛ କୁହାଇଛନ୍ତି। ଖାଲି ସେତିକି ନୁହେଁ ବିଜେଡି ତା’ର ୨୦୧୯ ନିର୍ବାଚନ ଇସ୍ତାହାରରେ ମଧ୍ୟ କେମିତି ଏହି ପ୍ରସଙ୍ଗକୁ ସାମିଲ କରିଥିଲା। ଯଦି ସରକାର ଜାଣିଶୁଣି ଏହା କରିଛନ୍ତି ତା’ହେଲେ ବିଜେଡି ସ୍ୱୀକାର କରୁଛି ଯେ ସେମାନେ ଭୋଟ୍ ପାଇବା ପାଇଁ ଏଭଳି କହିଥିଲେ ବୋଲି ଶ୍ରୀ ନାଏକ କଟାକ୍ଷ କରି କହିଛନ୍ତି।

Related Posts

Seo wordpress plugin by www.seowizard.org.