Odisha News

ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ଆରିଶା ପିଠା ଖୁଆଇବେ ତାଙ୍କ ଭାଇ ଓ ଭାଉଜ

ନୂଆଦିଲ୍ଲୀ ୨୪/୭: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥପାଠ ଉତ୍ସବ ଲାଗି ପ୍ରସ୍ତୁତି ସରିଛି।
ସୋମବାର ପୂର୍ବାହ୍ନ ୧୦ଟା ୧୫ ମିନିଟରେ ସଂସଦ ଭବନ କେନ୍ଦ୍ରୀୟ ସଭାଗାରରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ତାଙ୍କ ପରିବାର ପକ୍ଷରୁ ସାନ ଭାଇ ଓ ଭାଉଜଙ୍କ ସମେତ ଝିଅ ଏବଂ ଜ୍ୱାଇଁ ଯୋଗ ଦେବେ। ଏଥିପାଇଁ ସେମାନେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି।
ଶପଥପାଠ ଉତ୍ସବ ପରେ ଭଉଣୀଙ୍କ ମୁହଁ ମିଠା କରିବା ପାଇଁ ପାରମ୍ପରିକ ଓଡ଼ିଆ ଆରିଶା ପିଠା ସାଙ୍ଗରେ ନେଇଛନ୍ତି ସାନଭାଇ ଭାଉଜ। ଏହି ପିଠା ତାଙ୍କ ଭଉଣୀଙ୍କୁ ମଧ୍ୟ ବେଶ ପସନ୍ଦ, ଏହା ଛଡା କୌଣସି ଶୁଭ କାମରେ ଆରିଶା ପିଠା ଖାଇବା ଓଡିଆଙ୍କ ଲାଗି ଶୁଭ ବୋଲି ମନେ କରାଯାଏ।
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ ଶପଥଗ୍ରହଣ ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ଅଧିସୂଚନା ଜାରି କରିଛନ୍ତି। ଅଧିସୂଚନା ଅନୁସାରେ ସୋମବାର ପୂର୍ବାହ୍ନ ୧୦ଟା ୧୫ ମିନିଟ୍ରେ ସଂସଦ ଭବନ କେନ୍ଦ୍ରୀୟ ସଭାଗାରରେ ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବ।
ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟଙ୍କ ମୁଖ୍ୟବିଚାରପତି, ଲୋକସଭା ବାଚସ୍ପତିଙ୍କ ସମେତ କେନ୍ଦ୍ର ସରକାରଙ୍କର ସମସ୍ତ ମନ୍ତ୍ରୀ, ଦେଶର ଅଲଗା ଅଲଗା ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି।
ଏହା ସହିତ ଦେଶର କୂଟନୈତିକ ମିସନ ମୁଖ୍ୟ, ସାଂସଦଙ୍କ ସମେତ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ବରିଷ୍ଠ ଅଧିକାରୀ ସଂସଦ ଭବନ କେନ୍ଦ୍ରୀୟ ସଭାଗାରରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ। ଶପଥପାଠ ଉତ୍ସବ ପରେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବ ଓ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭ ହେବ। ଶପଥଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ପରିବାରର ୪ ଜଣ ସଦସ୍ୟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି।

Related Posts

Seo wordpress plugin by www.seowizard.org.